ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଶନିବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ୧୯ ଜିଲ୍ଲାର ୮୯ଟି ନିର୍ବାଚନମଣ୍ଡଳୀରେ ଭୋଟର ମତଦାନ କରିବେ। କଚ୍ଛର ୬ଟି ଆସନ, ସୌରାଷ୍ଟ୍ରର ୪୮ ଆସନ ଏବଂ ଦକ୍ଷିଣ ଗୁଜୁରାଟର ୩୫ଟି ଆସନ ପାଇଁ ଭୋଟ ହେବ।
କଚ୍ଛ, ସୁରେନ୍ଦ୍ରନଗର, ମୋରବୀ, ରାଜକୋଟ, ଜାମନଗର, ଦ୍ବାରକା, ପୋରବନ୍ଦର, ଜୁନାଗଡ଼, ଗୀର ସୋମନାଥ, ଅମରେଲି, ଭାବନଗର, ବୋଟାଦ, ନର୍ମଦା, ଭରୁଚ, ସୁରଟ, ତାପି, ଡାଙ୍ଗ, ନବସରୀ ଏବଂ ବଲସାଡ ଜିଲ୍ଲାରେ ଭୋଟ ହେବ।
ପ୍ରଥମ ପର୍ଯ୍ୟାୟରେ ଭୋଟରେ ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିମଧ୍ୟରେ ୫୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୨ କୋଟି ୧୨ ଲକ୍ଷ ଭୋଟର ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ। ମତଦାନ ଭିଭିପାଟ ସଂଯୁକ୍ତ ହୋଇଥିବା ଇଭିଏମ୍ ମେସିନ୍ରେ ହେବ। ଡିସେମ୍ବର ୧୪ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ହେବ।
ଗୁଜୁରାଟ ନିର୍ବାଚନ ପାଇଁ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେପିର ପ୍ରଚାର ମଙ୍ଗଳ ନିଜେ ମୋଦି ଧରିଛନ୍ତି। ଉଭୟ ଦଳର ପ୍ରଚାରକୁ ନେଇ ଗୁଜୁରାଟ ରାଜନୀତି ସରଗରମ୍ ହୋଇଯାଇଛି।