ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ମାସର ଲଗାଣ ବର୍ଷା ଚାଷୀ ମୁହଁରୁ ହସ ଛଡ଼ାଇ ନେଇଥିବା ବେଳେ ଏବେ ଆସୁଛି ଆଉ ଏକ ବିପତ୍ତି। ୭ରୁ ପୁଣି ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି।

  • ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ
  • ୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ଉପକୂଳ ଓଡ଼ିଶାରେ ୮ରୁ ବର୍ଷା
  • ଅବପାତର ରୂପ ନେଉଛି ଲଘୁଚାପ

ନଭେମ୍ବର ମାସର ଲଗାଣ ବର୍ଷାରେ ବେହାଲ ହୋଇଯାଇଥିବା ଚାଷୀଙ୍କ ପାଇଁ ଏବେ ଆଉ କ ବିପତ୍ତି ମାଡ଼ି ଆସୁଛି। ଆଣ୍ଡାମାନ୍ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଘନୀଭୂତ ହେଉଛି। ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ୭ରୁ ବର୍ଷା ହେବାର ସମ୍ଭାବନା ରହିଛି।

୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳି ବର୍ଷିବ। ୮ ତାରିଖରୁ ଉପକୂଳ ଓଡ଼ିଶାରେ ବି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ୯ ତାରିଖ ଯାଏଁ ପ୍ରବଳ ବର୍ଷିବ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଦକ୍ଷିଣ ଆଣ୍ଡାମାନ୍ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ ପ୍ରେସରର ରୂପ ନେଇଛି। ଏହା ଆସନ୍ତା ଦୁଇ ଦିନ ଭିତରେ ଗଭୀର ଅବପାତର ରୂପ ନେଇପାରେ। ଆସନ୍ତା ୪ ଦିନ ଭିତରେ ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ।”

ବର୍ଷାକୁ ନେଇ ଚାଷୀମାନେ ପୁଣି ଆତଙ୍କିତ ହୋଇଯାଇଛନ୍ତି। ଫସଲ ଅମଳ କରି ଚାଷୀ ଘରକୁ ନେବାକୁ ବାହାରିଥିବା ବେଳେ ଲଘୁଚାପ ଚାଷୀର ଚିନ୍ତା ବଢ଼ାଇଛି।

ନଭେମ୍ବର ୧୫ରେ ଓଡ଼ିଶାରେ ହୋଇଥିଲା ଲଗାଣ ବର୍ଷା। ଲଗାଣ ବର୍ଷାରେ ୪ ଦିନ ଧରି ଓଡ଼ିଶା ଭିଜିଥିଲା। ଗଞ୍ଜାମରୁ ମୟୂରଭଞ୍ଜ ସବୁଠି ପାଚିଲା ଧାନ ଗଛ ବର୍ଷା ପାଣିରେ ବୁଡ଼ି ରହିଥିଲା। ଫଳରେ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିଲା। ଲଗାଣ ବର୍ଷାରେ ଫସଲହାନି ଯୋଗୁ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ଲଗାଣ ବର୍ଷା ଜନିତ ଫସଲ କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କ୍ଷୟକ୍ଷତି ଆକଳନ କରିବା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ପୂର୍ବ ବର୍ଷାର କ୍ଷୟକ୍ଷତି ଚାଷୀଙ୍କୁ ମିଳି ନଥିବା ବେଳେ ଏବେ ପୁଣି ଆସୁଛି ଆଉ ଏକ ବିପତ୍ତି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

Comment