ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରାୟ ଚାରିବର୍ଷର ସଂଘର୍ଷ ପରେ ଓଡ଼ିଆ ଗାୟକ ଅସିତ ତ୍ରିପାଠୀ ବଲିଉଡରେ ପ୍ରଥମେ ବ୍ରେକ୍ ପାଇଛନ୍ତି। ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ ରିଲିଜ୍ ହେବାକୁ ଥିବା ସିନେମା ‘ଶାଦି ମେଁ ଜରୁର ଆନା’ରେ ସେ ରାଜକୁମାର ରାଓଙ୍କ ପାଇଁ ‘ତୁ ବନ୍‌ଜା ଗଲି ବନାରସ କି…’ ଗୀତଟି ଗାଇଛନ୍ତି। ଏହି ରୋମାଣ୍ଟିକ ଗୀତଟିକୁ ଗାଇବା ପାଇଁ ପୂର୍ବରୁ ଅରିଜିତ୍ ସିଂହଙ୍କୁ ସ୍ଥିର କରାଯାଇଥିଲେ ମଧ୍ୟ ତାଙ୍କ ସମୟ ଅଭାବରୁ ଅସିତ୍‌ଙ୍କ ଭାଗ୍ୟରେ ଏହି ଗୀତଟି ପଡ଼ିଲା। ତାଙ୍କ ଗାୟକ ଜୀବନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

“ବଲିଉଡ଼ରେ ପ୍ରଚ୍ଛଦ ପଟ ଗୀତ ଗାଇବା ପାଇଁ ସୁଯୋଗ ମିଳିବା ମୋ ପାଇଁ ବହୁତ ବଡ଼ ଖୁସିର ଖବର। ପ୍ରତିଦିନ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଲକ୍ଷ ଲକ୍ଷ ଯୁବକ/ଯୁବତୀ ସମଗ୍ର ଦେଶରୁ ଏହି ମାୟା ନଗରୀକୁ ଆସିଥା’ନ୍ତି। ଗତ ଚାରି ବର୍ଷ ମଧ୍ୟରେ ମୁଁ ପ୍ରାୟ ୨୫୦ଟି ଗୀତ ଗାଇସାରିଛି, ଯାହାକୁ ପରେ ପରେ ଅନ୍ୟାନ୍ୟ ଗାୟକ ସିନେମା ପାଇଁ ଗାଇଛନ୍ତି”, କହିଛନ୍ତି ଅସିତ୍ ତ୍ରିପାଠୀ। ମୁମ୍ବାଇରେ ଥିବା ସମୟରୁ ଏବେ ଯାଏଁ ପ୍ରତ୍ୟେକଟି ସୋପନରେ ଜୀବନର ସଂଘର୍ଷକୁ ସେ ଅନୁଭବ ବୋଲି ମାନିଛନ୍ତି ଓ ଏହା ତାଙ୍କର ଧୈର୍ଯ୍ୟ ଓ ଗୀତ ଗାଇବାର ନିଷ୍ଠାକୁ ଆହୁରି ଦୃଢ଼ କରିଛି ବୋଲି ସେ ମନେ କରନ୍ତି।

“ବାପାଙ୍କର ବାରମ୍ବାର ଚାକିରୀରେ ବଦଳି ଯୋଗୁଁ ମୋ ପିଲାବେଳେ ଆମେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଶୀଦିନ ରହିବାର ସୁଯୋଗ ପାଇନୁ। ତେଣୁ ମୁଁ ବେଶୀଦିନ ଧରି ଗୀତ ଶିଖିବାର ସୁଯୋଗ ପାଇନି। ବରଂ ପରେ ପରେ ମୁଁ ଗୀତକୁ ଶୁଣିକି ଗାଇବା ଆରମ୍ଭ କଲି”, କହିଛନ୍ତି ଅସିତ୍।

ପୂର୍ବରୁ ଜାତୀୟ ଟେଲିଭିଜନରେ ପ୍ରସାରିତ ଇଣ୍ଡିଆନ ଆଇଡଲ୍ ସିଜନ୍-୫ରେ ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ପାଇଁ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ପରେ ପରେ ସେ ଅନ୍ୟ ଏକ ମ୍ୟୁଜିକ ରିଅଲିଟି ସୋ ସୁପରସିଙ୍ଗରରେ ମଧ୍ୟ ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିପାରିଥିଲେ।

“ସବୁ ପ୍ରକାରର ଗୀତ ଗାଇବାକୁ ମୁଁ ଭଲପାଏ। କିନ୍ତୁ ସବୁ ଭିତରେ ରୋମାଣ୍ଟିକ ଗୀତ ମୋର ଅଧିକ ପସନ୍ଦ। ଗୀତର ସ୍ୱର ସରଳ ଓ ସହଜ ଲାଗିଲେ ମଧ୍ୟ ପ୍ରତ୍ୟେକଟି ଶଦ୍ଦର ଭାବ ଅନୁଯାୟୀ ଗୀତ ଗାଇ ଲୋକଙ୍କ ମନକୁ ଛୁଇଁବା ସହଜ ସାଧ୍ୟ ନୁହେଁ’’, ଅସିତ୍ କୁହନ୍ତି।

ଯଦିଓ ବେଶୀଦିନ ଓଡ଼ିଶାରେ ରହିବାର ସୁଯୋଗ ପାଇନାହାନ୍ତି। ତଥାପି ସୁଯୋଗ ମିଳିଲେ ନିଜ ମାତୃଭାଷାରେ ଗୀତ ଗାଇବାର ଅଭିପ୍ରାୟ ତାଙ୍କର ଅଛି ବୋଲି ସେ କହିଛନ୍ତି। ପୂର୍ବରୁ ‘ଟିକେ ଖରା ଟିକେ ଛାଇ’ ସିନେମାରେ ଓ ‘ସାଥିରେ…’ ଗୀତ ଗାଇ ସେ ଓଡ଼ିଆ ସିନେଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିସାରିଛନ୍ତି।

Comment