ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ରାଜଧାନୀ ପାଟନା ନିକଟ ବରୁନା ଗାଆଁର ଜଣେ ମହିଳା ଘରେ ଶୌଚାଳୟ ତିଆରି କରିବା ପାଇଁ ନିଜର ମଙ୍ଗଳ ସୂତ୍ର ବିକିବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ବିହାରରେ ଏବେ ଗୋଟିଏ ପଟ ୧୫ କୋଟି ଟଙ୍କାର ଶୌଚାଳୟ ସ୍କାମକୁ ନେଇ ଉଠାପକା ଚାଲିଥିବା ବେଳେ ଅପର ପଟେ ଜଣେ ଦଳିତ  ମହିଳା ରୁଂକି ଦେବୀ ପିନ୍ଧିଥିବା ସୁନାଗହଣାକୁ ଏକ ମହତ କାମରେ ଲଗାଇଛନ୍ତି।

ରୁଂକି ଦେବୀଙ୍କ ବୟସ ୪୮ ବର୍ଷ। ନିଜ ଘରେ ପାଇଖାନା ନଥିବା କାରଣରୁ ଗାଁର ଅନ୍ୟ ମହିଳାଙ୍କ ଭଳି ତାଙ୍କୁ ବି ସବୁବେଳେ  ଅସହଜ ସ୍ଥିତିର ସାମ୍ନା କରିବାକୁ ପଡୁଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ସେ ପତି ପର୍ଶୁରାମ ପାସ୍ୱାନଙ୍କୁ ବହୁତ ଥର କହିଥିଲେ। କିନ୍ତୁ ସେ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ। ଇତି ମଧ୍ୟରେ ବାହାରେ ମଳ ତ୍ୟାଗ ନିଷେଧ ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କରେ ସେ ଜାଣିବାକୁ ପାଇଲେ।

ଏହି ସରକାରୀ ଯୋଜନାର ଫାଇଦା ନେବା ସହିତ   ଘରେ ପାଇଖାନା ତିଆରି କରିବା ପାଇଁ ରୁଂକି ଦେବୀ ଅଣ୍ଟା ଭିଡିଲେ। ସରକାରୀ ଯୋଜନା ଅନୁସାରେ ରୁଂକି ଦେବୀ ମାତ୍ର 9 ହଜାର ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଶୌଚାଳୟ ପାଇଁ ଆଉ କିଛି ଅଧିକ ଅର୍ଥର ଆବଶ୍ୟକତା ଥିଲା।ଏଣୁ ଦ୍ୱିତୀୟ ଥର  ବିଚାର ନ କରି ସେ ତାଙ୍କ ମଙ୍ଗଳସୂତ୍ରକୁ ୪ ହଜାର ଟଙ୍କାରେ ବିକି ସେଇ ଅର୍ଥରେ ଶୌଚାଳୟ କାମଟି ଶେଷ କରିପାରିଛନ୍ତି।

ସ୍ଥାନୀୟ ଏକ ଖବର କାଗଜ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ବେଳେ ରୁଂକି ଦେବୀ କହୁଥିଲେ,“ଘରେ ଯେତେବେଳେ ଇଟା ବାଲି ଓ ସିମେଣ୍ଟ ପଡ଼ିଥିବା ମୋ ସ୍ୱାମୀ ଦେଖିଲେ ସେ ଚମକି ପଡିଲେ। ତା’ ପରେ ସେ ଜାଣିଲେ ଯେ ପାଇଖାନା ପାଇଁ ମୁଁ ମଙ୍ଗଳସୂତ୍ର ବିକି ଦେଇଛି। ଏଥିରେ ସେ ବହେ ରାଗିଲେ ମଧ୍ୟ। ତେବେ ଘରେ ସମସ୍ତଙ୍କ ଆଗ୍ରହ ଦେଖି ସେ ନିଜେ ଏହି କାମରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ। ମୋର ଦୁଇ ଝିଅ ମଧ୍ୟ ଶୌଚାଳୟ ତିଆରି କରାଯାଇଥିବାରୁ ବେଶ୍ ଖୁସି।”

ନିକଟରେ ବିଶ୍ଵ ଶୌଚାଳୟ ଦିବସ ପାଳନ ଅବସରରେ ରୁଂକି ଦେବୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ ଗାଁ ଲୋକେ ଓ ସରକାରୀ ଅଫିସର। ଇଛା ଥିଲେ ବହୁ ଅସାଧାରଣ କାର୍ଯ୍ୟ ଵି ସମ୍ପାଦନ କରିହେବ।

Comment