ଭାସ୍କର ପରିଚ୍ଛା

ଓଡ଼ିଶାରେ ଚାଷ, ଚାଷୀ ଆତ୍ମହତ୍ୟା ଓ ସରକାରୀ ବ୍ୟବସ୍ଥା ଉପରେ ଏକ ଅନୁଧ୍ୟାନ।

ପ୍ରଥମେ ମରୁଡି, ପରେ ଚକଡା ପୋକ ଆକ୍ରମଣ ଓ ଏବେ ଲଘୁଚାପଜନିତ ବର୍ଷା। ଓଡ଼ିଶାର ଚାଷୀକୂଳ ଏଭଳି ବିପର୍ଯ୍ୟୟ ନିକଟ ଅତୀତରେ କେବେ ଅଙ୍ଗେ ନିଭାଇଥିଲେ ତାହା ମନେପକାଇ ହେଉନାହିଁ। ନିଶ୍ଚିତ ଭାବରେ ଓଡ଼ିଶା ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟ ଓ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥା’ନ୍ତି ଚାଷୀ। ଚାଷୀ ଅର୍ଥାତ ଯେଉଁମାନେ ପ୍ରକୃତ ଚାଷ କରନ୍ତି, ଅନୁପସ୍ଥିତ ଚାଷୀ ନୁହେଁ।

ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଏକ ବାର୍ଷିକ ଘଟଣା। କାହା ମନରେ ଏଣିକି ଏହି ଆଶା ଆଉ ରହିବା ଉଚିତ ନୁହେଁ ଯେ ଚାଷ ପାଇଁ ଭଲ ଦିନ ଆସିବ ଓ ଚାଷୀ ମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଘଟିବ।

ବିଗତ ଦୁଇମାସ ଧରି ଓଡ଼ିଶାର ଚାଷୀ ଯେଉଁ ବିପର୍ଯ୍ୟୟର ସାମ୍ନା କରୁଛନ୍ତି ତାହା ବର୍ଣ୍ଣନା କରିବା ଆବଶ୍ୟକ ନାହିଁ। ପ୍ରଥମେ ଆସିଲା ମରୁଡି। ୧୫ ଜିଲ୍ଲାର ୬ ହଜାର ଗାଁରେ ୩ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଥିଲା। ତା’ ପରେ ଆସିଲା ଚକଡା ପୋକ ଦାଉ। ୯ଟି ଜିଲ୍ଲାରେ ୮ ହଜାର ଗାଁରେ ୨ ଲକ୍ଷ ହେକ୍ଟର ଜମିରେ ଠିଆ ହୋଇଥିବା ଫସଲକୁ ଆତ୍ମସାତ କଲେ କୀଟ। ବାକି ଯାହା ଖରିଫ ଫସଲ ଅମଳ ଶେଷ ହେବା ପାଇଁ ଥିଲା ତାହା ଅସମୟ ବର୍ଷାରେ ଧୋଇ ହୋଇ ଗଲା।ମୋଟ ଉପରେ କହିଲେ ଏ ବର୍ଷ ଖରିଫ ଫସଲ ଗୋଲ।

ଫସଲ ନଷ୍ଟର ଫଳସ୍ୱରୂପ ଏଯାଏଁ ୮ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏ ସମସ୍ତେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ।ଯାହା ବୃନ୍ଦା ସାହୁଙ୍କଠାରୁ ଆରମ୍ଭ ହୋଇଥିଲା ତାହା ଆଉ ଜଣେ ସାହୁଙ୍କ ପାଖରେ ଶେଷ ହୋଇଛି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ କେବଳ ୬ ଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ମହାଜନଠାରୁ ଋଣ ନେଇଥିଲେ, ଚାଷ ନଷ୍ଟ ହେବା ପରେ ଏହି ଋଣ ଶୁଝି ନ ପାରିବାର ଭୟ। କେବଳ ଏ ବର୍ଷର ଋଣ ନୁହେଁ ପୂର୍ବ ବର୍ଷର ଋଣ ମଧ୍ୟ ଥାଇପାରେ। ଏ ହେଉଛି ଅସରନ୍ତି କାହାଣୀ।

ଓଡ଼ିଶାରେ ଚାଷ ହେଉଛି ଲୋକଙ୍କ ମୁଖ୍ୟ ଜୀବିକା।ଲାଭଜନକ ନହେବା ସତ୍ତ୍ୱେ ଓ ଫସଲ ନଷ୍ଟ ହେବାର ଆଶଙ୍କା ବରାବର ରହୁଥିବ ସତ୍ତ୍ୱେ ୭୫ ପ୍ରତିଶତ ଲୋକ ଚାଷ ପଛରେ ଧାଇଁଥା’ନ୍ତି। ଏହାଙ୍କ ମଧ୍ୟରୁ ୮୫ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ ସେମାନଙ୍କ ପାଖରେ ଯେଉଁ ଜମି ଅଛି ତାହା ଗୋଟିଏ ଏକରରୁ ତିନି ଏକର ମଧ୍ୟରେ।

ମରୁଡିରେ ନଷ୍ଟ ହୋଇଯାଇଥିବା ୨୦୧୭ ଖରିଫ ଫସଲ ପାଇଁ ସରକାର ଇତି ମଧ୍ୟରେ କ୍ଷତିପୂରଣ ଘୋଷଣା କରିଛନ୍ତି। ପୋକଜନିତ ଫସଲ ହାନି ପାଇଁ ମଧ୍ୟ ରିହାତି ଘୋଷଣା କରାଯାଇଛି। ବର୍ଷାରେ କେତେ ଫସଲ ନଷ୍ଟ ହୋଇଛି ତାହାର ଆକଳନ ପରେ ପୁଣି ଥରେ କ୍ଷତିପୂରଣ ଘୋଷଣା ହେବ। ଇଏ ଏକ ଧରାବନ୍ଧା କଥା। ଏଥିରେ ଯେଉଁ ରାଜନୀତି କରାଯାଉଛି ସେ ଆଡ଼କୁ ଆମେ ଆଦୌ ଯିବା ନାହିଁ।

ଅସଲ ସମସ୍ୟା ହେଉଛି କ୍ଷତିପୂରଣ ସମେତ ଅନ୍ୟ ଯେଉଁ ସବୁ ପଦକ୍ଷେପ ସରକାର ନେଇଛନ୍ତି ତାହା ଖୁବ୍ କମ ଓ ଖୁବ୍ ବିଳମ୍ବରେ ଆସିଛି। ମରୁଡ଼ି କଥା ବୁଝି ହେଉଛି। ଏଥିରେ କାହାର କିଛି କରିବାର ନାହିଁ। ସେହିଭଳି ଲଘୁଚାପ ବର୍ଷା ଯୋଗୁଁ ଚାଷୀ ହରାଇଥିବା ଫସଲ। କିନ୍ତୁ ଚକଡା ପୋକ ମାମଲାରେ ସରକାରୀ କଳ ଜାଣିଥା’ନ୍ତୁ କି ନା ଚାଷୀମାନେ ନିଶ୍ଚିତ ଭାବରେ ଜାଣିଥିଲେ। ସେପ୍ଟେମ୍ବର ମାସ ଶେଷ ବେଳକୁ ବିଭିନ୍ନ ଜିଲ୍ଲାରେ ଚକଡା ପୋକ ଲାଗିବା ଆରମ୍ଭ ହେବା ପରେ କୃଷି ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ଚାଷୀ। କିନ୍ତୁ ସେମାନଙ୍କୁ କୁହାଗଲା କୀଟନାଶକ ଔଷଧ ଗଚ୍ଛିତ ନାହିଁ।

ପ୍ରକୃତ କଥାଟି ହେଉଛି ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏବର୍ଷ ରିହାତି କୀଟନାଶକର ପରିବଣ୍ଟନ ଦାୟିତ୍ୱ ଏକ ଘରୋଇ କମ୍ପାନିକୁ ଦେଇଥିଲେ। କିନ୍ତୁ ଏହି କମ୍ପାନି ଠିକ୍ ସମୟରେ କୀଟନାଶକ ଯୋଗାଇପାରିଲା ନାହିଁ। ଏଣୁ ବାଧ୍ୟ ହୋଇ ଚାଷୀ ଘରୋଇ ବ୍ୟବସାୟୀଙ୍କଠାରୁ ଚକଡା ପୋକ ଔଷଧ କିଣିଲେ। ଯେମିତି ଯେମିତି ପୋକ ଅଧିକ ମାଡ଼ି ଚାଲିଲା, କୀଟନାଶକର ଚାହିଦା ବଢ଼ିଲା। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ କୀଟନାଶକକୁ ଅପମିଶ୍ରଣ କଲେ ଯାହାଫଳରେ ସେଥିରେ ପୋକ ମଲେ ନାହିଁ।

ମୋଟାମୋଟି, ଏବର୍ଷ ଲଗାତାର ତିନି ପ୍ରକାର ଆକ୍ରମଣରେ ଓଡ଼ିଶାର ଚାଷୀ ସର୍ବସ୍ୱ।ନ୍ତ। ଏଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ବହୁବର୍ଷ ଲାଗିବ।

ସମସ୍ୟାଟି ହେଉଛି ସରକାରଙ୍କଠାରୁ ଅଭୟ ବର ପାଇ ଚାଷୀମାନେ ଗୋଟିଏ ପଟେ ଅଧିକ ଅମଳକ୍ଷମ ଚାଷରେ ମନ ଦେଉଥିବା ବେଳେ ତେଣେ ବର୍ଷକୁ ବର୍ଷ ଖର୍ଚ୍ଚ ବଢୁଛି। ଅଥଚ ରୋଜଗାର ସେଭଳି ବଢୁନାହିଁ। ସରକାର ଯେଉଁ ନ୍ୟୁନତମ ଧାନର ମୂଲ୍ୟ ଦେଉଛନ୍ତି ତାହା ଖର୍ଚ୍ଚର ଭରଣା କରିପାରୁନାହିଁ। ତା’ ଛଡ଼ା ବେଶୀ ଅମଳ ଆଶାରେ ଚାଷୀମାନେ ଅଧିକରୁ ଅଧିକ ପରିମାଣରେ ରାସାୟନିକ ସାର ବ୍ୟବହାର କରିବା ଯୋଗୁଁ ଜମିର ଉର୍ବରତା ନଷ୍ଟ ହେଉଛି।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି। କିନ୍ତୁ ଜାତୀୟ ନମୁନା ସର୍ଭେ କହୁଛି ଓଡ଼ିଶାର ଚାଷୀଙ୍କ ମାସିକ ରୋଜଗାର ମାତ୍ର ୫ ହଜାର ଟଙ୍କା ଯେତେବେଳେ କି ଜାତୀୟ ସ୍ତରରେ ହାରାହାରି ଚାଷୀଙ୍କ ମାସିକ ରୋଜଗାର ୬ ହଜାର ପାଞ୍ଚ ଶହ ଟଙ୍କା।

ସରକାରୀ ବ୍ୟବସ୍ଥା ଓ ବ୍ୟାଙ୍କ ଋଣ ଚାଷୀମାନଙ୍କ ପାଖରେ ଠିକ୍ ଭାବରେ ନ ପହଞ୍ଚିବା କାରଣରୁ ସେମାନେ ବାଧ୍ୟ ହୋଇ ଚଢ଼ା ଦରରେ ମହାଜନମାନଙ୍କଠାରୁ ଋଣ କରୁଛନ୍ତି ଅଥଚ ତାହାକୁ ପରିଶୋଧ କରିପାରୁନାହାନ୍ତି। ଏଣେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଉଗ୍ର ହେବାରେ ଲାଗିଛି ଯାହାଫଳରେ ଚକଡା ପୋକ ଓ ଳଘୁଚାପ ଭଳି ବିଭ୍ରାଟ ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ତ୍ରାହି ତ୍ରାହି ଡାକିବା ଛଡ଼ା ଚାଷୀକୂଳ ନିକଟରେ ଅନ୍ୟ ଉପାୟ ନାହିଁ।

ରାଜ୍ୟରେ କୃଷିକୁ ଦୃଢୀଭୁତ କରିବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ଦରକାର। ବର୍ତ୍ତମାନର ସରକାର ସେହିଭଳି ଏକ ନକ୍ସା ତିଆରି କରିପାରିବେ ସେଥିରେ ସନ୍ଦେହ ରହିଛି। ବାସ୍ତବ କ୍ଷେତ୍ରରେ ଓଡ଼ିଶା ଦରକାର କରୁଛି ଏଭଳି ଜଣେ କୃଷିମନ୍ତ୍ରୀ ଯିଏ ଚାଷୀଙ୍କ ସମସ୍ୟା ବୁଝିପାରୁଥିବେ ଏବଂ ଅଫିସରମାନଙ୍କୁ ଠିକ୍ ନେତୃତ୍ୱ ଦେଇପାରୁଥିବେ। ଲଘୁ ମନ୍ତବ୍ୟ ଦେଇ ନିଜ ଦାୟିତ୍ୱ ଶେଷ ହେଲା ବୋଲି ଭାବୁଥିବା ଜଣେ କୃଷିମନ୍ତ୍ରୀ ହୁଏତ ଚାଷୀ ଆଦୌ ଚାହାଁନ୍ତି ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment