ଶିଶୁ କଳାକାରରୁ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୂମିକା ଦାଶ। ତୁ ମୋ ଲଭ୍‌ ଷ୍ଟୋରୀ ଏବଂ ହିରୋ ନଂ-୧ରେ ଲିଡ୍‌ ଆକ୍ଟ୍ରେସ୍ ଭାବେ ଅଭିନୟ କରି ଜଲୱା ଦେଖାଇଥିବା ଭୂମିକା ଏବେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଶିଶୁ କଳାକାରରୁ ଲିଡ ରୋଲ୍‌ ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ସେ ସମ୍ପର୍କରେ ଭୂମିକା ‘ଓଡ଼ିଶାଲାଇଭ୍‌’କୁ ଦେଇଛନ୍ତି ସ୍ୱତନ୍ତ୍ର ସାକ୍ଷାତକାର।

କମ୍‌ ବୟସରେ ଆପଣ ସଫଳତା ପାଇଛନ୍ତି। ସଫଳତାର ଶ୍ରେୟ କାହାକୁ ଦେବେ?

ଦର୍ଶକଙ୍କ ଭଲ ପାଇବା, ମା’-ବାପାଙ୍କ ପ୍ରେରଣା ଓ ପ୍ରେତ୍ସାହନ ଏବଂ ମୋର କଠିନ ପରିଶ୍ରମ ହିଁ ମୋତେ ସଫଳତା ଆଣିଦେଇଛି। ଶିଶୁ କଳାକାରରୁ ହିରୋଇନ୍‌ ହେବା ପର୍ଯ୍ୟନ୍ତ ମୋତେ ଦର୍ଶକମାନେ ଯେଉଁ ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବା ଦେଇଛନ୍ତି ତାକୁ ମୁଁ ଭୁଲି ପାରିବି ନାହିଁ। କାରଣ ଦର୍ଶକ ହେଉଛନ୍ତି ଆମର ଭଗବାନ।

ଶିଶୁ କଳାକାରରୁ ଲିଡ୍‌ରୋଲ୍‌, କେମିତି ଥିଲା ଏହି ଜର୍ଣ୍ଣି?

ଶିଶୁ କଳାକାର ଭାବେ ମୁଁ ଫିଲ୍ମରେ ଅଭିନୟ କରୁଥିଲି। ଶିଶୁ କଳାକାରରୁ ହଠାତ୍ ମୁଁ କେମିତି ବଡ଼ ହୋଇଗଲି ତାହା ମୁଁ ଜାଣିପାରୁନି। ଶିଶୁ କଳାକାର ଭାବେ ଦର୍ଶକ ମୋ ଅଭିନୟକୁ ପସନ୍ଦ କରିଥିବାରୁ ମୋତେ ଫିଲ୍ମର ଲିଡ ରୋଲ୍ ଅଫର ମିଳିଛି। ନବମ ଶ୍ରେଣୀରେ ପାଠ ପଢ଼ିବା ବେଳେ ମୋତେ ଫିଲ୍ମ ଅଫର ମିଳିଥିଲା। ତେବେ ଶିଶୁ କଳାକାର ଭାବେ ଅଭିନୟ କରିବା ବେଳେ ମୋ ପରିଶ୍ରମ ହିଁ ମୋତେ ଆଜି ଏହି ଜାଗାରେ ପହଞ୍ଚାଇ ପାରିଛି।

ଲିଡ୍‌ ରୋଲରେ ଅଭିନୟ କରି ଆପଣ କେତେ ଖୁସି?

ଯେତେ ଭଲ କାମ କଲେ ବି ମନରେ ଗୋଟେ କିନ୍ତୁ ରହିଯାଏ। ଆଗକୁ ଆହୁରି କେମିତି ଭଲ କାମ କରିବି? ଫିଲ୍ମ ଲାଇନ୍‌ରେ ମୋର ଏପର୍ଯ୍ୟନ୍ତ ଅଭିଜ୍ଞତା ହୋଇନି। ମୋତେ ବହୁତ କିଛି ଶିଖିବାର ଅଛି। କ୍ୟାମେରା, ଲାଇଟ ଏବଂ ଆକ୍ଟିଂ ବିଷୟରେ ଆହୁରି ଜାଣିବାର ଅଛି। ତେବେ ଏତିକି କହିପାରିବି, ଶିଶୁ କଳାକାର ଭାବେ ଯେତେବେଳେ ମୁଁ ପ୍ରଥମେ ଅଭିନୟ କରିଥିଲି ସେତେବେଳେ ଅଭିନୟ କଣ ଜାଣି ନଥିଲି। ମୋତେ ଯାହା ସ୍କ୍ରିପ୍ଟ ଦିଆଯାଉଥିଲା ଏବଂ ବୁଝା ଯାଉଥିଲା ତାହା ହିଁ ମୁଁ କ୍ୟାମେରା ଆଗରେ କହୁଥିଲି। ହେଲେ ବଡ଼ ହେବା ପରେ ମୁଁ ଧୀରେଧୀରେ ସବୁ ଶିଖୁଛି।

କେଉଁ ଫିଲ୍ମ ଆପଣଙ୍କୁ ଆତ୍ମସନ୍ତୋଷ ଦେଇଛି?

ମୁଁ ୫ଟି ଫିଲ୍ମରେ ଅଭିନୟ କରିଛି। ୩ଟି ଫିଲ୍ମ ଶିଶୁ କଳାକାର ଭାବେ କରିଥିବା ବେଳେ ୨ଟିରେ ଅଭିନୟ କରିଛି। ଶିଶୁ କଳାକାର ଭାବେ ରୁମ୍‌କୁ ଝୁମାନା, ଗପ ହେଲେବି ସତ ଏବଂ ପାରିବେନି କେହି ଅଲଗା କରି ଫିଲ୍ମରେ ଅଭିନୟ କରିଛି। ଲିଡ୍‌ ଆକ୍ଟ୍ରେସ୍‌ ଭାବେ ତୁ ମୋ ଲଭ୍‌ ଷ୍ଟୋରୀ ଏବଂ ହିରୋ ନଂ-୧ ରେ ଅଭିନୟ କରିଛି। ସବୁ ଫିଲ୍ମରେ କିଛି ଭିନ୍ନ ଅନୁଭୂତି ରହିଛି ଏବଂ ଅଲଗା ଅଲଗା କ୍ୟାରେକ୍ଟରରେ ଅଭିନୟ କରିବାର ସୁଯୋଗ ମିଳିଛି। କିନ୍ତୁ ମୋର ପ୍ରଥମ ଫିଲ୍ମ ରୁମ୍‌କୁ ଝୁମାନା ମୋ ପାଇଁ ସବୁବେଳେ ସ୍ମୃତି ହୋଇ ରହିବ। କାରଣ ରୁମ୍‌କୁ ଝୁମାନା ଫିଲ୍ମର ଷ୍ଟୋରୀ ଭଳି ଷ୍ଟୋରୀ ମୁଁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ପାଇନି। ତୁ ମୋ ଲଭ୍‌ ଷ୍ଟୋରୀ ଫିଲ୍ମରେ ମୁଁ ବହୁତ ଏନ୍‌ଜଏ କରିଛି ଏବଂ ଭଲ ଆକ୍ଟିଂ କରିବାକୁ ଚେଷ୍ଟା କରିଛି। ଏହି ଫିଲ୍ମରେ ମୁଁ ଆତ୍ମସନ୍ତୋଷ ପାଇଛି।

ଫିଲ୍ମରେ କାହା ସହ କମ୍‌ଫର୍ଟ ଫିଲ୍‌ କରନ୍ତି?

ଫିଲ୍ମରେ ଅଭିନୟ କରିବା ପୂର୍ବରୁ ମୁଁ ପ୍ରଥମେ ପଡକ୍ନନ୍ ହାଉସର ବ୍ୟାନରକୁ ଦେଖେ। ଏହାସହ ଫିଲ୍ମରେ ମୋର ଭୂମିକା କଣ ଏବଂ ସହଯୋଗୀ ଆକ୍ଟର କିଏ ଅଛନ୍ତି ତାହାକୁ ମଧ୍ୟ ମୁଁ ବିଚାର କରିଥାଏ। ସୁଟିଂ ସେଟ୍‌ରେ ମୁଁ ମୋ ମେକ୍‌ଅପ୍‌ ଏବଂ ହେୟାର୍‌ ଷ୍ଟାଇଲ୍‌ ପ୍ରତି ଅଧିକ ଧ୍ୟାନ ଦେଇଥାଏ। ସ୍ୱରାଜ ଏବଂ ବାବୁସାନ୍‌ଙ୍କ ସହ ଆକ୍ଟିଂ କରିବା ବେଳେ ମୁଁ କମ୍‌ଫର୍ଟ ଫିଲ୍‌ କରିଥାଏ। କାରଣ ସେମାନେ ବହୁତ ମସ୍ତି କରନ୍ତି ଏବଂ ସହଯୋଗ ବି କରନ୍ତି।

ପାଠପଢ଼ା ସହ ଅଭିନୟକୁ କେମିତି ମ୍ୟାନେଜ କରନ୍ତି?

ଏହି ପ୍ରଶ୍ନଟି ମୋତେ ମୋ ସାଙ୍ଗମାନେ ସବୁବେଳେ ପଚାରିଥାନ୍ତି। ହେଲେ ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନଥାଏ। ହେଲେ ଏତିକି କହିବି, ମୁଁ ପାଠ ପଢ଼ିବା ବେଳେ ପାଠରେ ମନ ଦେଇଥାଏ, ଡ୍ୟାନ୍ସ ବେଳେ ଡ୍ୟାନ୍ସ ଏବଂ ଅଭିନୟ କରିବା ବେଳେ ଅଭିନୟକୁ ଗୁରୁତ୍ୱ ଦେଇଥାଏ। ପାଠ-ଡ୍ୟାନ୍ସ-ଅଭିନୟ ନିଜ ନିଜ ଜଗାରେ ରହିଥାନ୍ତି। ଏମାନଙ୍କୁ ମୁଁ କେବେ ଏକାଠି ମିଶାଇବାକୁ ଚାହିଁନି। ମୁଁ ଯେତେବେଳେ ଯାହା ବି କରେ ନିଷ୍ଠାର ସହ କରେ। ପାଠ ଏବଂ ଅଭିନୟକୁ ମୁଁ ଏବେ ଯେମିତି ମେଣ୍ଟେନ୍‌ କରୁଛି ଆଗକୁ ମଧ୍ୟ ତାହା ଜାରି ରହିବ।

ବଲିଉଡରେ ପ୍ରବେଶ କରିବାର ଇଚ୍ଛା ଅଛି କି?

ବଲିଉଡରେ ଏକ ଭିନ୍ନ ଲାଇଫ୍ ଷ୍ଟାଇଲ୍‌ ଅଛି। ଏହାକୁ ପ୍ରଥମେ ଆପଣାଇବାକୁ ପଡ଼ିବ। ମୁଁ ଜଣେ ଓଡ଼ିଆ ଝିଅ ହୋଇଥିବାରୁ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ସହ ମୁଁ ବାନ୍ଧି ହୋଇରହିଛି। ଯଦି ବି ବଲିଉଡରୁ ଅଫର୍‌ ଆସେ ତାହାଲେ ମୁଁ ଭଲଭାବେ ଚିନ୍ତା କରି ଷ୍ଟେପ୍‌ ନେବି।

ଆଗକୁ କେଉଁ ଫିଲ୍ମ ଆସୁଛି?

ଆଗକୁ ମୋର ମାଟ୍ରିକ ପରୀକ୍ଷା ଆସୁଛି। ଏଥିପାଇଁ ମୁଁ ପ୍ରସ୍ତୁତି ହେଉଛି। କାରଣ ମାଟ୍ରିକ ପରୀକ୍ଷା ହେଉଛି ଏକ ଟର୍ଣ୍ଣିଂ ପଏଣ୍ଟ। ଏଣୁ ମାଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ମୁଁ ଫିଲ୍ମଠାରୁ କିଛି ସମୟ ଦୂରେଇ ରହିବାକୁ ଚାହୁଁଛି। ଦର୍ଶକମାନେ ତାଙ୍କ ଭଲପାଇବା ସେମିତି ମୋ ପ୍ରତି ରଖିଥାନ୍ତୁ।

କେଉଁ ବିଷୟରେ ପାଠ ପଢ଼ିବାକୁ ଭଲ ଲାଗେ?

ସବୁ ବିଷୟ ମୋତେ ଲାଗେ। ଗଣିତ ପଢ଼ିବା ବେଳେ ଗଣିତ, ବିଜ୍ଞାନ ବେଳେ ବିଜ୍ଞାନ ଏବଂ ଇଂରାଜୀ ପଢ଼ିବା ବେଳେ ଇଂରାଜୀ ମୋତେ ଭଲ ଲାଗେ। ହେଲେ ଗଣିତ ପ୍ରତି ମୁଁ ସବୁବେଳେ ଅଧିକ ଧ୍ୟାନ ଦେଇଥାଏ। କାରଣ ଘରେ ବସିଥିବା ବେଳେ ଅଧିକାଂଶ ସମୟ ମୁଁ ଗଣିତ ପ୍ରାକ୍ଟିସ୍ କରିଥାଏ।

ଓଡ଼ିଶୀ ନୃତ୍ୟ ସମ୍ପର୍କରେ କ’ଣ କହିବେ?

ଓଡ଼ିଶୀ ନୃତ୍ୟ ହେଉଛି ମୋ ଜୀବନର ଏକ ଅଭିନ୍ନ ଅଙ୍ଗ। ଏହାକୁ ମୁଁ କେବେ ଛାଡ଼ିପାରିବି ନାହିଁ। ଅଭିନୟକୁ ଆସିବା ପଛରେ ମୁଁ ଭାବୁଛି ଓଡ଼ିଶୀ ନୃତ୍ୟ ହିଁ ମୋର ପ୍ରେରଣା। କାରଣ ଓଡ଼ିଶୀ ନୃତ୍ୟରେ ଯେଉଁ ଭାବ, ଲୟ ରହିଥାଏ ତାହା ମୋତେ ଆକ୍ଟିଂରେ ସହଯୋଗ କରିଛି। ଓଡ଼ିଶୀରେ ମୁଁ ଯେତିକି ସଫଳତା ପାଇଛି ସେଥିପାଇଁ ମୋ ଗୁରୁ ପ୍ରଶାନ୍ତ କୁମାର ବେହେରା ଏବଂ ଅରୁଣା ମହାନ୍ତିଙ୍କୁ ଶ୍ରେୟ ଦେଉଛି। ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମସ୍ତ ଗୁରୁ ଏବଂ ମୋ ବାପା-ମାଆଙ୍କୁ ବି ମୁଁ ସଫଳତାର ଶ୍ରେୟ ଦେବାକୁ ଚାହିଁବି।

ମାଟ୍ରିକ ପରେ ଆପଣ କ’ଣ ପଢ଼ିବେ?

ଦଶମ, ଏକାଦଶ ଏବଂ ଦ୍ୱାଦଶ ପରୀକ୍ଷା ହେଉଛି ଜୀବନର ଏକ ପ୍ରମୁଖ ଅଙ୍ଗ। ତେବେ ମୁଁ କ’ଣ ପଢ଼ିବି ତାକୁ ନେଇ ମୋତେ ବହୁତ ଚିନ୍ତା କରିବାର ଅଛି। କିଛି ଲୋକ ମୋତେ କମର୍ସ ଏବଂ ସାଇନ୍ସ ପଢ଼ିବାକୁ ପରାମର୍ଶ ଦେଇଛନ୍ତି। ହେଲେ ମୋତେ ଏ ଦିଗରେ ଅଧିକ ଚିନ୍ତା କରିବାକୁ ପଡ଼ିବ।

(ସାକ୍ଷାତକାର: ସତ୍ୟବ୍ରତ ପାଢୀ)

Comment