ଓଡ଼ିଶାଲାଇଭ୍‍ ବ୍ୟୁରୋ

୨୮ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ସିନେପ୍ରେମୀ ତଥା ସିନେନିର୍ମାତାଙ୍କୁ ବେଶ୍ ଉତ୍ସାହୀ କରିଥିବା ଜଣାପଡ଼ିଛି। ଅଜୟ ରଥ ନିର୍ଦ୍ଦେଶିତ ‘ନାମାର୍ଦ୍ଦ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଥିବା ପ୍ରତିଭାଦୀପ୍ତ କଳାକାର ସମରେଶ ରାଉତରାୟ ଓଡ଼ିଆ ସିନେମାର ସ୍ଥିତି ସଂପର୍କରେ ବିଶେଷ ସଚେତନ ଥିବା ଜଣାପଡ଼ିଛି।

ଅନ୍ୟାନ୍ୟ ରାଜ୍ୟମାନଙ୍କରେ ହେଉଥିବା ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ ରାଜ୍ୟ ସରକା ସହଯୋଗ ପରି ଆମ ରାଜ୍ୟରେ ଭଲ ସିନେମା ତିଆରି କରିବାରେ ରୁଚି ରଖୁଥିବା ନିର୍ମାତାଙ୍କୁ ସବସିଡି ଯୋଗାଇବାର ବ୍ୟବସ୍ଥା ରହିଲେ ଆହୁରି ଭଲ ସିନେମା ହେବ ବୋଲି ସେ ମତ ଦେଇଛନ୍ତି।

“ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଚୟନରେ ମୁଁ ଅତ୍ୟନ୍ତ ଖୁସି। ଅନେକ ଭଲ ସିନେନିର୍ମାତା ଅର୍ଥାଭାବରୁ ସିନେମା ବନେଇବାକୁ ପଛଘୁଞ୍ଚା ଦେଉଛନ୍ତି। ସରକାରଙ୍କ ସହଯୋଗ ରହିଲେ ଭଲ ସିନେମା ତିଆରି ହେବା ସହିତ ସାଧାରଣ ଲୋକଙ୍କର ଓଡ଼ିଆ ସିନେମା ପ୍ରତି ଥିବା ଧାରଣାରେ ପରିବର୍ତ୍ତନ ଆସିବ। ଯେଉଁ ସିନେମାଗୁଡ଼ିକ ପୁରସ୍କୃତ ହେଉଛି, ସେଗୁଡ଼ିକର ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାର ମନ ବଳାଇବା ଆବଶ୍ୟକ। ତେବେ ଯାଇ ଓଡ଼ିଆ ସିନେମାର କପି-ଟ୍ରେଣ୍ଡ ବନ୍ଦ ହେବ,’’ କହିଛନ୍ତି ସମରେଶ ରାଉତରାୟ।

ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଏହି କଳାକାର ୨୦୧୬ ମସିହାରେ ‘ଇସ୍କ ତୁ ହି ତୁ’ ସିନେମା ପାଇଁ ଶ୍ରେଷ୍ଠ ଖଳନାୟକ ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ।

‘ନାମାର୍ଦ୍ଦ’ ଚଳଚ୍ଚିତ୍ରରେ ସମରେଶଙ୍କ ସହିତ ବିଦିତା ବାଗ୍ ଅଭିନୟ କରିଛନ୍ତି। ବିଦିତା ପୂର୍ବରୁ ‘ଭଉଁରୀ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ନିକଟରେ ହିନ୍ଦୀ ସିନେମା ‘ବାବୁମୋସାୟ ବନ୍ଦୁକାବଜ୍’ ସିନେମାରେ ନୱାଜୁଦ୍ଦିନଙ୍କ ସହ ଅଭିନୟ କରିଥିଲେ।

“ଏହି ସିନେମାରେ ମୋର ଚରିତ୍ର ଅତ୍ୟନ୍ତ ଉଦ୍ଧତ ପ୍ରକୃତିର। ନିଜର ପୁରୁଷପଣିଆ ଜାହିର କରିବାକୁ ମୁଁ ଜୋର ଜବରଦସ୍ତି ହିରୋଇନକୁ ବାହା ହେଉଛି ଏବଂ ପରେ ନିଜର ଭୁଲକୁ ବୁଝିପାରୁଛି। ପ୍ରଯୋଜକ ଏହି ସିନେମାକୁ ନିକଟ ଭବିଷ୍ୟତରେ ରିଲିଜ କରିବାର ଯୋଜନା ରଖିଥିବାରୁ ମୁଁ ଏହାର କାହାଣଈର ସମ୍ପୂର୍ଣ୍ଣ ଖୁଲାସା କରିବାକୁ ଚାହୁଁ ନାହିଁ,’’ କହିଛନ୍ତି ସମରେଶ।

ବିଶେଷଭାବେ ନିଜର ଖଳନାୟକ ଭୂମିକା ପାଇଁ ସମରେଶ ଦର୍ଶକ ମହଲରେ ଆଦୃତ ହୋଇଛନ୍ତି। ଇତି ସାମନ୍ତଙ୍କ ସିନେମା ‘କ୍ରାନ୍ତିଧାରା’ରେ ସେ ଜଣେ ଜିଦଖୋର ସ୍ୱାମୀର ଭୂମିକାରେ ଅଭିନୟ କରିଥିଲେ। ସେହିପରି ‘ସ୍ୱିଟ୍ ହାର୍ଟ’, ‘ଜଷ୍ଟ ମୋହବତ’ ଓ ‘ଲଭ୍ ୟୁ ଜେସିକା’ରେ ତାଙ୍କ ଅଭିନୟ ଲୋକଙ୍କୁ ପସନ୍ଦ ଆସିଛି।

“ଅଭିନୟ ସହିତ ମୋର ୱେବ୍ ଚ୍ୟାନେଲ ପାଇଁ ପ୍ରଥମକରି ୱେବ ସିରିଜ୍ ପ୍ରଯୋଜନା କରୁଛି। ଭଲ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଲେ ନିଶ୍ଚୟ କରିବି। ଆମ ସଂସ୍କୃତିକୁ ବଞ୍ଚେଇ ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ,’’ ସେ କହିଛନ୍ତି।

Comment