ଓଡ଼ିଶାଲାଇଭ୍‍ ବ୍ୟୁରୋ

କିଆ ଫ୍ୟାସନ ସୋ’ର ଦ୍ୱିତୀୟ ଅଧିବେଶନ ଭୁବନେଶ୍ୱରସ୍ଥିତ ମେ ଫେୟାର୍ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ୟାସନ ସୋ’ରେ ଏସିଡ୍ ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ଝିଅମାନେ ରାମ୍ପରେ ଚାଲିଥିଲେ।

ଆଗ୍ରା ଓ ଲକ୍ଷ୍ନୌସ୍ଥିତ ସିରୋଜ କାଫେରେ ଏହି ଝିଅମାନେ କାମ କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ରନ୍ ଫାଉଣ୍ଡେସନ୍ ଏସିଡ ଆକ୍ରାନ୍ତ ଝିଅମାନଙ୍କ ଥଇଥାନ ପାଇଁ କାର୍ଯ୍ୟରତ। କିଆ ଫ୍ୟାସନ ସୋ’ର ଅନ୍ୟ ଏକ ଆକର୍ଷଣ ସାଜିଥିଲେ ବଲିଉଡ ତାରକା ଟିସ୍‌କା ଚୋପ୍ରା। ପରିଚୟ ଫାଉଣ୍ଡେସନର ଏପରି ଏକ ଅଭିନବ ଫ୍ୟାସନ ସୋ’କୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ୟମାନଙ୍କ ବ୍ୟତୀତ ବର୍ଷିଆନ୍ ଅଭିନେତା ବିଜୟ ମହାନ୍ତି, ମୀରା ପରିଡ଼ା ଓ ଲିଟିଲ୍ ମିସ୍ ୟୁନିଭର୍ସ ପଦ୍ମାଳୟା ନନ୍ଦ ଏସିଡ୍‍ ଆକ୍ରାନ୍ତ ଝିଅମାନଙ୍କ ସହ ରାମ୍ପରେ ଚାଲିଥିଲେ।

ଗତବର୍ଷ ଆରମ୍ଭ ହୋଇଥିବା ଅଳକାନନ୍ଦା ସ୍କଲାରସିପରେ ପାଠ୍ୟରତା ଝିଅମାନଙ୍କ ମଧ୍ୟରୁ ଛଅଜଣ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏକ ନୃତ୍ୟ ପରିବେଷଣ କରିଥିଲେ।

“ଅଧାରୁ ପାଠ ଛାଡ଼ିଥିବା ଝିଅମାନଙ୍କୁ ପୁଣି ପାଠ ପଢ଼ାଇବା ଆମର ଲକ୍ଷ୍ୟ। ଗତବର୍ଷ ଏହି ସ୍କଲାରସିପରେ ୫୯ ଜଣ ପାଠ ପଢ଼ି ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଏବର୍ଷ ମଧ୍ୟ ସେହିପରି ପ୍ରାୟ ୬୦ ଜଣ ପିଲାଙ୍କୁ ପାଠ ପଢ଼ାଇବାର ଯୋଜନା ରହିଛି”, କହିଛନ୍ତି ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର। ଏପରି କାର୍ଯ୍ୟକ୍ରମ ଦ୍ୱାରା ଯେଉଁ ଧନରାଶି ଏକାଠି ହୁଏ, ତାକୁ ଅଳକାନନ୍ଦା ସ୍କଲାରସିପ୍ ମାଧ୍ୟମରେ ପିଲାମାନଙ୍କ ପଢ଼ିବା ପାଇଁ ଖର୍ଚ୍ଚ କରାଯାଇଥାଏ ବୋଲି ସେ ମତ ଦେଇଛନ୍ତି।

ଏହି ଅବସରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଏସିଡ୍‍ ଆକ୍ରାନ୍ତ ଝିଅମାନଙ୍କ ଥ‌ଇଥାନ ପାଇଁ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here