ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ): ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ନେତା। ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ତଥା ବିଶାଖାପାଟଣା ପଶ୍ଚିମ ଜୋନ ଓ୍ଵାଇଏସଆର କଂଗ୍ରେସ ନେତା ଏମ୍. ବିଜୟ ପ୍ରସାଦ। ସୋମବାର ଓଡ଼ିଶା ସିଆଇଡିର ଏକ ଦଳ ବିଶାଖାପାଟଣାରୁ ତାଙ୍କୁ ଗିରଫ କରିଛି।

ବିଜୟ ପ୍ରସାଦଙ୍କ ଚିଟ୍‌ଫଣ୍ଡ ସଂସ୍ଥା ‘ୱେଲଫେୟାର ଗ୍ରୁପ ଅଫ୍ କମ୍ପାନି’ ୨୦୧୯ରେ ଓଡ଼ିଶାର ଜମାକାରୀମାନଙ୍କଠାରୁ ୧୨୦୦ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ରାଜ୍ୟର ବିଭିନ୍ନ ଥାନାରେ ବିଜୟଙ୍କ ନାମରେ ଜମାକାରୀମାନେ ଏତଲା ଦେଇଥିଲେ।

ତେଣୁ ଓଡ଼ିଶା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିଆଇଡି ଏହି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରି ସୋମବାର ବିଶାଖାପାଟଣା ଯାଇଥିଲେ। ସ୍ଥାନୀୟ ପୋଲିସ ସହଯୋଗରେ ସିଆଇଡି ବିଜୟ ପ୍ରସାଦଙ୍କ ଘର ଓ କାର୍ଯ୍ୟାଳୟକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଘରୁ ନଗଦ ୪୫ ଲକ୍ଷ ଟଙ୍କା ସହ ଚିଟ୍‌ଫଣ୍ଡ ଜମାକାରୀଙ୍କ ଜରୁରୀ କାଗଜପତ୍ର ଜବତ କରିଛି ସିଆଇଡି। ଏହାପରେ ବିଜୟଙ୍କୁ ଗିରଫ କରାଯାଇଥିଲା।ଆନ୍ଧ୍ରର ଏମ୍. ବିଜୟ ପ୍ରସାଦ ୨୦୦୧ରେ ୱେଲଫେୟାର ଗ୍ରୁପ ଅଫ୍ କମ୍ପାନି ନାମରେ ଏକ ଚିଟ୍‌ଫଣ୍ଡ ଆରମ୍ଭ କରିଥିଲେ। ଏହି କମ୍ପାନି ଦେଶବ୍ୟାପୀ କାରବାର କରୁଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ରେ କମ୍ପାନିର ଜମାକାରୀଙ୍କ ସଂଖ୍ୟା ଅଧିକ ରହିଥିଲା। କିନ୍ତୁ ଗତ କିଛି ବର୍ଷ ପୂର୍ବେ ବିଜୟ ଚିଟ୍‌ଫଣ୍ଡ କମ୍ପାନି ବନ୍ଦ କରି ୱେଲଫେୟାର ବିଲଡିଂ ଆଣ୍ଡ ଇ-ଷ୍ଟେଟ ନାମରେ ନୂତନ କମ୍ପାନି ନିର୍ମାଣ କରିଥିଲେ। ବର୍ତ୍ତମାନ ସେ ଏହି କମ୍ପାନିର ଅଧ୍ୟକ୍ଷ ଅଛନ୍ତି।୨୦୦୯ରେ ବିଜୟ ପ୍ରସାଦ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ଆନ୍ଧ୍ର ପ୍ରଦେଶରେ ବିଧାୟକ ହୋଇଥିଲେ। ପରେ ୨୦୧୯ରେ ସେ ଓ୍ଵାଇଏସ୍ଆର୍ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେୟାର ଡେଭଲପମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Comment