ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁଇ ବର୍ଷ ପରେ କଟକରେ ପୁଣି ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହ
  • ଅବଦୁର ରେହମାନ୍‌ ପରେ ସନ୍ଦେହରେ ଅଖତାର ଖାନ୍‌
  • ମାରାଥନ୍ ଜେରା ପରେ ଆଜି ନୋଟିସ ଜାରି କରିଛି ଏନ୍‌ଆଇଏ
  • ଡିସେମ୍ବର ୪ରେ ଦିଲ୍ଲୀ ଏନଆଇଏ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ
  • ଅଖତାର କହିଲା, “ମୁଁ ନିର୍ଦ୍ଦୋଶ। ଦୋଷୀ ସାବ୍ୟସ୍ତ ହେଲେ ଫାଶୀ ପାଇବାକୁ ପ୍ରସ୍ତୁତ”

ଓଡ଼ିଶାରେ ପୁଣି ଆତଙ୍କବାଦୀ ଲିଙ୍କ୍। ଅବଦୁର ରେହମାନ୍‌ ପରେ ସନ୍ଦେହଘେରକୁ ଆସିଛନ୍ତି ଅଖତାର ଖାନ୍‌। ଅଖତାର ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ରଖିଥିବା ସନ୍ଦେହରେ ବୁଧବାର ତାଙ୍କୁ କମିଶନରେଟ ପୋଲିସ ଉଠାଇ ଆଣିଥିଲା। କଟକ କିଶନନଗରସ୍ଥିତ ସାମନ୍ତରାପୁର ଭଡ଼ା ଘରୁ ପୋଲିସ ଉଠାଇ ଆଣି ଜେରା କରିଥିଲା। ୭ ଘଣ୍ଟାର ମାରାଥନ୍ ଜେରା ପରେ ଏନ୍‌ଆଇଏ ଆଜି ନୋଟିସ ଜାରି କରିଛି। ଡିସେମ୍ବର ୪ ତାରିଖ ଦିନ ୧୧ଟା ସୁଦ୍ଧା ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପାଇଁ ନୋଟିସରେ କୁହାଯାଇଛି।

ଏ ସମ୍ପର୍କରେ ଆଜି ନିଜେ ଅଖତାର୍‌ ଖାନ୍ ମୁହଁ ଖୋଲିଛି। ଅଖତାର କହିଛି, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ। ଦୋଷୀ ସାବ୍ୟସ୍ତ ହେଲେ ଫାଶୀ ପାଇବା ପାଇଁ ସେ ପ୍ରସ୍ତୁତ ରହିଛି।

ସେହିପରି ଏନ୍‌ଆଇଏର ନୋଟିସ ସମ୍ପର୍କରେ ଅଖତାର କହିଛି ଯେ, “ମୋର ଆର୍ଥିକ ଏବଂ ମାନସିକ ସ୍ଥିତି ଭଲ ନାହିଁ। ଏଣୁ ମୁଁ ଦିଲ୍ଲୀ ଯାଇପାରିବି ନାହିଁ। ଜଣେ ପାକିସ୍ତାନୀ ବନ୍ଧୁଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିବାରୁ ପୋଲିସ ମୋତେ ସନ୍ଦେହ କରୁଛି। ସାଉଦି ଆରବରେ ଥିବା ବେଳେ ମୋର ଜଣେ ପାକିସ୍ତାନୀ ବନ୍ଧୁଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା।”

କଟକ ଜିଲ୍ଲା ନୋମାଳ ଥାନା ଅଞ୍ଚଳରେ ହେଉଛି ଅଖତାର ଖାନ୍‌ଙ୍କ ଘର। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଏକ କମ୍ପାନିରେ କାମ କରିବା ପାଇଁ ସାଉଦିଆରବ ଯାଇଥିଲେ। ସେଠାରେ ସେ ୧୦ ବର୍ଷ ରହିଥିଲେ। ୧୦ ବର୍ଷ ରହିବା ପରେ ପୁଣି ସେ ଓଡ଼ିଶା ଫେରି ଆସିଥିଲେ। କିଶନନଗର ସାମନ୍ତରାପୁରରେ ସେ ତାଙ୍କ ପରିବାର ସହ ଭଡ଼ା ଘରେ ରହୁଥିଲେ। ତେବେ ସାଉଦିଆରବରେ ରହିବା ବେଳେ ପାକିସ୍ତାନୀ ବନ୍ଧୁଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା। ଓଡ଼ିଶା ଆସିବା ପରେ ସେ ମଝିରେ ମଝିରେ ପାକିସ୍ତାନୀ ବନ୍ଧୁଙ୍କ ସହ କଥା ହେଉଥିଲେ।

ଓଡ଼ିଶାରୁ ଅନ୍ତର୍ଜାତୀୟ ଫୋନ୍‌ କଲ୍ ଯାଉଥିବାରୁ ଏହାକୁ ସନ୍ଦେହ କରିଥିଲା ଏନଆଇଏ। ଏନେଇ ଏନ୍‌ଆଇଏ କମିଶନରେଟ ପୋଲିସକୁ ଖବର ଦେଇଥିଲା। କମିଶନରେଟ ପୋଲିସ ଅଖତାରଙ୍କୁ ଉଠାଇ ଆଣିଥିଲା। କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ୭ ଘଣ୍ଟା ଧରି ଜେରା କରିଥିଲେ ଏନ୍‌ଆଇଏ ଅଧିକାରୀ ଏବଂ ପୋଲିସ ଟିମ୍‌। ଜେରା ପରେ ଅଖତାରଙ୍କୁ ଛାଡ଼ି ଦିଆଯାଇଥିଲା।

୨୦୧୫ରେ ଏମିତି ଏକ ଘଟଣା ଲୋକଲୋଚନକୁ ଆସିଥିଲା। କଟକ ଜଗତପୁର ଅଞ୍ଚଳରେ ଅବଦୁର ରେହମାନ ନାମକ ଜଣେ ବ୍ୟକ୍ତି ମଦ୍ରାସା ଚଳାଉଥିବା ଅଭିଯୋଗ ହୋଇଥିଲା। ଏହି ମଦ୍ରାସାରେ ଛୋଟ ପିଲାମାନଙ୍କୁ ଆତଙ୍କବାଦୀ ସମ୍ବନ୍ଧୀୟ ତାଲିମ ଦିଆଯାଉଥିବା ଅଭିଯୋଗରେ ଅବଦୁରକୁ ଗିରଫ କରାଯାଇଥିଲା। ଅବଦୁର ରେହମାନର ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରହିଥିବା ପୋଲିସ ସେତେବେଳେ କହିଥିଲା।

Comment