ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରାଧୀନ ଭାରତର ପ୍ରଥମ କେତେଜଣ ମହିଳା ଡାକ୍ତରଙ୍କ ମଧ୍ୟରେ ଅନ୍ୟତମ
  • ବାଲ୍ୟବିବାହକୁ ବିରୋଧରେ କରିଥିଲେ ଲଢ଼େଇ
  • ବିଭିନ୍ନ ଲୋକଙ୍କ ସହାଯ୍ୟରେ ବିଲାତରେ ଡାକ୍ତରୀ

ବ୍ରିଟିଶ ଶାସନାଧୀନ ଭାରତର ପ୍ରଥମ କେତେଜଣ ମହିଳା ଡାକ୍ତରଙ୍କ ମଧ୍ୟରେ ଅନ୍ୟତମ ରୁକ୍‌ମାବାଈ। ଆଜି ତାଙ୍କର ଜନ୍ମଦିନ ଅବସରରେ ଗୁଗୁଲ ପକ୍ଷରୁ ଡୁଡୁଲ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ରୁକ୍‌ମାବାଈ କେବଳ ଜଣେ ମହିଳା ଡାକ୍ତର ନଥିଲେ। ତତ୍କାଳୀନ ଭାରତର ନାରୀ ଜାଗରଣ କ୍ଷେତ୍ରରେ ତାଙ୍କ ଜୀବନ କାହାଣୀ ମଧ୍ୟ ଥିଲା ଏକ ଉଦାହରଣ। ଆଜି ଯଦି ଭାରତୀୟ ମହିଳାମାନେ ସ୍ବାଧୀନତା ପାଇଁ ସ୍ବର ଉଠାଇ ପାରିଛନ୍ତି ତେବେ ରୁକ୍‌ମାବାଈଙ୍କ ପରି ମହିଳାମାନଙ୍କର ଏ କ୍ଷେତ୍ରରେ ନିଶ୍ଚୟ କିଛି ଅବଦାନ ରହିଛି।

ରୁକ୍‌ମାବାଈଙ୍କ ଉପରେ ଗୁଗୁଲ୍‌ ପାଇଁ ଏହି ଡୁଡୁଲ୍‌ ଆଙ୍କିଛନ୍ତି ଶିଳ୍ପୀ ଶ୍ରେୟା ଗୁପ୍ତା। ଏହି ଛବିରେ ରୁକ୍‌ମାବାଈ ରୋଗୀମାନଙ୍କ ଗହଣରେ ଦୃଢ଼ତା ଓ ସ୍ନେହପୂର୍ଣ୍ଣ ଭାବେ ସେବା ପ୍ରଦାନ କରୁଛନ୍ତି।

୧୮୬୪ ମସିହାରେ ବମ୍ବେରେ ଜନ୍ମ ହୋଇଥିଲେ ରୁକ୍‌ମାବାଈ। ବାପାଙ୍କ ନାଁ ଜନାର୍ଦ୍ଦନ ପାଣ୍ଡୁରାଙ୍ଗ ଓ ମାଆଙ୍କ ନାଁ ଜୟନ୍ତୀ ବାଈ। ମାତ୍ର ୮ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ ରୁକ୍‌ମାବାଈ। ୧୧ ବର୍ଷ ବୟସରେ ଦାଦାଜୀ ଭିକାଜୀ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ନିଜ ଗୋଡ଼ରେ ଛିଡ଼ା ହେବା ପରେ ରୁକ୍‌ମାବାଈ ଏହି ବାଲ୍ୟ ବିବାହକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ।

ଦାଦାଜୀ ଏ ବାବଦରେ କୋର୍ଟରେ କେସ୍ କରିଥିଲେ। ପ୍ରାୟ ୩ ମାସ କାଳ ଚାଲିଥିବା ଏହି ମାମଲା ସେତେବେଳେ ଭାରତ ଓ ଇଂଲଣ୍ଡରେ ଏକ ବିତର୍କ ସୃଷ୍ଟି କରିଥିଲା। ଏହି ମାମଲାରେ କୋର୍ଟ ରୁକ୍‌ମାବାଈଙ୍କୁ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟଥା ୬ ମାସ କାରାଦଣ୍ଡ। ତେବେ ନାରୀ ଜାଗରଣର ପ୍ରତୀପ ରୁକ୍‌ମାବାଈ ତାଙ୍କ ତଥାକଥିତ ସ୍ବାମୀଙ୍କ ପାଖକୁ ଯିବା ଅପେକ୍ଷା କାରାଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ।

ଏହି ମାମଲା ପରବର୍ତ୍ତୀ ସମୟରେ ରାଣୀ ଭିକ୍ଟୋରିଆଙ୍କ କୋର୍ଟକୁ ଯାଇଥିଲା। ବ୍ରିଟିଶ ସାମ୍ରାଜ୍ୟର ସର୍ବସେର୍ବା ରାଣୀ ଭିକ୍ଟୋରିଆ ତଳ କୋର୍ଟର ଆଦେଶକୁ ଖାରଜ କରିଦେଇଥିଲେ। ଏହି ଘଟଣା ଥିଲା ଭାରତରେ ‘ଏଜ୍‌ ଅଫ୍ କନସେଣ୍ଟ ଆକ୍ଟ-୧୮୯୧’ର ମୂଳଦୁଆ। ତତ୍କାଳୀନ ବହୁ ରକ୍ଷଣଶୀଳ ଭାରତୀୟଙ୍କ ପ୍ରତିବାଦ ସତ୍ତ୍ବେ ଏହା ଲାଗୁ ହୋଇଥିଲା।

ରୁକ୍‌ମାବାଈଙ୍କ ମାଆ ସ୍ବାମୀଙ୍କ ମୃତ୍ୟୁ ପରେ ଶାଖାରାମ ଅର୍ଜୁନ ନାମକ ଜଣେ ପ୍ରସିଦ୍ଧ ଡାକ୍ତରଙ୍କୁ ବିବାହ କରିଥିଲେ। ରୁକ୍‌ମାବାଈଙ୍କୁ ତାଙ୍କ  ସାବତ ବାପା ନିଜ ପାଇଁ ନିଜେ ଲଢ଼େଇ କରି ପରିଚୟ ସୃଷ୍ଟି କରିବାକୁ କହିଥିଲେ। ଡାକ୍ତର ଶାଖାରାମ ବମ୍ବେର ନାଚୁରାଲ ହିଷ୍ଟ୍ରି ସୋସାଇଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ।

ରୁକ୍‌ମାବାଈ ଆଇନତଃ ୧୮୮୮ ମସିହାରେ ତାଙ୍କ ତଥାକଥିତ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପରେ ସେ ଡାକ୍ତରୀ ପଢ଼ିବା ପାଇଁ ଇଂଲଣ୍ଡ ଚାଲିଗଲେ। ବମ୍ବେର କାମା ହସ୍ପିଟାଲର ଡାକ୍ତର ଏଡିଥ୍ ପିଚେ ତଥା ଲଣ୍ଡନସ୍ଥିତ ଭାରତୀୟମାନଙ୍କ ସାହଯ୍ୟ ସହଯୋଗ କ୍ରମେ ଡାକ୍ତରୀ ପାଠ ଶେଷ କରିଥିଲେ। ୧୮୯୪ ମସିହାରେ ସେ ଭାରତ ଫେରି ସୁରତ, ରାଜକୋଟ ଏବଂ ବମ୍ବେ ଆଦି ସ୍ଥାନରେ ପ୍ରାୟ ୩୫ ବର୍ଷ ଡାକ୍ତରୀ ସେବା କରିଥିଲେ।

୧୯୫୫ ସେପ୍ଟେମ୍ବର ୨୫ ତାରିଖରେ ରୁକ୍‌ମାବାଈଙ୍କର ମୃତ୍ୟୁ ଘଟିଥିଲା।

ଗୁଗୁଲ୍‌ ଡୁଡୁଲ କଣ?

ଗୁଗୁଲ୍‌ ଡୁଡୁଲ୍‌ ହେଉଛି ଗୁଗୁଲର ସର୍ଚ୍ଚ ଇଞ୍ଜିନ୍ ପେଜରେ ପ୍ରତିଦିନ ସ୍ଥାନ ପାଉଥିବା ନୂଆ ନୂଆ ଚିତ୍ର ବା ଅଙ୍କନ। ବିଭିନ୍ନ ବୟସ ଓ ବର୍ଗର ଇଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଆକର୍ଷିତ କରିବା ପାଇଁ ଏହି ଡୁଡୁଲ୍‌ ମାଧ୍ୟମରେ ଗୁଗୁଲ୍‌ ଜ୍ଞାନ ବିଜ୍ଞାନ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଉପସ୍ଥାପନା କରିବାର ଏକ ପ୍ରୟାସ।

Comment