(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ସରକାର। ହେଲେ ଏହି ସହାୟତା ଭାଗ ଚାଷୀ ପାଇବେ ନା ଜମି ମାଲିକ ତାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନବାଚୀ।

ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା। ଫସଲ ପୋଡ଼ିଥିବା ଚାଷୀଙ୍କୁ ମଧ୍ୟ ସରକାର ଦେବେ କ୍ଷତିପୂରଣ। ଏହା ଘୋଷଣା କରିଥିଲେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି। ମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଚାଷୀ ମହଲରେ ପଡ଼ିଛି ଭାଳେଣି।

ଚକଡ଼ା ପୋକକୁ ନେଇ ଚାଷୀ ଫସଲ ପୋଡ଼ିବା ପରେ ଅଡ଼ୁଆରେ ପଡ଼ିଥିଲେ ସରକାର। ତୁରନ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଆଉ ଘୋଷଣା ହୋଇଥିଲା ସହାୟତା।

ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଥିବା ବେଳେ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୬, ୮୦୦ ଟଙ୍କା ମିଳିବ ବୋଲି ସରକାର କହିଥିଲେ। ସାର ଓ କୀଟନାଶକ ବାବଦରେ ୭୫ ପ୍ରତିଶତ ରିହାତି ମିଳିବ ବୋଲି ସରକାର କହିଥିଲେ।

ସରକାରଙ୍କ ଏହି ଘୋଷଣାର ଦୁଇ ଦିନ ପରେ ଉଠିଛି ପ୍ରଶ୍ନବାଚୀ। ସରକାର ଘୋଷଣା କରିଥିବା ସହାୟତା କାହା ପାଖକୁ ଯିବ? ଭାଗଚାଷୀ ନା ଜମି ମାଲିକ ଏହି ସହାୟତା ପାଇବେ? କାରଣ ପ୍ରଶାସନ ଉପରେ ଭରସା କରି ନପାରି ବରଗଡ଼ ଜିଲ୍ଲା କଳାପାଣି ଗାଁର ଭାଗଚାଷୀ ବୃନ୍ଦା ସାହୁ ଜୀବନ ହାରିଛନ୍ତି।

ଫସଲରେ ଚକଡ଼ା ପୋକ ଲାଗିବା ପରେ ବୃନ୍ଦା ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ହେଲେ ଷଖଉଁଠୁ ସେ ପାଇ ନଥିଲେ ସହାୟତାର ପ୍ରତିଶ୍ରୁତି। ଫଳରେ ସେ ତାଙ୍କ ଜମିରେ ଜୀବନ ହାରିଲେ। ଏବେ ପ୍ରଶ୍ନ ଉଠୁଛି ସରକାର କାହାକୁ ଦେବେ ଚକଡ଼ା ସହାୟତା?

୨୦୧୫ ମରୁଡି ପ୍ୟାକେଜ ଏପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଚାଷୀ ପାଇ ନାହାନ୍ତି। କେବଳ ବରଗଡ଼ ଜିଲ୍ଲାର ୯୩୮ ଗାଁର ୧୩,୭୫,୫୦ ହଜାର ଚାଷୀ ହୋଇଥିଲେ କ୍ଷତିଗ୍ରସ୍ତ। ହେଲେ ସରକାର ଦେଇଥିବା ସହାୟତା ପାଇଥିଲେ ଜମି ମାଲିକ। ଏଣୁ ଏବେ ସରକାର ଘୋଷଣା କରିଥିବା ସହାୟତା ଉପରେ ଭାଗଚାଷୀ ଭରସା କରିପାରୁ ନାହାନ୍ତି।

ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, “ପ୍ରକୃତ ଚାଷୀଙ୍କୁ ମିଳିବ ସହାୟତା। ଏଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଭାଗଚାଷୀଙ୍କୁ ଚିହ୍ନଟ କରାଯାଉଛି।”

ହେଲେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ସରକାରୀ ସହୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ସରକାର ଏପର୍ଯ୍ୟନ୍ତ ଭାଗଚାଷୀ ଚିହ୍ନଟ କରିପାରି ନାହାନ୍ତି। ଭାଗଚାଷୀଙ୍କୁ ଚିହ୍ନଟ କରିବା ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଥିଲେ ମଧ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି। ପ୍ରଥମେ ସରକାର ଭାଗଚାଷୀ ଚିହ୍ନଟ କରି ସହାୟତା ଦିଅନ୍ତୁ।

Comment