ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଲାଗି ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’। ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ବିଭିନ୍ନ ହଲ୍‌ରେ ଗୁରୁବାର ମୁକ୍ତିଲାଭ କରିଛି।

ଏହି ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତା ରହିଛି। ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି। ଜଣେ ଗରିବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି । ଏଭଳି ଏକ ନୂତନ କାହାଣୀ ଉପରେ ଫିଲ୍ମଟି ଆଧରେିତ ହୋଇଛିା

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।

ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ। ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ। ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍। ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଏବଂ ସଞ୍ଜୟ ନାୟକ ରଚନା କରିଥିବାବେଳେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଳଦୀପ, ଅସିମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା।

କରୋନା ଯୋଗୁଁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା। ତେଣୁ ପୁଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା । ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

Comment