(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଏସ୍‌.ସି ଜମିର୍ ବୁଧବାର ଦିନ ଏହି ନିଯୁକ୍ତି ଦେଇଛନ୍ତି। ୨୦୧୪ ମସିହାରୁ ଏଯାବତ୍ ପ୍ରଫେସର ତ୍ରିପାଠୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେବ। ପ୍ରଫେସର ତ୍ରିପାଠୀ ଆଇଆଇଟି ଖଡଗପୁରରୁ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂରେ ଏମ୍‌ଟେକ୍ ଏବଂ ପାରାଲାଲ୍ ପ୍ରୋସେସିଂରେ ପିଏଚ୍‌ଡି ଲାଭ କରିଛନ୍ତି।

ପ୍ରଫେସର ତ୍ରିପାଠୀ ପୂର୍ବରୁ ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏକାଡେମିକ୍ ଆଫେୟାର୍ସ ଡିନ୍ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଓ ଜେଇଇର ଉପାଧ୍ୟକ୍ଷ ଆଦି ପଦବୀରେ ସଫଳତାର ସହ କାର୍ଯ୍ୟ କରି ସାରିଛନ୍ତି। ଦୀର୍ଘ ୩୨ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ସହିତ ୧୧ ବର୍ଷର ପ୍ରଶାସନିକ ଅଭିଜ୍ଞତା ହାସଲ କରିଥିବା ପ୍ରଫେସର ତ୍ରିପାଠୀ ମୋଟ୍ ୬୧ଟି ଗବେଷଣାମୂଳକ ସନ୍ଦର୍ଭ ଓ ବିଭିନ୍ନ ଜୋର୍ନାଲରେ ତାଙ୍କର ଲେଖା ପ୍ରକାଶିତ ହୋଇଛି।

ବିପିୟୁଟିର କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ କହିଛନ୍ତି ଯେ ବିପିୟୁଟିରେ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ନିମନ୍ତେ ମୁଁ ପ୍ରୟାସ କରିବି ଏବଂ ଏହି ବିପିୟୁଟିକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ମୋ ଲକ୍ଷ୍ୟ ରହିବ। ଛାତ୍ରଛାତ୍ରୀମାନେ କିପରି ଜାତୀୟ ସ୍ତରରେ  ନିଯୁକ୍ତି ପାଇବେ ସେସମ୍ପର୍କରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ଏହି ସପ୍ତାହ ମଧ୍ୟରେ ସେ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି।

Comment