ଡକ୍ଟର ହରପ୍ରସନ୍ନ ଦାସ

(ପ୍ରଥମ ଭାଗ)

ସମସ୍ତଙ୍କ ପାଖରେ ସୃଜନାତ୍ମକ ଭାବନାର ଦକ୍ଷତା ରହିଛି। କିନ୍ତୁ ଏହାର ସଠିକ୍ ପ୍ରୟୋଗ ଆବଶ୍ୟକ। ସାଧନା କଲେ ସିଦ୍ଧି ମିଳିବ।

ପ୍ରତ୍ୟେକ କାମର ସଫଳତା ସଠିକ୍ ଭାବନାର ଦକ୍ଷତା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଆମେ ସୃଜନାତ୍ମକ ଭାବନା ବା କ୍ରିଏଟିଭ୍ ଥିଙ୍କିଙ୍ଗ୍ ବିଷୟରେ ଆଲୋଚନା କରିବା। ସମସ୍ତଙ୍କ ପାଖରେ ସୃଜନାତ୍ମକ ଭାବନାର ଦକ୍ଷତା ରହିଛି। କିନ୍ତୁ ଏହାର ସଠିକ୍ ପ୍ରୟୋଗ ଆବଶ୍ୟକ। ସାଧନା କଲେ ସିଦ୍ଧି ମିଳିବ। ଏବେ ସୃଜନାତ୍ମକ ଭାବନାର ରୂପରେଖ ସମ୍ପର୍କରେ ଆଲୋଚନା କରିବା।

 ନୂଆ କଥା ଭାବିବା

ଆମେ ଖାଇବା, ପିନ୍ଧିବା, ବାସସ୍ଥାନ ସବୁଥିରେ କିଛିଟା ନୂଆ ଚାହିଁଥାଉ। ଏହି ଇଚ୍ଛାଟା ସମସ୍ତଙ୍କ ପାଖରେ ରହିଛି। କେତେଜଣ ନୂଆ ପାଇବାକୁ ଚେଷ୍ଟାକରି ପାଇଥାନ୍ତି। କିଛି ଚେଷ୍ଟା ନକରି ପାଇଯାଇ ଖୁସି ହୁଅନ୍ତି। ଆଉ କିଛି ଚେଷ୍ଟାକରି ନପାଇଲେ ଭାଙ୍ଗି ପଡ଼ନ୍ତି ଏବଂ ମନରେ ନକାରାତ୍ମକ ମନୋଭାବ ରଖି ଆଉ ଚେଷ୍ଟା କରନ୍ତି ନାହିଁ। ବ୍ୟକ୍ତିଗତ ଜୀବନ ହେଉ ଅବା କାର୍ଯ୍ୟକ୍ଷେତ୍ର ସବୁବେଳେ କିଛିଟା ନୂଆ ଜିନିଷକୁ ଆମେ ଆନନ୍ଦରେ ଗ୍ରହଣ କରିଥାଉ, ଯଦି ସେଥିରେ କିଛି କ୍ଷତି ହୋଇନଥାଏ।

ଆମେ ଯାହାସବୁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛୁ ସେଗୁଡ଼ିକର ନୂଆ ମଡ଼େଲ୍ କମ୍ପାନୀମାନେ ବଜାରକୁ ଛାଡ଼ୁଛନ୍ତି ଯେପରିକି ପୋଷାକ, ମୋବାଇଲ୍, ଗାଡ଼ି, ଟିଭି, ଜୋତା ଇତ୍ୟାଦି। ସୃଜନାତ୍ମକ ଭାବନା ଦ୍ୱାରା ଗବେଷଣା କରି ଏହା ପ୍ରସ୍ତୁତ କରାଯାଉଛି ତେଣୁ ଏହାର ଚାହିଦା ଅଛି। ଆବଶ୍ୟକତା ନଥିଲେ ବି ନୂଆ ଜିନିଷଟେ ଦେଖି ଆମେ ଅଧିକ ମୂଲ୍ୟ ଦେଇ କିଣୁଛୁ। ଧୈର୍ଯ୍ୟର ସହିତ ସକାରାତ୍ମକ ମନୋବୃତ୍ତିରେ କିଛି ନୂଆ ସୃଷ୍ଟି କରିବାକୁ ସୃଜନାତ୍ମକ ଭାବନାର ଆବଶ୍ୟକତା ରହିଛି। ଖାଲି ନୂଆ ଚାହିଁଲେ ହେବନି, ଏଥିପାଇଁ ଗଭୀର ଭାବରେ ଭାବିବାକୁ ପଡ଼ିବ।

