ଭାସ୍କର ପରିଛା

ରସଗୋଲା ଯୁଦ୍ଧରେ ସତରେ କ’ଣ ଆମେ ଓଡ଼ିଆମାନେ ହାରିଯାଇଛୁ? ସୂଚନାର ନଦ୍ୟତନୀକରଣ (ଅନଅପଡେଟିଂ) ଓ ଅତି-ପ୍ରତିକ୍ରିୟା (ଓଭରରିଆକ୍ସନ) ଭିତରେ ଅସଲ କଥାଟି ଲୁଚି ଯାଇଛି ବୋଲି ମନେହୁଏ। ପ୍ରକୃତରେ ରସଗୋଲା ବଙ୍ଗଳାର ହୋଇଗଲା ବୋଲି ଯେଉଁ ଖବରଟି ମଙ୍ଗଳବାର ଦିନତମାମ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଲା,  ସେହି ଖବରଟି କିଛି ଆଶ୍ୱାସନା ମଧ୍ୟ ସାଙ୍ଗରେ ନେଇ ଆସିଛି। ଆଶ୍ୱାସନାଟି ହେଉଛି ପଶ୍ଚିମବଙ୍ଗ ସରକାର ଯେଉଁ ଜିଆଇ ଟ୍ୟାଗ ପାଇଲେ ତାହା ‘ବାଙ୍ଗଲା ରସଗୁଲା’ ପାଇଁ, ‘ଓଡ଼ିଆ ରସଗୋଲା’ ପାଇଁ ନୁହେଁ। ଛାତିରେ ହାତ ରଖିବା ଭଳି କଥାଟି ହେଲା ‘ଓଡ଼ିଶା ରସଗୋଲା’ ପାଇଁ ସମୟ ଚାଲିଯାଇନାହିଁ।

ଏ ସମ୍ପର୍କରେ ଟିକିଏ ପଛକୁ ଫେରି ଯଦି ଆମେ ଦେଖିବା, ଆମେ ଦାବି କରୁଛୁ ଯେ ରସଗୋଲା ନାମକ ମିଠାର ଉତ୍ପତ୍ତି ଓଡ଼ିଶାରେ ଏଣୁ ଓଡ଼ିଶାକୁ ଏହାର ଜିଆଇ ଟ୍ୟାଗ ଦିଆଯାଉ। ଏହି ଦାବିରେ ଯାହାକୁ କୁହାଯାଏ କିଛି ବୈଷୟିକ ତ୍ରୁଟି ରହିଯାଇଛି। ଜିଆଇ ଟ୍ୟାଗ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସାମଗ୍ରୀ ଉପରେ ମିଳିଥାଏ, ମୂଳ ଦ୍ରବ୍ୟ ଉପରେ ନୁହେଁ। ‘କାଶ୍ମୀର’ର ‘ପସ୍ମିନା’ ସାଲକୁ ଜିଆଇ ଟ୍ୟାଗ ମିଳିଛି, କିନ୍ତୁ ସାଲକୁ ନୁହେଁ। କାରଣ ବହୁ ସ୍ଥାନରେ ସାଲ ତିଆରି ହୋଇଥାଏ।ରସଗୋଲା କଥାଟି ବି ବୋଧହୁଏ ସେୟା।

୨୦୧୫ ମସିହା ଜୁଲାଇ ମାସରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ପାହାଳ ରସଗୋଲା’କୁ ଜିଆଇ ଟ୍ୟାଗ ସକାଶେ ଯେତେବେଳେ ଆବେଦନ କରାଗଲା, ତା’ପରେ ପରେ ଏନେଇ ବିବାଦ ସୃଷ୍ଟି ହେଲା ଏବଂ ପଶ୍ଚିମବଙ୍ଗ ଏହି ଲଢ଼େଇରେ ସାମିଲ ହେଲା। ଠିକ୍ ଭାବରେ ଲଢ଼ିବା ଓ ଦରଖାସ୍ତ ପକାଇବାରେ କୌଣସି ତ୍ରୁଟି ନଥିବା କାରଣରୁ ପଶ୍ଚିମବଙ୍ଗକୁ ଟ୍ୟାଗଟି ମିଳିଗଲା, ଆଉ ଆମେ ପଛରେ ପଡ଼ିଗଲେ।

ଯାହା ଖବର ମିଳିଛି ରସଗୋଲାକୁ ବୌଦ୍ଧିକ ଅଧିକାର ପ୍ରଦାନ ପାଇଁ ଚେନ୍ନାଇରେ ଥିବା ସମ୍ପୃକ୍ତ ଅଫିସରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏ ଯାଏଁ ଆବେଦନ ବି କରାଯାଇନାହିଁ, ଜିଆଇ ଟ୍ୟାଗ ମିଳିବା ତ ପରର କଥା।

ଏହାର କାରଣ ଫାଇଲ ଠେସାଠେସି। ବିଭିନ୍ନ ପ୍ରସଙ୍ଗରେ ଆମେ ଓଡ଼ିଶାରେ ଏହି କଥାଟି ହିଁ ଦେଖୁଛୁ। ପୋଲାଭରମ୍ ହେଉ କି ମହାନଦୀ ପ୍ରସଙ୍ଗ ହେଉ କି ଅବା ବର୍ତ୍ତମାନର ରସଗୋଲା କଥା ହେଉ ଠିକଣା ସମୟରେ ଓ ଠିକଣା ଢଙ୍ଗରେ ପଦକ୍ଷେପ ନ ନେବା ଫଳରେ ଆମେ ଅନେକ ଦାବି ହାତଛଡ଼ା କରିଆସିଛୁ।

ରସଗୋଲାର ଉତ୍ପତ୍ତିକୁ ନେଇ କଥା ଉଠିବା ପରେ ଓଡିଶା ସରକାର ୩ଟି କମିଟି ଗଠନ କଲେ। ରସଗୋଲା ଓଡିଶାର ବୋଲି ପ୍ରମାଣ କରିବାକୁ ଯାଇ ଗବେଷକ ଅସିତ ମହାନ୍ତି ଢ଼େର କସରତ କରିଛନ୍ତି।ବିଭିନ୍ନ ଦଲିଲ ଓ କାଗଜ ପତ୍ରର ଆଧାରରେ ସେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ ପଞ୍ଚଦଶ ଶତାବ୍ଦୀରୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରସଗୋଲା ଭୋଗଲାଗି ପରମ୍ପରା ରହି ଆସିଛି ଓ  ବିଶେଷ କରି ନୀଳାଦ୍ରି ବିଜେ ସମୟ ରେ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।ଭଲ କଥା ଓ ଭଲ ଗବେଷଣା ନିଶ୍ଚିତ ଭାବରେ।

ତେବେ ଏହିଭଳି ଗବେଷଣାକୁ  ଆଗେଇନେବା, ତାହାକୁ କାର୍ଯ୍ୟକାରୀ କରିବା ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ମଞ୍ଚରେ ଉପସ୍ଥାପନ କରିବା କାମଟି ହେଉଛି ସରକାରଙ୍କର ବା ଆହୁରି ସ୍ପଷ୍ଟ ଭାବରେ କହିଲେ ଅଫିସରମାନଙ୍କର।

ଖବର ଅନୁସାରେ, ରସଗୋଲା ପାଇଁ ଜିଆଇ ଟ୍ୟାଗ ଉଦ୍ୟମଟି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଦୁଇବର୍ଷ ତଳେ ପ୍ରଥମେ ଆରମ୍ଭ ହୋଇଥିଲା।ପରେ ଏହାକୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗକୁ ପଠେଇ ଦିଆଗଲା।

ଏମଏସଏମଇ ବିଭାଗ ଏହି ଝମେଲାରେ ନପଶି  ଚେନ୍ନାଇର ଜିଆଇ କର୍ତୃପକ୍ଷଙ୍କ ପାଖରେ ଦାବି ରଖିବା ଦାୟିତ୍ୱଟି କେନ୍ଦ୍ର ଟୁଲ ରୁମ୍ ଓ ଟ୍ରେନିଂ ସେଣ୍ଟରକୁ ହସ୍ତାନ୍ତର କରିଦେଲେ। ଦୀର୍ଘ ଦେଢ଼ ବର୍ଷ କାଳ କିଛି କୁଆଡ଼େ ନ ହେବା ଫଳରେ ଦାବିଟି ଚେନ୍ନାଇରେ ପହଞ୍ଚିପାରିଲା ନାହିଁ ଏବଂ ପଶ୍ଚିମବଙ୍ଗ ରସଗୋଲା ଦାବିରେ ସଫଳ ହେଲା।

ଓଡ଼ିଶା ସରକାରଙ୍କ ପ୍ରଶାସକମାନେ କେତେ ପାରିବାର ଏଥିରୁ ସ୍ପଷ୍ଟ। ରସଗୋଲାକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯିବ ଅଥଚ ସେଣ୍ଟ୍ରାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟର (ସିଟିସିସି)କୁ ଏହି ଦାୟିତ୍ୱ ଦିଆଯିବ – ଏହାଠାରୁ ବଳି ଉଦାସୀନତା ଆଉ କ’ଣ ଥାଇପାରେ?

ଭୁବନେଶ୍ୱର ପଟିଆ –ଇନ୍‌ଫୋସିଟି ରାସ୍ତାରେ ଥିବା ଏହି ଟ୍ରେନିଂ ସେଣ୍ଟେରଟି କେନ୍ଦ୍ର ସରକାର, ଓଡ଼ିଶା ସରକାର ଓ ଡେନମାର୍କ ସରକାରଙ୍କ ଦ୍ୱାରା ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଏକ ସଂସ୍ଥା ଯାହାର କାମ ହେଉଛି ବିଭିନ୍ନ ଯନ୍ତ୍ରପାତି ଓ ଉପକରଣ ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଓ ତାଲିମ ଦେବା। ଅବଶ୍ୟ ପେଟେଣ୍ଟ, ଟ୍ରେଡ଼ମାର୍କ ଓ ଡିଜାଇନ ପଞ୍ଜିକରଣ ମଧ୍ୟ ଏହି ସେଣ୍ଟରର ଦାୟିତ୍ୱ। କିନ୍ତୁ ରସଗୋଲା କ’ଣ ଗୋଟିଏ ଯନ୍ତ୍ରପାତି?

ଶୁଣାଯାଉଛି ସିଟିଟିସି ପକ୍ଷରୁ ରସଗୋଲାକୁ ନେଇ ଏକ ରୋଡମ୍ୟାପ୍ ତିଆରି କରାଯାଇଛି ଓ ରିପୋର୍ଟଟି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ରସଗୋଲା ପ୍ୟାଟେଣ୍ଟ ସମ୍ପର୍କିତ  ସମସ୍ତ ପ୍ରକାର ଆଶଙ୍କାକୁ ଭିତ୍ତିହୀନ ବୋଲି କହିବା ସହିତ ଖୁବ୍ ଶୀଘ୍ର ଓଡିଶାକୁ ରସଗୋଲା ପାଇଁ ଜିଆଇ ଟ୍ୟାଗ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ହେଲେ ଅସଲ କଥାଟି ହେଉଛି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଓଡ଼ିଶାର ମନ୍ତ୍ରୀ  ଓ ପ୍ରଶାସକମାନେ ଆଦୌ ଆଗେଇ ପାରୁନାହାନ୍ତି। ପରାଜୟ, ପଛଘୁଞ୍ଚା ଓ ଅପମାନ ସତେ ଯେମିତି ଆମର କପାଳ ଲିଖନ!

 

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment