ଓଡ଼ିଶାଲାଇଭ୍‍ ବ୍ୟୁରୋ

“ଓଡ଼ିଆ ସିନେମାରେ କାମ କରିବା ପାଇଁ ମୁଁ ସବୁବେଳେ ଆଗ୍ରହୀ। ଶ୍ରେଷ୍ଠ ସହ-ଅଭିନେତା ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହେବା ମୋ ପାଇଁ ଅତ୍ୟନ୍ତ ଖୁସିର ଖବର’’, କହିଛନ୍ତି ମୁମ୍ବାଇସ୍ଥିତ ଓଡ଼ିଆ ଅଭିନେତା-ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ।

ସୁଶାନ୍ତ ମଣି ନିର୍ଦ୍ଦେଶିତ ‘ଲଭ୍ ୟୁ ଜେସିକା’ ସିନେମାରେ ତାଙ୍କର ହାସ୍ୟରସ ତଥା ସନ୍ଦେହଯୁକ୍ତ ଚରିତ୍ର ପାଇଁ  ସେ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦାର୍ଜିଲିଂଠାରେ ହୋଇଥିବା ଏକ ମର୍ଡରକୁ କେନ୍ଦ୍ର କରି ଏହି ସିନେମା କାହାଣୀ ଗତିଶୀଳ ହୋଇଥିବା ବେଳେ ଡ୍ରାଇଭର ଭୂମିକାରେ ଚିତ୍ତରଞ୍ଜନ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି। କେବଳ ସେତିକି ନୁହେଁ ଚରିତ୍ର ମାଧ୍ୟମରେ ସେ ପୁରୁଣା ଓଡ଼ିଆ ଗୀତର ସୁମଧୁର ଧ୍ୱନୀକୁ ପୁଣି ଥରେ ଜୀବିତ କରିଛନ୍ତି।

“ଏହି ସିନେମାରେ ଅଭିନୟ କରିବା ପାଇଁ ସୁଶାନ୍ତ କହିବା ପରେ ମୁଁ ଖୁସିରେ ରାଜି ହୋଇଥିଲି। ମୋର ‘ଧଉଳି ଏକ୍ସପ୍ରେସ’ ସିନେମାରେ ସୁଶାନ୍ତ ଏଡିଟିଂ କରିଥିଲେ। ସେହି ସମୟରୁ ତାଙ୍କ ସହ ମୋର ପରିଚୟ ଅଛି”, କହିଛନ୍ତି ଚିତ୍ତରଞ୍ଜନ। ତାଙ୍କର ପ୍ରଥମ ହିନ୍ଦୀ ସିନେମା ‘ତେରା ମେରା ଟେଡାମେଢ଼ା’ ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା। ସେ ଏହି ସିନେମାର ନିର୍ଦ୍ଦେଶନା ଦେବା ସହିତ ସଙ୍ଗୀତ ସଂଯୋଜନା ମଧ୍ୟ କରିଥିଲେ।

ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାର ପ୍ରଶିକ୍ଷଣ ପ୍ରାପ୍ତ କରିବା ପରେ ସେ ଥିଏଟରରେ କାମ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଡ୍ରାମା ‘ତାଜ ମହଲ କା ଟେଣ୍ଡର’ ପ୍ରାୟ ୧୦ ବର୍ଷ ଧରି ଭାରତରେ ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇଛି। କେବଳ ସେତିକି ନୁହେଁ ସେ ଥିଏଟର ଓ ସିନେମା ପାଇଁ ପ୍ରାୟ ୫୦୦ଟି ଗୀତ ସଂଯୋଜନା କରିଛନ୍ତି।

ବହୁ ପ୍ରତିଭାର ଅଧିକାରୀ ଚିତ୍ତରଞ୍ଜନ ଓଡ଼ିଆ ସିନେମା ‘ଧଉଳି ଏକ୍ସପ୍ରେସ’ ପାଇଁ ମସିହାରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ସଙ୍ଗୀତଭିତ୍ତିକ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘କୋର୍ଟରୁମ ନୌଟଙ୍କି’ ୨୦୧୦ ମସିହାରେ ଗୋଆଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଥିଲା।

ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ‘ପ୍ରମୋଦ ଗୁପ୍ତା ଜେ.ଇ’ର ନିର୍ଦ୍ଦେଶନା ହେବା ସହିତ ସେ ଏହି ସିନେମାର ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। “ଏହି ସିନେମାଟି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ପ୍ରକୃତରେ କହିବାକୁ ଗଲେ ଏହା ଏକ ହାସ୍ୟରସାତ୍ମକ ସିନେମା ହେଲେ ମଧ୍ୟ ଜୀବନର ଗୁଢ଼ ରହସ୍ୟ ଏବଂ ମଣିଷ ଜୀବନର ସତ୍ୟତା ପ୍ରଦର୍ଶିତ ହୋଇଛି,’’ କହିଛନ୍ତି ଚିତ୍ତରଞ୍ଜନ।

ଭବିଷ୍ୟତରେ ଓଡ଼ିଆ ସିନେମା କରିବାର ସୁଯୋଗ ମିଳିଲେ ସେ ନିଶ୍ଚୟ କରିବେ ବୋଲି ମତପ୍ରକାଶ କରିଛନ୍ତି।

Comment