ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ, ଏକଥା ଜାଣିବେ କିପରି? ୩ ବର୍ଷ ତଳ ପିଲାଙ୍କ ପାଇଁ ସେପରି କିଛି ବୁଦ୍ଧି ପରୀକ୍ଷା ନାହିଁ କହିଲେ ଚଳେ ତେବେ ନିଜ ପିଲାଟି ବୁଦ୍ଧିହୀନ ନା ନୁହେଁ ଜାଣିବେ କିପରି?

ଟ୍ରେଡଗୋଲ୍‍ଡ ନାମକ ଜଣେ ବିଖ୍ୟାତ ବିଶେଷଜ୍ଞ ସ୍ୱାଭାବିକ ବିକାଶର ଲକ୍ଷଣ ବୋଲି ଯାହା ଧରିଛନ୍ତି, ତାହା ତଳେ ଦିଆଗଲା। ବୁଦ୍ଧିହୀନର ସ୍ୱାଭାବିକ ବିକାଶ ବିଳମ୍ବରେ ଦେଖାଯାଏ।

ପିଲାର ବୟସ ଅନୁଯାୟୀ ସ୍ୱାଭାବିକ ବିକାଶ

୭ ଦିନ: ଖୁବ୍‍ ଜୋରରେ ଦୁଧ ଚୁଚୁମେ। ଜିଭର ପିତା ବା ମିଠା ଜିନିଷ ଦେଲେ ଜାଣିପାରେ। ଆଖି ଆଗରେ ଦିଆସିଲିର କାଠିକୁ ଜଳାଇ ଆସ୍ତେଆସ୍ତେ ଗୋଟିଏ କଡ଼ରୁ ଅନ୍ୟ କଡ଼କୁ ନେଲେ ସେହି ଅନୁସାରେ ଅଧିକାଂଶ ସମୟରେ ଆଖି ବୁଲାଏ।

୧ ମାସ: ଖୁବ୍‍ ଗରମ ଦୁଧ ପ୍ରଭୃତି ଦେଲେ ବା ଗରମ ପାଣିରେ ଗାଧୋ‍ଇ ଦେଲେ ଜାଣିପାରେ ଓ ଅସ୍ୱସ୍ତି ବୋଧ କରେ।

୨ ମାସ: ଆଲୁଅକୁ କିଛି ସମୟକୁ ଏକ ଧ୍ୟାନରେ ଚାହିଁ ରହିପାରେ। କାନ ପାଖରେ ଘଣ୍ଟା ଧରିଲେ ଟିକ୍‍ ଟିକ୍‍ ଶବ୍ଦ ଶୁଣିବାକୁ ଭଲପାଏ।

୩ ମାସରୁ ୪ ମାସ: ଚଳନ୍ତା ଜିନିଷ ସଙ୍ଗେସଙ୍ଗେ ଆଖି ବୁଲାଏ। ଯେଉଁ ଦିଗରୁ ଶବ୍ଦ ଆସୁଥିବ, ସେ ଦିଗକୁ ମୁଣ୍ଡ ବୁଲାଏ। ସାମନାରେ ଖେଳଣା ପ୍ରଭୃତି କୌଣସି ଆକର୍ଷଣକାରୀ ଜିନିଷ ଧରିଲେ, ସେ ଆଡ଼କୁ ହାତ ବଢ଼ାଏ। ଗୋଡ଼ରେ ଠେଲାଠେଲି କରେ। ନିଜ ମା’ କିମ୍ବା ବରାବର ପାଖରେ ଥିବା ଧାଈକୁ ଚିହ୍ନିପାରେ ଓ ଦେଖି ମୁରୁକି ମୁରୁକି ହସେ। ଭୋକ, ରାଗ, ଡର ଓ କଷ୍ଟ ହେଉଥିବା ବେଳର କାନ୍ଦରେ ତଫାତ ଜଣାଯାଏ। ମା’ ଦୁଧ ବା ଦୁଧ ବୋତଲ ଦେଖି ଓଠକୁ ଚୁଚୁମିଲା ଭଳି କରେ। ଜୋରରେ ହସେ।

୫ ମାସ: ବାପା-ମା’ଙ୍କ ପାଟି ବାରିପାରେ। ଜିନିଷ ଭଲକରି ଧରି ପାଟିରେ ପୂରାଏ। କାଗଜ ଧରିଲେ ମକଚି ମକଚି ଖସର ଖସର କରିପାରେ। ମୁଣ୍ଡ ଓ କାନ୍ଧ ଉପରକୁ ଟେକିବା ପ୍ରଥମେ ଏ ବୟସରେ ଦେଖାଯାଏ। କଥା କହିବାର ପୂର୍ବାଭାଷ ଭଳିଆ ବାବା-ମାମା ହୁଏ।

୬ ମାସ: ସବୁଦିନେ ଦେଖୁଥିବା ବହୁତ ଜିନିଷ ଚିହ୍ନିପାରେ। ଧରି ବସାଇଦେଲେ ୨-୩ ମିନିଟ ପାଇଁ ପଡ଼ିନଯାଇ ବସିପାରେ। ବହୁତ ଶବ୍ଦ ବୁଝିପାରେ ଓ ଶୋ‍ଇପଡ଼, ଉଠିପଡ଼, ହାତ ଦେଖା ପ୍ରଭୃତି ସାଧାରଣ କଥା କହିଲେ ସେ ସବୁ କରେ। ହାତଗୋଡ଼ ହଲାଇବା ପ୍ରଭୃତି ଅନୁକରଣ କରେ।

