ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କୁ ଶ୍ରଦ୍ଧାଞ୍ଜଳି
  • “ଫାଷ୍ଟ ଲେଡି ଅଫ୍ ଲେନ୍ସ” ଭାବେ ସମ୍ମାନ ଦେଲା ଗୁଗୁଲ୍
  • ବହୁ ମହାମନିଷୀଙ୍କ ଫଟୋ କଏଦ କରିଥିଲା ତାଙ୍କ ଲେନ୍ସ
  • ଜବାହରଲାଲ ନେହେରୁଙ୍କ ଫଟୋ ଉଠାଇବାକୁ ପସନ୍ଦ କରୁଥିଲେ ହୋମାଇ

ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କ ୧୦୪ତମ ଜନ୍ମଦିନ। ଏହି ଅବସରରେ ଗୁଗୁଲ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ଗୁଗୁଲ ତାର ଲୋଗରେ ଡୁଡୁଲ ତିଆରି କରି ଏଭଳି ସମ୍ମାନ ଦେଇଛି। ଏହାସହ ଗୁଗୁଲ୍ ତାଙ୍କୁ “ଫାଷ୍ଟ ଲେଡି ଅଫ୍ ଲେନ୍ସ’ ଭାବେ ଆଖ୍ୟା ଦେଇଛି। ହୋମାଇ ତାଙ୍କ କ୍ୟାମେରାରରେ ଭାରତର ଇତିହାସକୁ କଏଦ କରି ବର୍ତ୍ତମାନ ପିଢ଼ିର ପିଲାଙ୍କ ପାଇଁ ବହୁ ଅମୂଲ୍ୟ ସମ୍ପଦ ଛାଡ଼ି ଯାଇଛନ୍ତି।

୧୯୧୩ ଡିସେମ୍ବର ୯ରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ ହୋମାଇ। ୧୯୩୦ରେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ମୁମ୍ବାଇ ପ୍ରକାଶିତ ‘ଦ ଇଲୁଷ୍ଟ୍ରେଟେଡ ଓ୍ବିକ୍‌ଲି’ ମାଗାଜିନ୍ ପାଇଁ ସେ ଫଟୋ ସାମ୍ମାଦିକତା କରୁଥିଲେ। ସେ ତାଙ୍କ କ୍ୟାରିଅରରେ ବହୁ ମହାମନିଷୀଙ୍କ ଫଟୋ ଉତ୍ତଳନ କରିଛନ୍ତି। ମହାତ୍ମା ଗାନ୍ଧି, ଜବାହରଲାଲ ନେହେରୁ, ମହମ୍ମଦ ଅଲ୍ଲି ଜିନା, ଇନ୍ଦିରା ଗାନ୍ଧି ଆଦିଙ୍କ ଛବିକୁ ନିଜ ଲେନ୍ସରେ କଏଦ କରିବାକୁ ସମର୍ଥ ହୋଇଥିଲେ।

ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଫଟୋ ଉଠାଇବାକୁ ପସନ୍ଦ କରୁଥିଲେ। ହେଲେ ୧୯୭୦ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ପେଶାଦାର ଫଟୋଗ୍ରାଫିରୁ ସନ୍ନ୍ୟାସ ନେଇଥିଲେ ହୋମାଇ। ଏହାସହ ବର୍ତ୍ତମାନ ସମୟର ଫଟୋଗ୍ରାଫରଙ୍କ ବ୍ୟବହାର ମଧ୍ୟ ହୋମାଇଙ୍କୁ ଅତିଷ୍ଠ କରିଥିଲା।

୨୦୧୧ରେ ହୋମାଇଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୨୦୧୨ ଜାନୁୟାରୀ ୧୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

ଗୁଗୁଲ୍ ଡୁଡୁଲ କଣ?

ଗୁଗୁଲ୍‌ ଡୁଡୁଲ୍‌ ହେଉଛି ଗୁଗୁଲର ସର୍ଚ୍ଚ ଇଞ୍ଜିନ୍ ପେଜରେ ପ୍ରତିଦିନ ସ୍ଥାନ ପାଉଥିବା ନୂଆ ନୂଆ ଚିତ୍ର ବା ଅଙ୍କନ। ବିଭିନ୍ନ ବୟସ ଓ ବର୍ଗର ଇଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଆକର୍ଷିତ କରିବା ପାଇଁ ଏହି ଡୁଡୁଲ୍‌ ମାଧ୍ୟମରେ ଗୁଗୁଲ୍‌ ଜ୍ଞାନ ବିଜ୍ଞାନ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଉପସ୍ଥାପନା କରିବାର ଏକ ପ୍ରୟାସ।

Comment