ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବୁଧବାର ଉନ୍ମୋଚିତ ହୋଇଛି ଲୋଗୋ ଏବଂ ମାସ୍କଟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୯ ଜଣ ସଫଳ କ୍ରୀଡ଼ାବିତଙ୍କୁ ଦେଇଛନ୍ତି ପୁରସ୍କାର।

୨୦୧୮ ପୁରୁଷ ହକି ବିଶ୍ୱ କପ୍‌ ପାଇଁ ବିଗୁଲ୍‌ ବାଜିଛି। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଏବଂ ମାସ୍କଟ ବୁଧବାର ଉନ୍ମୋଚିତ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋଗୋ ଉନ୍ମୋଚନ ପରେ ହକି ବିଶ୍ୱ କପ୍‌ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ହକି ଲିଗ୍‌ର ଦୁଇଦିନ ପୂର୍ବରୁ ଏହି ଲୋଗା ଉନ୍ମୋଚନ ହୋଇଛି।

ପୁରୁଷ ହକି ବି୍ଶ୍ୱକପ୍ ପାଇଁ ଓଲିକୁ ମାସ୍କଟ କରାଯାଇଛି। କାରଣ ରାଜ୍ୟ ସରକାର ଓଲିକୁ ସ୍ଥାୟୀ ମାସ୍କଟ ଭାବେ ଗ୍ରହଣ କରି ନେଇଛନ୍ତି। ଗତ ଏସିଆନ୍‌ ଆଥଲେଟିକ୍ ଚାମ୍ପଅନ୍‌ସିପ୍‌ ବେଳେ ଓଲିକୁ ମାସ୍କଟ ଭାବେ ରଖାଯାଇଥିଲା।

୨୦୧୮ ନଭେମ୍ବର ୨୮ରୁ ପୁରୁଷ ହକି ବିଶ୍ବ କପ୍ ଆରମ୍ଭ ହେବ। ଏହି ମହାସମର ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ୧୬ଟି ଦେଶ ଏହି ହକି ମହାକୁମ୍ଭରେ ସାମିଲ୍ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏସିଆନ୍ ଆଥଲେଟିକ୍ସ ଚାମ୍ପଅନ୍‌ସିପ୍‌କୁ ଆମେ ସଫଳତାର ସହ ଆୟୋଜନ କରିଛୁ। ଏହି ସଫଳତା ପାଇଁ ଓଡ଼ିଶା ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି। ପୁରୁଷ ହକି ବିଶ୍ବକପ୍ ମଧ୍ୟ ସଫଳତାର ସହ ଆୟୋଜନ କରିବୁ।”

ଏହାସହ ଡିସେମ୍ବର ୧ରୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ବ ହକି ଲିଗ୍‌ ପାଇଁ ଟିମ୍‌ ଇଣ୍ଡିଆର ସଫଳତା କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଫଳ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଛନ୍ତି। ୫୯ ଜଣ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଥରାଶି ପ୍ରଦାନ କରିଛନ୍ତି।

୭ ହକି ଖେଳାଳିଙ୍କୁ ମିଳିଲା ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର

ହକିରେ ସଫଳତା ଅର୍ଜନ କରିଥିବା ୭ ଜଣ ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେଇଛନ୍ତି। ସେମାନେ ହେଲେ: ଦିପ୍‌ସାନ୍ ତିର୍କୀ, ଅମିତ ରୋହି ଦାସ, ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟୋପୋ, ସିନିତା ଲେଙ୍କା, ରଶ୍ମିତା ମିଞ୍ଜ। ଏହି ଖେଳାଳିମାନେ ଉଭୟ ପୁରୁଷ ଏବଂ ମହିଳା ଏସିଆ କପ୍ ହକିରେ ସ୍ବର୍ଣ୍ଣ ପଦକ ପାଇଥିଲେ।

ଏହାସହ ଭାରୋତ୍ତଳନ, ପାରା ଆଥଲେଟିକ୍ସ, ପାରା ବ୍ୟାଡମିଣ୍ଟନ, ହ୍ବିଲ ଚେୟାର ଫେନ୍ସିଂ ଆଦି କ୍ରୀଡ଼ାରେ ସଫଳତା ଅର୍ଜନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି।

ଲୋଗୋ ଏବଂ ମାସ୍କଟ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କ୍ରୀଡ଼ା ସଚିବ ବିଶାଲ ଦେବ, ଉନ୍ନୟନ କମିଶନର ଆର୍‌ ବାଲକ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।

Comment