ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ଆସୁଛି ବଡ଼ ବର୍ଷା। ବଙ୍ଗୋପସାଗରରେ ସକ୍ରିୟଥିବା ଘୂର୍ଣ୍ଣିବଳୟ ଆଗକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସୋମବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ମିଆଁମାର ଉପକୂଳରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳରେ ୩.୧ ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଆଗାମୀ ୭୨ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହୋଇ ଓଡ଼ିଶା ମୁହାଁ ହେବ।

ଲଘୁଚାପ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପାଇଁ ରାଜ୍ୟର ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଖୁବ କମ ବର୍ଷା ହୋଇଛି। ସାରା ରାଜ୍ୟରେ ହାରାହାରି ମାତ୍ର ୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ରାଜ୍ୟର ସର୍ବାଧିକ ୪୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ଚଳିତ ମୌସୁମୀ ଋତୁରେ ଜୁନ ୧ ତାରିଖରୁ ଏ ଯାଏଁ ଓଡ଼ିଶାରେ ୮୯୦ ମିଲିମିଟର ବର୍ଷା ହୋଇଛି। ଯାହା ସ୍ଵାଭାବିକ ବର୍ଷା ୧,୦୦୯ ମିଲିମିଟରରୁ ପ୍ରାୟ ୧୨ ପ୍ରତିଶତ କମ ରହିଛି। ରାଜ୍ୟର ୯ଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ଅନ୍ୟ ୨୧ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି।

Tags: #Monsoon2023 #LowPressure #BayofBengal #Rain #MCBBSR #Odisha

 

LEAVE A REPLY

Please enter your comment!
Please enter your name here