(ଓଡ଼ିଶାଲାଇଭ୍‌ ବ୍ୟୁରୋ)


ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ‘ଆର୍ଟ ଅନ୍‌ ଦି ସ୍ମାର୍ଟ ସିଟି’ ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଛି। ଏହା ୩ ତାରିଖରେ ଉଦ୍‌ଘାଟିତ ହୋଇଯାଇଛି।

ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟ୍‌(ଆଇପିସିଏ), ଉତ୍ସ ପାଉଣ୍ଡେସନ୍‌ ଫର୍ କଣ୍ଟେମ୍ପରାରି ଆର୍ଟ ଏବଂ ଯତୀନ ଦାସ ସେଣ୍ଟର ଅଫ୍‌ ଆର୍ଟ୍‌‍ସ (ଜେଡିସିଏ)ର ମିଳିତ ସହଯୋଗରେ ପ୍ରତିଷ୍ଠିତ ‘ଭୁବନେଶ୍ୱର ଆର୍ଟ କଲେକ୍‌ଟିଭ୍‌’ ବିଡିଏ, ବିଏମ୍‌ସି ଓ ବିୟୁକେସି ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଛି।

ସ୍ମାର୍ଟ ସହରର ବିକାଶରେ କଳା ଓ ସଂସ୍କୃତିର କୁଶଳ ଉପଯୋଗ ଆଭିମୁଖ୍ୟ ନେଇ ଆୟୋଜିତ ଏହି କର୍ମଶାଳାରେ ‘ଭୁବନେଶ୍ୱର ସହରାଞ୍ଚଳ ବକ୍ତୃତାମାଳା’ ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାକୁ ବିଡିଏ ଉପସଭାପତି ଡକ୍ଟର କ୍ରିଷନ୍‌ କୁମାର ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଡକ୍ଟର କ୍ରିଷନ୍ କୁମାର କହିଛନ୍ତି, “ସାର୍ବଜନୀନ କଳାର ଚାହିଦା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ, କଳାକାର ସମାଜ, ନୀତି ନିର୍ମାତାଙ୍କ ମଧ୍ୟରେ ସହଭାଗିତା ରଖିବା ପାଇଁ ଏହା ଉପଯୁକ୍ତ ସମୟ।”

ଏହି ଲକ୍ଷ୍ୟରେ ବିଏସମ୍‌ସି କର୍ତ୍ତୃପକ୍ଷ ସେପ୍ଟେମ୍ବର ୨୦୧୭ରେ ୪ ଜଣ ପ୍ରତିନିଧିଙ୍କୁ ସିଓଲ୍ ବାଇନିଆଲ୍‌ ଅଫ୍‌ ଆର୍କିଟେକ୍‌ଚର ଆଣ୍ଡ ଅର୍ବାନିଜିମ୍‌-୨୦୧୭କୁ ପଠାଇଥିଲେ।

ଉଦ୍‌ଘାଟନୀ ଉତ୍ସବରେ ପ୍ରଫେସର ଜତୀନ୍ଦ୍ର ଜୈନ, ବିଶିଷ୍ଟ କଳା ଓ ସଂସ୍କୃତି ଗବେଷକ ଭି ସୁନୀଲ, ବାସ୍ତୁକାର ଜ୍ୟୋତି ରଥ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

କର୍ମଶାଳାର ଦ୍ୱିତୀୟ ଦିନରେ ଭାରତର କିଛି ବିଶେଷଜ୍ଞ, କଳାକାର, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଉପସ୍ଥିତ ରହି ସହରିକରଣରେ କଳାର ଉପଯୋଗିତା ପାଇଁ ଆଲୋଚନା କରିଛନ୍ତି।

Comment