ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ରେ ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନୀ ଜ୍ୱର। ୧୦୦ରୁ ଅଧିକ ଶିଶୁଙ୍କ ପ୍ରାଣ ନେଇଥିଲା ଏହି ଜ୍ୱର। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୭ ତାରିଖରୁ ୧୩ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି ଜାପାନୀ ଏନ୍‌ସେଫାଲାଇଟସ୍‌। ଗତବର୍ଷ ଏହି ଜ୍ୱର ମାଲାକାନଗିରିରେ ତାଣ୍ଡବ ରଚିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ପାଇଁ ସଜବାଜ ହୋଇଛନ୍ତି। ଏହି ଜ୍ୱରକୁ ରୋକିବା ପାଇଁ ସରକାର ୧୩ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି।

ଜାପାନୀ ଜ୍ୱର ପାଇଁ ଆଜି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଜପାନୀ ଜ୍ୱରକୁ ରୋକିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଇଥିଲା ଆଲୋଚନା। ୨୭ ତାରିଖରୁ ୧୭ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା।

ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ପୁରୀ, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼ରେ ଟିକାରକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ  ହେବ। ୧୫ ବର୍ଷ ବୟସ ମଧ୍ୟରେ ଥିବା ସବୁ ପିଲାଙ୍କୁ ଏହି ଟୀକା ଦିଆଯିବ।

ଏହାସହ ପ୍ରାଥମିକ ପର୍ଯ୍ୟାୟରେ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଟୀକା ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦିଆଯିବ।

ଗତବର୍ଷ ମାଲକାନଗିରିରେ ଆତଙ୍କ ସୃଷ୍ଟି କରିଥିଲା ଜାପାନୀ ଜ୍ୱର। ଜଣକ ପରେ ଜଣେ ଶିଶୁ ଏହି ଜ୍ୱରରେ ପ୍ରାଣ ହରାଇଲେ। ଏହି ଜ୍ୱରକୁ କେମିତି ନିୟନ୍ତ୍ରଣ କରାଯିବ ତାକୁ ନେଇ ରାଜ୍ୟ ସରକାର ଉପାୟଶୂନ୍ୟ ହୋଇ ଯାଇଥିଲେ।

ରୋଗର କାରଣ ଏବଂ ନିରାକରଣ ଜାଣିବା ପାଇଁ କେନ୍ଦ୍ରରୁ ୬ ଜଣିଆ ଡାକ୍ତରୀ ଟିମ୍‌ ଆସିଥିଲେ ମାଲକାନଗିରି। ହେଲେ ଏହି ଜ୍ୱରକୁ ନିୟନ୍ତ୍ରଣ କରାଯାଇ ପାରି ନଥିଲା। ଆବଶ୍ୟକମୁତାବକ ଟୀକା ସରକାରଙ୍କ ପାଖରେ ମହଜୁଦ୍ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ଶେଷରେ ଟୀକା ମହଜୁଦ୍ ହେବା ପରେ ମାଲକାନଗିରିର ସବୁ ସ୍କୁଲରେ ମାଗଣା ଟୀକା ଦିଆଯାଇଥିଲା। ଗତବର୍ଷ ନଭେମ୍ବର ମାସରେ ଏହି ଜ୍ୱର ଆତଙ୍କ ସୃଷ୍ଟି କରିଥିବାରୁ ଏହାକୁ ଦଅଷ୍ଟିରେ ରଖି ସରକାରଚଳିତ ନଭେମ୍ବର ମାସରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Comment