ନୂଆ ଉପାୟରେ ଭାବିବା

ଆମେ ଅଧିକାଂଶ ସମୟରେ ‘ଯାହା ଯେମିତି ଅଛି ସେମିତି ଚାଲିଥାଉ’ ଭାବି ସେଇ ଗତାନୁଗତିକ ଉପାୟରେ ଯାଉ, କାରଣ ସେଥିରେ କୌଣସି ପ୍ରକାରର ଭୟ ବା ବାଧା ନଥାଏ। ସୃଜନାତ୍ମକ ଭାବନାରେ ଆମକୁ ସେଇ ଚିରାଚରିତ ପ୍ରଥାଠାରୁ ଟିକେ ଦୂରେଇ ଯାଇ ନୂଆ ଉପାୟରେ ଭାବିବାକୁ ହୁଏ। ସେଥିପାଇଁ ମାନସିକ ପ୍ରସ୍ତୁତି ଦରକାର। ସାଧାରଣ ଭାବନାର ପରିଧି ବାହାରକୁ ଯାଇ ଭାବିବାକୁ ହିଁ ସୃଜନାତ୍ମକ ଭାବନା କୁହାଯାଏ।

ସବୁକାମ କରିବାର ବିଭିନ୍ନ ଉପାୟ ରହିଛି। ନିଜ ଭିତରେ ଆଗ୍ରହ ରଖି ଚିରାଚରିତ ଉପାୟରୁ ଟିକେ ଦୂରେଇ ଗଲେ ନିଶ୍ଚିତ ଭାବରେ ଏକ ନୂଆ ବାଟର ସନ୍ଧାନ ମିଳିବ। କିନ୍ତୁ ଆମେ ଅନେକ ସମୟରେ ଭୟ ଓ ବାଧାବିଘ୍ନର ଆଶଙ୍କା ମନରେ ରଖି ନୂଆ ବାଟ ଖୋଜି ନଥାଉ। ଆତ୍ମବିଶ୍ୱାସର ଅଭାବ ଏବଂ ନକାରାତ୍ମକ ମନୋଭାବ ଆମକୁ ପଛକୁ ଭିଡ଼ିଧରେ ଏବଂ ମନରେ ଲାଭକ୍ଷତିର ହିସାବ ବି ଆସିଯାଏ। ଏଣୁ ଆମ ପାଖରେ ଥିବା ସୃଜନାତ୍ମକ ଦକ୍ଷତାର ବ୍ୟବହାର ହୋଇପାରେ ନାହିଁ। ନୂଆ କାମଟିଏ କରିବା ପାଇଁ ସମସ୍ତଙ୍କ ଆଗ୍ରହ। କିନ୍ତୁ ସେଥିପାଇଁ ନୂଆ ବାଟରେ ଯିବାକୁ ମାନସିକ ପ୍ରସ୍ତୁତି ନାହିଁ।

