ଓଡ଼ିଶାଲାଇଭ୍‍ ବ୍ୟୁରୋ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନିଧନ ତାଇପେଇଠାରେ ବିମାନ ଦୁର୍ଘଟଣାରେ କଦାପି ହୋଇନଥିଲା, ଯେଉଁ ଧାରଣା କି ସାଧାରଣ ଜନତାଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯଦି ବୋଷଙ୍କ ମୃତ୍ୟୁ ତାଇପେଇରେ ହୋଇଥିଲା, ତେବେ ଟୋକିଓରେ ରଖାଯାଇଥିବା ବୋଷଙ୍କ ଅସ୍ଥିର ଡିଏନଏ ଟେଷ୍ଟ କାହିଁକି କରାଯାଉନାହିଁ, ଯାହାଫଳରେ ଏହା ପ୍ରମାଣିତ ହୋଇଯାଇପାରିବ ଯେ ତାଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହିଁ ହୋଇଥିଲା।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇ ନଥିଲା ବୋଲି ଫ୍ରାନ୍ସର ଜଣେ ଇତିହାସବିତ୍ ଦାବି କରିଛନ୍ତି। ଜଣାଶୁଣା ଐତିହାସିକ ଜେବିପି ମୋର୍ ଏହି ନୂଆ ଅନୁମାନର ଖୁଲାସା କରିଛନ୍ତି। କିନ୍ତୁ ସେ ଏହାକୁ ପ୍ରମାଣିତ କରିବା ଅବସ୍ଥାରେ ନାହାନ୍ତି କାରଣ ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ ତଥ୍ୟକୁ ଅନୁଧ୍ୟାନ କରିବା ପାଇଁ ଫ୍ରାନ୍ସର ଏକ ଅଭିଲେଖଗାର କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଯଦି ଏହି ଫାଇଲଟି ଦେଖିବାକୁ ମିଳିଥାନ୍ତା ତେବେ ନେତାଜୀ ମୃତ୍ୟୁର ଏକ ବଡ଼ ରହସ୍ୟ ଉନ୍ମୋଚନ ହୋଇ ପାରିଥାନ୍ତା।

ମୋର୍ ୧୯୪୭ ଡିସେମ୍ବର ୧୧ ତାରିଖର  ଏହି ଗୁପ୍ତ ଫାଇଲକୁ ପଢ଼ିବା ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଅଭିଲେଖଗାର ପକ୍ଷରୁ କୁହାଯାଇଛି ଯେ ୧୦୦ ବର୍ଷ ପାଇଁ ଏହି ଫାଇଲକୁ ବନ୍ଦ କରିଦିଆଯାଇଛି। ଏଣୁ ସେ ଏହାକୁ ଦେଖିପାରିବେ ନାହିଁ। ଏହି ଫାଇଲରେ ନେତାଜୀଙ୍କ ମୃତ୍ୟୁ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ ଓ ନିର୍ଣ୍ଣାୟକ ତଥ୍ୟ ଲୁଚି ରହିଛି।

ମୋର୍ କହିଛନ୍ତି,’ବର୍ଷ ବର୍ଷର ଗବେଷଣା ପରେ ମୁଁ ଏହି କଥାକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ବୋଷଙ୍କ ମୃତ୍ୟୁ ସାଇଗାନରେ ହୋଇଥିଲା। ଫ୍ରାନ୍ସ ସିକ୍ରେଟ୍ ସର୍ଭିସର ଏକ ରେକର୍ଡକୁ ଆଧାର କରି ଏହା  କୁହାଯାଇପାରେ ଯେ ଭିଏତନାମର ବୋଟ କ୍ୟାଟିନେଟ ଜେଲରେ ହୋଇଥାଇପାରେ।’

ମୋର୍ ପ୍ୟାରିସର ଏକ କଲେଜରେ ଏବେ ଇତିହାସ ପଢ଼ାଉଛନ୍ତି। ମୋର୍ କହିଛନ୍ତି,’ମୁଁ ଆଶ୍ଚର୍ଯ୍ୟ ହେଲି ଯେତେବେଳେ ଏହି ଫାଇଲକୁ ଅନୁଧ୍ୟାନ କରିବା ପାଇଁ ମନା କରିଦିଆଗଲା। ଏହା ଫଳରେ ସାଇଗାନ ଓ ବୋଷଙ୍କ ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ ତଥ୍ୟ ମୁଁ ପାଇପାରିଲି ନାହିଁ। ତେବେ ଏହି ଫାଇଲ ଗୁପ୍ତ ରଖିବା ଘଟଣାରୁ ମୋର ଅନୁମାନ ଦ୍ରୁଢୀଭୁତ ହୋଇଛି ଯେ ୧୯୪୫ ସେପ୍ଟେମ୍ବର ମାସରେ ସାଇଗାନ ଠାରେ ହିଁ ବୋଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।’

ମୋରଙ୍କ କହିବା କଥା ଯେ ବୋଷଙ୍କ ପରିବାର ଲୋକେ ଓ ଭାରତ ସରକାରଙ୍କ ପକ୍ଷରୁ ଫ୍ରାନ୍ସ ସରକାରଙ୍କ ନିକଟରେ ଏହି ଫାଇଲ ଖୋଲିବା ପାଇଁ ଦାବି କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ବହୁତ ଦିନ ଧରି ବୋଷଙ୍କ ମୃତ୍ୟୁ ସଂପର୍କିତ ପ୍ରକୃତ ସତ୍ୟ ଠାରୁ ଲୋକଙ୍କୁ ଦୂରରେ ରଖାଯାଇଛି।

ମୋର୍ ଏକଥା ମଧ୍ୟ କହିଛନ୍ତି,’ଏହା ପ୍ରାୟ ସ୍ପଷ୍ଟ ଯେ ବୋଷଙ୍କ ନିଧନ ତାଇପେଇଠାରେ ବିମାନ ଦୁର୍ଘଟଣାରେ କଦାପି ହୋଇନଥିଲା, ଯେଉଁ ଧାରଣା କି ସାଧାରଣ ଜନତାଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯଦି ବୋଷଙ୍କ ମୃତ୍ୟୁ ତାଇପେଇରେ ହୋଇଥିଲା, ତେବେ ଟୋକିଓରେ ରଖାଯାଇଥିବା ବୋଷଙ୍କ ଅସ୍ଥିର ଡିଏନଏ ଟେଷ୍ଟ କାହିଁକି କରାଯାଉନାହିଁ, ଯାହାଫଳରେ ଏହା ପ୍ରମାଣିତ ହୋଇଯାଇପାରିବ ଯେ ତାଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହିଁ ହୋଇଥିଲା। ଯେହେତୁ ଏହି ଅସ୍ଥିର ଡିଏନଏ ଟେଷ୍ଟ କରାଯାଉ ନାହିଁ ମୋତେ ପୂରା ଲାଗୁଛି ସେହି ଅସ୍ଥିଟି ବୋଷଙ୍କର ହିଁ ନୁହେଁ’।

Comment