ଡକ୍ଟର ହରପ୍ରସନ୍ନ ଦାସ

(ଚତୁର୍ଥ ଭାଗ)

ସୃଜନାତ୍ମକ ଭାବନାର ଦକ୍ଷତା ଆମ ସମସ୍ତଙ୍କ ପାଖରେ ରହିଛି। କିନ୍ତୁ ବିଭିନ୍ନ ପ୍ରକାରର ବାଧାବିଘ୍ନ ପାଇଁ ଆମେ ତାହାର ସଦ୍‌ବ୍ୟବହାର କରିପାରିନଥାଉ। ଫଳରେ ସଫଳ ହେବା ପରିବର୍ତ୍ତେ ବିଫଳ ହୋଇଥାଉ। ଏବେ ଆମେ ଯେଉଁ ଉପାୟରେ ସୃଜନାତ୍ମକ ଭାବନାର ସଠିକ୍ ବ୍ୟବହାର ହୋଇପାରିବ ସେ ସମ୍ପର୍କରେ ଆଲୋଚନା:

ମାନସିକ ପ୍ରସ୍ତୁତି

ସୃଜନାତ୍ମକ ଭାବନାର ଉପଯୁକ୍ତ ବ୍ୟବହାର ପାଇଁ ଆମର ମାନସିକ ପ୍ରସ୍ତୁତି ସହିତ ସକାରାତ୍ମକ ମନୋଭାବ ନିହାତି ଜରୁରୀ। ନିଜ ଉପରେ ବିଶ୍ୱାସ ଥିବା ଦରକାର ଯେ ମୁଁ ନିଶ୍ଚିତ ରୂପେ ଏହା କରିପାରିବି। ନିଜ ମାନସିକ ପ୍ରସ୍ତୁତିର ଦାୟିତ୍ୱ ନିଜେ ନେବାକୁ ହେବ। ଏଥିପାଇଁ ଆତ୍ମବିଶ୍ୱାସ, ମାନସିକ ବଳ, ସ୍ଥିର ମନ ଓ ଥଣ୍ଡା ମୁଣ୍ଡ ଦରକାର ଏଥିପାଇଁ ନିଜକୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ।

ଭାବିବାକୁ ହେବ ଯେ ସୃଜନାତ୍ମକ ଭାବନାର ସଦବ୍ୟବହାର କରି କୌଣସି ଏକ ବିଷୟର ସମାଧାନ ପାଇଁ ନୂଆ ଉପାୟଟେ ବାହାର କରିବାର ସୁଯୋଗ ଆସିଛି। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ନାହିଁ। କଥାରେ ଅଛି- ‘ନାନା ମୁନି ନାନା ମତ’। କୌଣସି ନିର୍ଦ୍ଦଷ୍ଟ ଘଟଣାରେ ଲୋକମାନଙ୍କର ବିଭିନ୍ନ ପ୍ରକାରର ମତ ଦ୍ୱାରା ମାନସିକ ବିଭ୍ରାଟ ହେବାର ଅନେକ ସମ୍ଭାବନା ଅଛି। କିନ୍ତୁ ମାନସିକ ପ୍ରସ୍ତୁତି ଥିଲେ କାହା କଥାରେ ପ୍ରଭାବିତ ନହୋଇ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ମନସ୍ଥିର କରି ସୃଜନାତ୍ମକ ଭାବନା ଦ୍ୱାରା ନିଶ୍ଚିତ ରୂପେ ଫଳପ୍ରଦ ହୋଇପାରିବା।

ଉତ୍କଣ୍ଠା ଓ ଆଗ୍ରହ ସୃଷ୍ଟି

ଆମମାନଙ୍କର ଭୁଲ୍ ଧାରଣା ଯେ ସୃଜନାତ୍ମକ ଭାବନା କେବଳ ଜଟିଳ ସମସ୍ୟାର ସମାଧାନ ପାଇଁ ଅବା ସ୍ୱତନ୍ତ୍ର ଧରଣର ବିଶେଷ କାର୍ଯ୍ୟପାଇଁ ଆବଶ୍ୟକ ହୁଏ ଏବଂ ଅନ୍ୟ କାମ ସବୁ ଗତାନୁଗତିକ ଭାବନାରେ ସହଜରେ ହୋଇଯାଏ। କିନ୍ତୁ ମନେ ରଖିବାକୁ ହେବ ଜୀବନର ପ୍ରତ୍ୟେକ କାମରେ ସୃଜନାତ୍ମକ ଭାବନାର ଆବଶ୍ୟକତା ରହିଛି। ଅଜାଣତରେ ଏ ଦକ୍ଷତାର ବିନିଯୋଗ କରି ଆମେ କାମରେ ଆନନ୍ଦ ପାଇଥାଉ ଏବଂ ବହୁତ କିଛି ଶିଖିଥାଉ। ପୋଷାକପତ୍ର, ଖାଦ୍ୟ ପାନୀୟ, ମନୋରଞ୍ଜନ କାର୍ଯ୍ୟକ୍ରମ ତଥା ଦୈନନ୍ଦିନ ଜୀବନର ଆବଶ୍ୟକୀୟ ସାମଗ୍ରୀଗୁଡ଼ିକରେ ମଧ୍ୟ ସୃଜନାତ୍ମକ ଭାବନାର ପ୍ରଭାବ ରହିଛି।