୯ ମାସ: ଚୌକିରେ ସିଧାହୋ‍ଇ ବସେ। ତଳେ ଗୁରୁଣ୍ଡିବାକୁ ଚେଷ୍ଟା କରେ। ହାତ ବହୁତ ପ୍ରକାରେ ହଲାଇପାରେ। କେତେ ଜିନିଷ ପ୍ରତି ଆଗ୍ରହ, ଉତ୍କଣ୍ଠା ଓ ମନୋଯୋଗ ଦେଖାଏ। ବହୁତ ଜିନିଷର ନାଁ ଜାଣେ ଓ କେତେକ ବନ୍ଧୁବାନ୍ଧବଙ୍କର ମଧ୍ୟ ନାଁ ଜାଣେ।

୧୨ ମାସ: ଏକା ଠିଆ ହୁଏ। ୨-୪ ପାଦ ଏକା ଚାଲିପାରେ। ୫-୬ଟି ଶବ୍ଦ କହିପାରେ। ଆଖି, ନାକ ବା ମୁହଁ କେଉଁଟା କହିଲେ ଦେଖାଏ। ଅଭ୍ୟାସ ଥିଲେ ଚାମଚ ଧରି ଖାଇପାରେ ଓ କପ୍‍ ବା ଗିଲାସରୁ ନିଜେ ପିଇପାରେ। ଚାଲିଚଳନ ଯେତେଦୂର ସମ୍ଭବ ଅନୁକରଣ କରିପାରେ। ବୋଲ ମାନେ।

୧୮ ମାସ: ଚଲାବୁଲା ଓ ଦୌଡ଼ାଦୌଡ଼ି କରେ। ଚୌକିରେ ଉଠିବାକୁ ଚେଷ୍ଟା କରେ। ଜୋତା ପିନ୍ଧୁଥିଲେ ନିଜେ ଜୋତା ପିନ୍ଧିବାକୁ ଚେଷ୍ଟା କରେ। ଝାଡ଼ା, ପରିସ୍ରା ନିର୍ଦ୍ଦିଷ୍ଟ ଜାଗାରେ କରେ।

୨ ବର୍ଷ: ୨୦୦-୩୦୦ ଶବ୍ଦର ଅର୍ଥ ଜାଣେ। ଦୁଇ ବା ତିନୋଟି ଶବ୍ଦ ଲଗାଇ ଛୋଟ ଛୋଟ ବାକ୍ୟ କହେ। ନାଲି, ସବୁଜ, ନୀଳ ଓ ହଳଦିଆ – ଏ ଚାରି ରଙ୍ଗ ଚିହ୍ନିପାରେ। ଇଟା ବା ଦିଆସିଲି ଖୋଳରେ ଘର ତିଆରି କରିବା ଏ ବୟସରେ ଆରମ୍ଭ ହୁଏ। ଛବିରେ ବିଭିନ୍ନ ଜିନିଷ ଚିହ୍ନଟ କରିପାରେ। ପରିସ୍ରା ମାଡ଼ିଲେ ଅଟକାଇପାରେ।

୩ ବର୍ଷ: କାଠ ବା ଇଟାରେ ବିଭିନ୍ନ ଆକୃତି ତିଆରି କରିପାରେ। ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ନାଁ ଓ ଆବଶ୍ୟକତା ଜାଣିଥାଏ। ମାଳିରେ ସୂତା ପୂରାଇପାରେ। ନିଜେ ଜୋତା ପିନ୍ଧେ। ହ୍ୟାଣ୍ଡେଲ ମୋଡ଼ି ଦୁଆର ଖୋଲିପାରେ। ‘ଏଇଟା ଆଣ’, ‘ସେଇଟା ନେଇଯା’’ – ଏସବୁ ବୋଲ ବତାଇଲେ କରେ। ନିଜେ ପୁଅ ନା ଝିଅ ବାରିପାରେ। ନିଜର ନାଁ ଓ ସାଙ୍ଗିଆ ଜାଣିପାରେ। ‘କାହିଁକି’, ‘କେମିତି’ – ଏସବୁ ପ୍ରଶ୍ନ ପଚାରିବାକୁ ଆରମ୍ଭ କରେ।

ଉପରେ ଯେଉଁ ତାଲିକା ଦିଆଗଲା, ସେ ଅନୁସାରେ ଠିକ୍‍ ସେହି ବୟସରେ ଲେଖାଥିବା ଲକ୍ଷଣ ଦେଖାଯିବ, ଏପରି କିଛି କଡ଼ା ନିୟମ ନାହିଁ। ସେହି ବୟସରେ ସାଧାରଣତଃ ପ୍ରାୟ ଲେଖାଥିବା ଲକ୍ଷଣ ଦେଖାଯାଏ। ସ୍ଥଳବିଶେଷରେ ଏହାର ବ୍ୟତିକ୍ରମ ଘଟିବା ସ୍ୱାଭାବିକ।

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜଣେ ପ୍ରଖ୍ୟାତ ମନୋବିଜ୍ଞାନୀ ଓ ଲେଖକ। କାନାଡାସ୍ଥିତ ଆଲ୍‍ବର୍ଟା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ଅଧ୍ୟାପନା ପରେ ସେ ସମ୍ପ୍ରତି ସେଠାରେ ପ୍ରଫେସର ଏମେରିଟସ ଭାବେ ଅବସ୍ଥାପନ କରୁଛନ୍ତି।)

 (ସୌଜନ୍ୟ: ‘ଅସୁସ୍ଥ ମନ’, ପ୍ରକାଶକ: ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)

Comment