ଭାସ୍କର ପରିଛା
ବିମୁଦ୍ରୀକରଣ ବା ନୋଟବନ୍ଦୀ ବା ଡିମନିଟାଇଜେସନକୁ ବର୍ଷେ ପୁରିଲା। ଗତ ବର୍ଷ ନଭେମ୍ବର ୮ତାରିଖ ସନ୍ଧ୍ୟାରେ ଅଚାନକ ଏକ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଘୋଷଣା ଥିଲା, ୫୦୦ ଓ ୧୦୦୦ ଟଙ୍କା ନୋଟ ଆଉ ଚଳିବ ନାହିଁ। ଏହି ଘୋଷଣା ପରେ ପରେ ଦେଶରେ ଯାହାସବୁ ଘଟିଲା ତାହାର ପୁନରାବୃତ୍ତି ଅନାବଶ୍ୟକ। ଊଣା ଅଧିକ,ସମସ୍ତେ ତାହାର ଭୁକ୍ତଭୋଗୀ।
ବିମୁଦ୍ରୀକରଣ ଠିକ୍ ଥିଲା କି ଭୁଲ ଥିଲା, ଏହା ଦ୍ୱାରା ଫାଇଦା ହୋଇଛି କି ଘାଟା ହୋଇଛି ସେହି ସମୀକ୍ଷା ନିର୍ଭର କରିବ କିଏ କେଉଁ ମଞ୍ଚରେ ଠିଆ ହୋଇ କହୁଛି। ବିଜେପି ଓ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିଟି ବିଲକୁଲ ଠିକ୍ ଥିଲା ବୋଲି କୁହା ଯାଉଥିବା ବେଳେ ବିରୋଧୀ ଦଳଙ୍କ ପାଇଁ ବିମୁଦ୍ରୀକରଣ ଥିଲା ଏକ କଳଙ୍କ।
ବାସ୍ତବକ୍ଷେତ୍ରରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିର ଏକ ନିରପେକ୍ଷ ମୂଲ୍ୟାୟନ କରିବା କଷ୍ଟ। ତେବେ ସଧାରଣ ଲୋକଙ୍କ ପାଇଁ ବିମୁଦ୍ରୀକରଣ ମନେ ରହିବ କେବଳ ସେହି ତିନି ମାସର ଅସୁବିଧା ପାଇଁ। କାରଣ ଏହି ୩ ମାସରେ ସେମାନଙ୍କୁ ନିଜ ଟଙ୍କା ସକାଶେ ବାରଦୁଆର ଶୁଣ୍ଡିପିଣ୍ଡା ହେବାକୁ ପଡୁଥିଲା।
ନୋଟବନ୍ଦୀର ଏକ ବର୍ଷ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଏକ ବ୍ଲଗରେ ଲେଖିଛନ୍ତି,”ବର୍ଷକ ପରେ ଦେଶରେ ଏବେ ବହୁତ କିଛି ଆଉ ଚାଲୁନାହିଁ। ସେହିଦିନ ଠାରୁ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଦେଶର ଲୋକେ ବେଇମାନି ଓ ଦୁର୍ନୀତି ଯୋଗୁଁ ଅଣନିଶ୍ୱାସି ହୋଇ ପଡ଼ିଥିଲେ।ଏବେ ସେ ସବୁ ଇତିହାସ।”
ମୋଦି ସରକାର ବରାବର କହି ଆସିଛନ୍ତି ଯେ, ନୋଟବନ୍ଦୀର ଦୁଇଟି ଉଦ୍ଦେଶ୍ୟ ଥିଲା। କଳାଧନକୁ ଠାବ କରିବା ଓ ଦେଶର ଅର୍ଥନୀତିକୁ ଡିଜିଟାଲ ଆଡକୁ ନେଇଯିବା।ଜେଟଲି ତାଙ୍କ ବ୍ଲଗରେ ଲେଖିଛନ୍ତି ଏ ଦୁଇଟି ଲକ୍ଷ୍ୟ ଅନେକ ଭାବରେ ହାସଲ କରାଯାଇ ପାରିଛି। ନୋଟବନ୍ଦୀ ପରେ ୧.୭ ଲକ୍ଷ କୋଟି ଟଙ୍କାର ସନ୍ଦେହଜନକ କାରବାର ସାମ୍ନାକୁ ଆସିଛି। ତାଛଡ଼ା ବିପୁଳ ଅଘୋଷିତ ଆୟର ସନ୍ଧାନ ପାଇବାରେ ସଫଳ ହୋଇଛନ୍ତି ସରକାର। ଅର୍ଥମନ୍ତ୍ରୀଙ୍କ ଦାବି ହେଉଛି ଯେ ଏ ବର୍ଷ ୩୪ ଲକ୍ଷ ଅଧିକ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ପ୍ରାୟ ୩ ଲକ୍ଷ ଜାଲ କମ୍ପାନିକୁ ନୋଟିସ ପଠା ଯାଇଛି ଓ ଅନେକ କମ୍ପାନିକୁ ଡିରେଜିଷ୍ଟର୍ଡ କରାଯାଇଛି।
ଭାରତରେ ବିମୁଦ୍ରୀକରଣ ନେଇ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ମତ ଦେଇଛନ୍ତି ଅର୍ଥନୀତିଜ୍ଞମାନେ।କିଛି ବିଶେଷଜ୍ଞ ଏହାକୁ ସମର୍ଥନ ଜଣାଇଛନ୍ତି ତ ଆଉ କିଛି ଏହାକୁ ଏକ ମସ୍ତବଡ଼ ଭୁଲ ବୋଲି କହିଛନ୍ତି।ଦେଶ ଭିତରେ ଗୋଟିଏ ମତ ଜୋରଦାର ହୋଇଛି ଯେ, ନୋଟବନ୍ଦୀ ପରେ ରୋଜଗାର କମିଛି, ଉତ୍ପାଦନ ହ୍ରାସ ପାଇଛି।
ଏହି ସବୁ ମତ – ଦ୍ବିମତ ସତ୍ତ୍ବେ ବିମୁଦ୍ରୀକରଣର ପ୍ରଭାବକୁ କଦାପି ଅଣଦେଖା କରିହେବ ନାହିଁ। ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପର ପ୍ରକୃତ ମୂଲ୍ୟାୟନ କିନ୍ତୁ ହେବ ଯେତେବେଳେ ୨୦୧୯ରେ ସଧାରଣ ନିର୍ବାଚନକୁ ଏନଡିଏ ସରକାର ଓହ୍ଲାଇବେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)
Yes. It’s the time to review. No doubt, demonitization has created massive impact on the life and economy, in what way you look at it. No doubt, the way it was implemented was questioned by almost all segments of the society. And whether it was politically correct or not correct that will be seen soon in Gujarat and also in 2019 across India, hopefully, if people’s memory lasts long. Good story.