ଓଡ଼ିଶାଲାଇଭ୍‌ ବ୍ୟୁରୋ

ଠକେଇ ଅପବାଦରୁ ମୁକୁଳି ପାରୁନି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ। ବିଗତ ଦିନରେ ଠକେଇ ଅଭିଯୋଗରେ ଅନେକ ଫିଲ୍ମ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଗିରଫ ହେବା ପରେ ଶୁକ୍ରବାର ଫିଲ୍ମ ପ୍ରଯୋଜକ ଅନାମ ସାହୁ ଗିରଫ ହୋଇଛନ୍ତି। ୫ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି।

ଗିରଫ ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅନାମ ସାହୁ। ୫ କୋଟି ଟଙ୍କାର ଜମି ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି। ସେଭେନ୍ ହିଲ୍‌ସ୍‌ ଇଷ୍ଟେଟ୍ ଲିମିଟେଡ ସଂସ୍ଥା ସଂ ଅନାମ ସଂପୃକ୍ତ ଥିଲେ। ଏହି ସଂସ୍ଥା ଜମି ଦେବାକୁ କହି ଲୋକଙ୍କୁ ଠକିଥିଲା। ଏହି ଅଭିଯୋଗରେ ଅନାମ ଗିରଫ ହୋଇଛନ୍ତି।

ଅର୍ଥନୈତିକ ଅପରାଧ ଶାଖା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଭେନ୍ ହିଲ୍‌ସ ଇଷ୍ଟେଟ ଲିମିଟେଡ ପ୍ରାୟ ୨୦୦ ଲୋକଙ୍କୁ ଠକିଛି। ପିପିଲି ନିକଟବର୍ତ୍ତୀ ଅଞ୍ଚଳରେ ଜମି ଦେବାକୁ କହି ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇଥିଲା ଏହି ସଂସ୍ଥା। ହେଲେ ଲୋକଙ୍କୁ ମଜି ଦେଇପାରି ନଥିଲା ସଂସ୍ଥା। ଏନେଇ ଶୁଭ୍ରାଂଶୁ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଅନାମଙ୍କୁ ଗିରଫ କରାଯାଇଛି।

ସେପ୍ଟେମ୍ବର ୨୯ରେ ସେଭେନ୍ ହିଲ୍‌ସ ସଂସ୍ଥାର ଏମ୍‌ଡି ଏମ୍‌ ଏସ୍‌ ଶ୍ରିନାବସ ଗିରଫ ହୋଇଥିଲେ। ଅନାମଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୭, ୪୬୮, ୪୭୧, ୧୨୦-ବି ଏବଂ ଓପିଆଇଡି ଆକ୍ଟ-୨୦୧୧ର ସେକ୍ସନ ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଓଡ଼ିଆ ଫିଲ୍ମ ଛାତିରେ ଲେଖିଛି ତୋରି ନାଁ, ଚାନ୍ଦିନୀ ଆଇ ମିସ୍‌ ୟୁ, ମନ ମୋର ପ୍ରଜାପତି, ମିତରେ ମିତ, ମିତ ବସିଛି ମୁଁ ଭୂତ ସାଥୀରେ, ଚୋରି ଚୋରି ମନଚୋରି, ମେଘ ସବାରୀରେ ଆସିବ ଫେରି ଭଳି ଫିଲ୍ମରେ ପ୍ରଯୋଜକ ଥିଲେ। ଏସବୁ ଫିଲ୍ମରେ ଲୋକଙ୍କ ଟଙ୍କା ଲାଗିଥିବା ପୋଲିସ ଅନୁମାନ କରୁଛି।

ଗିରଫ ହୋଇଥିବା ଅନ୍ୟ ଫିଲ୍ମ ନିର୍ଦ୍ଦେଶକ – ପ୍ରଯୋଜକ

ଓଲିଉଡରେ ଠକେଇର ଛାପ କିଛି ନୂଆ ନୁହେଁ। ଏହା ପୂର୍ବରୁ ଅନେକ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି। ପୂର୍ବରୁ ଚଉକା ଛକା ଫିଲ୍ମର ପ୍ରଯୋଜକ ଗୟାଧର ଜେନା, ଡାହା-ବାଳୁଙ୍ଗା ଫିଲ୍ମର ସହ ପ୍ରଯୋଜକ ଜଗବନ୍ଧୁ ପଣ୍ଡା, ଉମାମଣୀ ହୋମ୍ କ୍ରିଏସନ୍‌ସର ମାଲିକ ତଥା ପ୍ରଯୋଜକ ନାରାୟଣ ନାୟକ, ତୁ ଥା ମୁଁ ଯାଉଛି ଋଷି ଫିଲ୍ମ ନିର୍ମାତା ତ୍ରିବେଣୀ ମହାନ୍ତି ଗିରଫ ହୋଇଛନ୍ତି। ସେହିପରି ଫିଲ୍ମ ପ୍ରଯୋଜକ ତଥା ଅଭିନେତା ପୁପିନ୍ଦର ମଧ୍ୟ କିଛିଦିନ ତଳେ ଏକ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ।

Comment