ପ୍ରତ୍ୟେକ କାର୍ଯ୍ୟରେ ଏହି ଦକ୍ଷତାର ପ୍ରୟୋଗ ପାଇଁ ମନରେ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟି କରିବାକୁ ହେବ। ନୂଆ ସୃଷ୍ଟି କରିବାର ଯେଉଁ ଆଗ୍ରହ ଓ ଉତ୍କଣ୍ଠା ଦରକାର ତାହା କେହି କରିଦେବେ ନାହିଁ। ନିଜକୁ ନିଜେ ଉତ୍ସାହିତ କରିବାକୁ ପଡ଼ିବ। ମଣିଷ ମନର ଏହି ଉତ୍କଣ୍ଠା ବା ଆଗ୍ରହ ସାରା ବିଶ୍ୱରେ ବିଜ୍ଞାନ ହେଉ ବା ସାହିତ୍ୟ ସବୁକ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିପାରିଛି। ସଫଳତା ପାଇଲା ପରେ ବି ଅଧିକ ପାହାଚ ଚଢ଼ିବା ପାଇଁ ମନ ଭିତରେ ଆମେ ଆହୁରି ଉତ୍କଣ୍ଠା ବା ଆବେଗ ସୃଷ୍ଟି କରିପାରିଲେ ତେବେ ସୃଜନାତ୍ମକ ଭାବନା ସଫଳତାର ବାଟ ଦେଖାଇଦେବ।

ନାହିଁ ଭିତରେ ‘ହଁ’ ଟିଏ ଖୋଜିବା

ସୃଜନାତ୍ମକ ଭାବନାର ପ୍ରକୃତ ଲକ୍ଷଣ ହେଉଛି ସବୁ ନାହିଁ ଭିତରେ ହଁ ଟିଏ ଖୋଜିବା। ପ୍ରତ୍ୟେକ ଘଟଣାରେ ଆମ ମନ ଭିତରକୁ ହଠାତ୍ ଏହି ‘ନାହିଁ’ ରୂପକ ନକରାତ୍ମକ ଭାବନାଟି ପଶି ଆସିଥାଏ। କିନ୍ତୁ ଏହି ନାହିଁ ଭାବଟାକୁ ମନ ଭିତରୁ ଠେଲି ବାହାର କରିଦେବା ହିଁ ଆମର ଦକ୍ଷତା ଉପରେ ନିର୍ଭର କରେ। ଟିକିଏ ଜଟିଳ କାମ ବା ସମସ୍ୟା ଆସିଗଲେ ମନ ଭିତରେ ନାହିଁ ଭାବଟି ଆସିଯାଏ। କାମଟି ଅତିକଷ୍ଟ ଓ ଅସମ୍ଭବ ବୋଲି ମନରେ ଧାରଣା ଆସେ। ଆଗକୁ ଯିବା ପରିବର୍ତ୍ତେ ପଛଘୁଞ୍ଚା ଦେଇଥାଉ। ସେଇଥିପାଇଁ ସବୁବେଳେ ଆମେ ସହଜରେ ହୋଇପାରୁଥିବା କାମଟିକୁ ସ୍ୱାଗତ କରିଥାଉ।

ଆମେ ଯଦି ଏହାକୁ ଆହ୍ୱାନ ମନେକରି ତା’ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିବା ତେବେ ନାହିଁ ଭିତରେ ‘ହଁ’ ଟିଏ ଦେଖାଯିବ। ପ୍ରଥମ ପଦକ୍ଷେପରେ ହାରିଗଲେବି ତାହାକୁ ଆନନ୍ଦରେ ଗ୍ରହଣ କରି ସେଥିରୁ ଶିଖିବାକୁ ପଡ଼ିବ। ସେହି ଶିକ୍ଷାକୁ ପ୍ରୟୋଗ କରି ନିଜର ଦୋଷ ଦୁର୍ବଳତାକୁ ସଂଶୋଧନ କରିବାକୁ ପଡ଼ିବ। ସଫଳତା ନପାଇଲା ପର୍ଯ୍ୟନ୍ତ ଚେଷ୍ଟା କରିଚାଲିବା। ତାହା ଆମର ସୃଜନାତ୍ମକ ଭାବନାକୁ ବଳିଷ୍ଠ କରିବ ଓ ଆତ୍ମବିଶ୍ୱାସକୁ ବଢ଼ାଇବ। ବିଫଳତାରୁ ଶିଖି ନିରବିଚ୍ଛିନ୍ନ ଭାବେ ଚେଷ୍ଟା କଲେ ନିଶ୍ଚିତରୂପେ ଆମେ ଅନ୍ଧାର ଭିତରେ ରାସ୍ତା ପାଇବା। ତାହାହିଁ ହେଉଛି ସୃଜନାତ୍ମକ ଭାବନାର ପ୍ରକୃତ ସଫଳତା। ମନେରଖିବାକୁ ହେବ ସବୁ ନାହିଁ ଭିତରେ ‘ହଁ’ଟିଏ ଲୁଚି ରହିଛି। ଆଉ ଆମେ ତାହାକୁ ଖୋଜି ବାହାର କରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment