ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କାଉଣ୍ଟର କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ କରିଛି।

ଘନଉଛି ମହାନଦୀ ବିବାଦ। ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର। ମହାନଦୀ ଟ୍ରିବ୍ୟୁନାଲକୁ ନେଇ ବାକ୍ ବିତଣ୍ଡା ଚାଲୁଥିବା ବେଳେ ଏବେ ଆରମ୍ଭ ହୋଇଛି ଅଦାଲତ ଲଢ଼େଇ। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କାଉଣ୍ଟର କରି ଓଡ଼ିଶା ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ଆଉ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ମହାନଦୀ ବିବାଦ ଭିନ୍ନ ମୋଡ଼ ନେବାକୁ ଯାଉଛି।

ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇ ପାରିବ ନାହିଁ। କାରଣ ଏଥିପାଇଁ ଓଡ଼ିଶା ସରକାର ବିସ୍ତୃତ ତଥ୍ୟ କେନ୍ଦ୍ରକୁ ଦେଇ ନାହାନ୍ତି। ଏଭଳି ଯୁକ୍ତି ଦର୍ଶାଇ କେନ୍ଦ୍ର ସରକାର ଗତ ୪ ତାରିଖରେ ସୁପ୍ରିମକୋର୍ଟରେ କରିଥିଲେ ସତ୍ୟପାଠ। ଏହାକୁ ନେଇ ଓଡ଼ିଶାରେ ରାଜନୀତିର ଝଡ଼ ବହିଥିଲା। ଶାସକ ବିଜେଡି ଏହି ପ୍ରସଙ୍ଗକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲା। ବିଧାନସଭାରେ ବି ତୁମ୍ବିତୋଫାନ ହୋଇଥିଲା। ଶେଷରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଖୁବଶୀଘ୍ର ସର୍ବଦଳୀୟ ଗୃହ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ। ଏହାପରେ ମହାନଦୀ ତାତିରେ ଥଣ୍ଡା ପଡ଼ିଥିଲା।

ଏହାର ଦିନକ ପରେ ପୁଣି ଓଡ଼ିଶା ସରକାର ସୁପ୍ରିମକୋର୍ଟ ଦ୍ବାରସ୍ତ ହୋଇଛନ୍ତି। ସତ୍ୟପାଠ ଦାଖଲ କରି କେନ୍ଦ୍ରକୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ସତ୍ୟପାଠରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଓଡ଼ିଶା ସରକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ଓଡ଼ିଶା ସରକାର ୬୦ ପୃଷ୍ଠା ସମ୍ବଳିତ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୧୯ ପୂର୍ବରୁ କେନ୍ଦ୍ର ଟ୍ରିବୟୁନାଲ ଗଠନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି, ଯାହାକି ଆନ୍ତଃରାଜ୍ୟ ଜଳ ବିବାଦ ନିୟମ ଉଲ୍ଲଂଘନ କରୁଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛି। ଏହାକୁ ଆମେ ନିନ୍ଦା କରୁଛୁ। ଆମେ ଏହାର ପ୍ରତିବାଦରେ ଆଉ ଏକ ସତ୍ୟପାଠ ଦାଖଲ କରିଛୁ।”

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଯଦି ଦୃଢ଼ ତଥ୍ୟ ଆଧାରରେ ଓଡ଼ିଶା ସରକାର ସତ୍ୟପାଠ ଦାଖଲ କରିଛନ୍ତି ତାହାଲେ ଆମେ ତାହାକୁ ସ୍ବାଗତ କରୁଛୁ। ଯଦି ବିନା ତଥ୍ୟରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିବେ ତାହାଲେ ଏହା ରାଜନୀତି ବୋଲି ବୁଝିବାକୁ ପଡ଼ିବ।”

LEAVE A REPLY

Please enter your comment!
Please enter your name here