ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ। ଏହି ସୂଚନା ମିଳିବା ପରେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବିଭିନ୍ନ ମହଲରେ ଖେଳିଯାଇଛି ଉତ୍ସାହ।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୁସି ଖବର। ଭୁବନେଶ୍ୱର-କୁଆଲାଲୁମ୍ପର ପରେ ଏଣିକି ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ପକ୍ଷରୁ ଡିସେମ୍ବର ୧୦ରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଏହା ଫଳରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଆହୁରି ସମୃଦ୍ଧ ହେବା ସହ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇବ।

“ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ସହ ଓଡ଼ିଶାର ଆଉ ଏକ ନୂଆ ସମ୍ପର୍କ ସ୍ଥାପନା ହେବାକୁ ଯାଉଛି। ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ିବ। ଏହା୍ଦ୍ୱାରା ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିପାରିବେ। ଏହାଫଳରେ ବିଦେଶରେ ଓଡ଼ିଶାର ପର୍ଯ୍ୟଟନର ଅଧିକ ପ୍ରଚାର ପ୍ରସାର ହୋଇପାରିବ”, ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏହା କହିଛନ୍ତି।

ଏୟାର ଇଣ୍ଡିଆ ବିମାନ ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଦୁଇଦିନ ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ପରେ ଏହା ସପ୍ତାହକୁ ୭ ଦିନ ଉଡ଼ାଣ କରିବ।  ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ବିମାନ ଗୁରୁବାର ଏବଂ ରବିବାର ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। AI338 ନମ୍ବର ବିମାନ ଭୁବନେଶ୍ୱରରୁ ସ୍ଥାନୀୟ ସମୟ ଅପରାହ୍ନ ୩ଟା୪୫ରେ ଛାଡ଼ିବ। ବ୍ୟାଙ୍କକ୍‌ରେ ୮ଟା୧୫ରେ ପହଞ୍ଚିବ। ସେହିପରି AI339 ନମ୍ବର ବିମାନ ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟ ଭୋର୍ ୫ଟା୪୦ରେ ଛାଡ଼ିବ ଏବଂ ଭୁବନେଶ୍ୱରରେ ସ୍ଥାନୀୟ ସମୟ ସକାଳ ୭ଟାରେ ପହଞ୍ଚିବ।

ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ବିମାନ ସଂଯୋଗ ପରିପ୍ରେକ୍ଷୀରେ କିଛିଦିନ ତଳେ ଓଡ଼ିଶା ପକ୍ଷରୁ ଥାଇଲାଣ୍ଡରେ ଏକ ରୋଡ ସୋ କରାଯାଇଥିଲା।

“ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପାଇଁ ଓଡ଼ିଶାରୁ ଏକ ଟିମ୍‌ ନଭେମ୍ବର ମାସରେ ବ୍ୟାଙ୍କକ୍ ଯାଇଥିଲେ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଆର୍‌ ବାଲ୍‌କ୍ରିଷ୍ଣନଙ୍କ ନେତୃତ୍ୱରେ ଏହି ଟିମ୍‌ ବ୍ୟାଙ୍କକ୍‌ରେ ରୋଡ ସୋ କରିଥିଲେ। ସେଠିକାର ହୋଟେଲ ଶିଳ୍ପ, ଟୁର୍ ଅପରେଟର, ଗଣମାଧ୍ୟମ ଏବଂ ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଓଡ଼ିଶାର ପର୍ଯ୍ୟଟନ ସମ୍ଭାର ସମ୍ପର୍କରେ ଅବଗତ କରାଯାଇଥିଲା”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା।

“ସେହିପରି ଚଳିତ ମାସରେ ଆମେ ଜାପାନରେ ଆଉ ଏକ ରୋଡ ସୋ ଆୟୋଜନ କରୁଛୁ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସହ ସଂପୃକ୍ତ ପ୍ରମୁଖ ଅଂଶୀଦାରମାନଙ୍କୁ ଆମେ ଓଡ଼ିଶା ସମ୍ପର୍କରେ ଜଣାଇବୁ”, କହିଛନ୍ତି ଡକ୍ଟର ମୋନା ଶର୍ମା।

ଆଗାମୀ ଦିନରେ ବିଭିନ୍ନ ଦେଶରୁ କିଭଳି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶା ଆସିବେ ସେଥିପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। କୁଆଲାଲୁମ୍ପୁର ପରେ ଏବେ ବ୍ୟାଙ୍କକ୍ ସହିତ ସିଧାସଳଖ ବିମାନସେବା ଏହାକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ବିଭାଗ ଆଶା କରୁଛି।

୨୦୧୩ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ପାଇଥିଲା। ତେବେ ଏହାର ୪ ବର୍ଷ ପରେ ହିଁ ଭୁବନେଶ୍ବର ବାସ୍ତବରେ ଅନ୍ତର୍ଜାତୀୟ ବିମାନବନ୍ଦର ହେବାର ସୁଯୋଗ ହାସଲ କରିଥିଲା। ୨୦୧୭ ଏପ୍ରିଲ୍‌ ୨୬ରୁ ଭୁବନେଶ୍ୱରରୁ ସିଧାସଳଖ କୁଆଲାଲୁମ୍ପର ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା।

ଏୟାର ଏସିଆ ପକ୍ଷରୁ ଏହି ବିମାନସେବା ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଦୁଇ ଦିନ କୁଆଲାଲୁମ୍ପର ବିମାନ ଚଳାଚଳ କରୁଥିଲା। ହେଲେ ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସପ୍ତାହରେ ୭ ଦିନ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

କୁଆଲାଲୁମ୍ପରକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ଦକ୍ଷିଣ ଏସୀୟ ଦେଶ ସମୂହ ସହ ଓଡ଼ିଶାର ସମ୍ପର୍କ ଏକ ନୂଆ ଉଚ୍ଚତାକୁ ଯାଇପାରିଛି। ଆଜି ଓଡ଼ିଶାରୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ମାଲେସିଆ ଏବଂ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି। ସେହିଭଳି ସେହିସବୁ ଦେଶରୁ ଅଧିକ ସଂଖ୍ୟାରେ ଏବଂ ପର୍ଯ୍ୟଟକ ଓ ବିଜିନେସ୍ ଟ୍ରାଭେଲର ଓଡ଼ିଶାକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।

“କୁଆଲାଲୁମ୍ପରକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଅଧିକ ଲଭା ମିଳିଛି। ତା ସହିତ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକ ସହ ଓଡ଼ିଶାର ଏକ ନୂଆ ସମ୍ପର୍କ ସ୍ଥାପନା ହୋଇପାରିଛି। ଚଳିତବର୍ଷ କୋଣାର୍କ ଉତ୍ସବରେ ନୃତ୍ୟ ପରିବେଷଣ ପାଇଁ ଆମେ ମାଲେସିଆରୁ ଖ୍ୟାତିସମ୍ପନ୍ନ କଳାକାରଙ୍କୁ ଆମନ୍ତ୍ରଣ କରିଥିଲୁ। ସେମାନେ ଆମ ନିମନ୍ତ୍ରଣ ରକ୍ଷା କରି କୋଣାର୍କ ଉତ୍ସବ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ସହ ସାଂସ୍କୃତିକ ସମ୍ପର୍କ ମଜବୁତ ହୋଇପାରିଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଡକ୍ଟର ମୋନା ଶର୍ମା।

Comment