 ସମସ୍ୟାର ସମାଧାନ

ଜୀବନରେ ଆମେ ବହୁ ବାଧାବିଘ୍ନ, ପ୍ରତିକୂଳ ପରିସ୍ଥିତି, ମାନସିକ ଦ୍ୱନ୍ଦ୍ୱ, ଶତ୍ରୁତା, କଳହ ଇତ୍ୟାଦିର ସମ୍ମୁଖୀନ ହୋଇଥାଉ। ଏପରି କୌଣସି ଲୋକ ନାହିଁ ଯାହା ଜୀବନରେ କିଛିନା କିଛି ସମସ୍ୟା ନାହିଁ । କିନ୍ତୁ  ଗତାନୁଗତିକ ଭାବନା ବା ଅତୀତର ଅନୁଭୂତି ଦ୍ୱାରା ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରି ଅନେକ ଲୋକଙ୍କର ମନୋବଳ ଭାଙ୍ଗିଯାଏ ଏବଂ ସେମାନେ ନିରୁତ୍ସାହିତ ହୋଇଯାଆନ୍ତି। କାରଣ ଏହାଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରେ ନାହିଁ। ସମସ୍ୟାଟି ଯେତେ ଜଟିଳ ହେଉପଛେ ସୃଜନାତ୍ମକ ଭାବନା ଦ୍ୱାରା ତାହାର ସଠିକ୍ ସମାଧାନ ହୋଇପାରିବ। ସେଥିପାଇଁ ନିଷ୍ଠା, ଆଗ୍ରହ ଏବଂ ନିରନ୍ତର ସୃଜନାତ୍ମକ ଦକ୍ଷତାର ସଦ୍‌ ବ୍ୟବହାର ଆବଶ୍ୟକ।

ସମସ୍ୟାଟି ଆସିଲେ ଭୟ ନକରି ବା ଭାଙ୍ଗି ନପଡ଼ି ଆତ୍ମବିଶ୍ୱାସର ସହିତ ନୂଆ ଉପାୟରେ ସମାଧାନର ବାଟ ଖୋଜିବା ଆବଶ୍ୟକ। ସବୁବେଳେ ଆମର ଲକ୍ଷ୍ୟ ରହିବା ଦରକାର ଯେ ମୁଁ ନୂଆ କଥାଟିଏ ନୂଆ ବାଟରେ ଭାବିବି ଏବଂ ନପାଇଲା ପର୍ଯ୍ୟନ୍ତ ଚେଷ୍ଟା ବଜାୟ ରଖିବି। ଯେଉଁମାନେ ସୃଜନାତ୍ମକ ଭାବନାର ଉପଯୁକ୍ତ ବ୍ୟବହାର କରିଥାନ୍ତି ସେମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ଡରିଯାଇ ପଛଘୁଞ୍ଚା ଦେଇନଥାନ୍ତି। ସବୁବେଳେ ମୁହଁରେ ହସରଖି ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ଦମ୍ଭର ସହିତ କରିଥାନ୍ତି  ତାଙ୍କପାଇଁ ଜଟିଳ ସମସ୍ୟାର ସମାଧାନ ବି ସରଳ ହୋଇଥାଏ। ସମସ୍ତଙ୍କର ସୃଜନାତ୍ମକ ଭାବନା ନଥାଏ ବୋଲି ଭାବିବା ଭୁଲ୍ ଏଥିପାଇଁ ସଚେତନତା ଆବଶ୍ୟକ।

ଜୀବନରେ ସଫଳତାର ଚାବିକାଠି ହେଉଛି ସୃଜନାତ୍ମକ ଭାବନା। ଜୀବନଟା ନୂଆଦିଗରେ ଗଢ଼ିବାକୁ ହେଲେ ଆମକୁ ସୃଜନାତ୍ମକ ଦକ୍ଷତାର କ୍ରମାଗତ ଉନ୍ନତି ସହିତ ତା’ର ସଦ୍ ବ୍ୟବହାର କରିବା ଆବଶ୍ୟକ। ଏକ ସୃଜନଶୀଳ ମନୋଭାବ ରଖିଲେ ଆମେ ଆମ ଜୀବନକୁ ସରଳ, ସଫଳ ଓ ସୁଖମୟ କରିପାରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment