ଅଶୋକ ବହିଦାର

ବରଗଡ଼ ସହର ଓ ଅମ୍ବାପାଲି ଗାଁରେ ସୀମିତ ହୋଇ ରହିନାହିଁ ଧନୁଯାତ୍ରା। ବରଗଡ଼ ଜିଲ୍ଲାରେ ଏହା ଲୋକ ଉତ୍ସବରେ ପରିଣତ ହୋଇଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନ୍ୟ ସ୍ଥାନର ଧନୁଯାତ୍ରା ପାଇଁ ଆଇକନ୍ ପାଲଟିଛି। ବରଗଡ଼ର ପଦାଙ୍କ ଅନୁସରଣ କରି କିଛି ବର୍ଷ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ଆୟୋଜନ କରାଯାଉଛି। ହେଲେ ବରଗଡ଼ ଧନୁଯାତ୍ରା ବାଧାପ୍ରାପ୍ତ ହୋଇନାହିଁ, ବରଂ ଦିନକୁଦିନ ତାହା ଆହୁରି ଲୋକପ୍ରିୟତା ହାସଲ କରୁଛି।

ବରଗଡ଼ ଜିଲ୍ଲାର ତାଲପାଲି, ଦହିତା, ମଲଦା, ଝାରବନ୍ଧ, ଥୁଆପାଲି, ଭେଡେନ୍, ଭଟଲି, ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବଲାଙ୍ଗିର ଜିଲ୍ଲାର ଭାଲେର୍, ନଅଗାଁର ବଙ୍ଗୋମୁଣ୍ଡାଠାରେ, ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ଧନୁଯାତ୍ରା ଉତ୍ସବର ଆୟୋଜନ କରାଯାଉଛି। ଆୟୋଜକମାନେ ସବୁ ଦୃଷ୍ଟିକୋଣରୁ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବରଗଡ଼ ଧନୁଯାତ୍ରା ଉତ୍ସବର ପାଳନବିଧି ଏଇ ସବୁ ଧନୁଯାତ୍ରାରେ ଦେଖିବାକୁ ମିଳେନାହିଁ। ନାଟକର କଥାବସ୍ତୁ ସମାନ, କିନ୍ତୁ ପରିବେଷଣ ଶୈଳୀ ବରଗଡ଼ ଧନୁଯାତ୍ରାଠାରୁ ଟିକିଏ ଅଲଗା ମନେ ହୋଇଥାଏ।  ଭିନ୍ନ ଭିନ୍ନ ମଂଚରେ ନାଟକୀୟତା ପ୍ରଦର୍ଶିତ ହୋଇଥାଏ। ହେଲେ ବରଗଡ଼ ଧନୁଯାତ୍ରା ସହିତ  ଅନ୍ୟାନ୍ୟ ଅଞ୍ଚଳର ଧନୁଯାତ୍ରାର ଆୟୋଜନରେ କିମ୍ବା ରୂପରେଖରେ ଯେତିକି ସମାନତା ଦେଖାଯାଇଥାଏ, ସେତିକି ଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ।

ଏଇସବୁ ଧନୁଯାତ୍ରାରେ ଅନେକ କଳାକାର “କଂସ’’ ଚରିତ୍ରରେ  ଅଭିନୟ କରିଆସୁଛନ୍ତି। ସେ ଭିତରୁ କେତେଜଣ   ପୃଥିବୀ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା ବେଳେ ଅନ୍ୟ କିଛି ନୂଆ କଳାକାର। ଏଥିସହିତ ବରଗଡ଼ ଧନୁଯାତ୍ରା ମଞ୍ଚରେ କଂସଙ୍କ ମନ୍ତ୍ରୀ, ସେନାପତି ଏବଂ ଅନ୍ୟାନ୍ୟ ସହଯୋଗୀ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ଅନ୍ୟାନ୍ୟ ମଞ୍ଚରେ କଂସ ଚରିତ୍ରରେ ଅଭିନୟ କରିଆସୁଛନ୍ତି। ଏପରି ଭାବେ ଓଡ଼ିଶାରେ ଶହ ଶହ “କଂସ’’ ଚରିତ୍ରର କଳାକାର ସୃଷ୍ଟି ହୋଇସାରିଲେଣି। ସେମାନଙ୍କୁ ନେଇ “କଂସ ଅନୁଷ୍ଠାନ’’ ମଧ୍ୟ ଖୋଲାଯାଇଛି।

ବରଗଡ଼ ଧନୁଯାତ୍ରାରେ ଯିଏ “କଂସ’’ ଚରିତ୍ରରେ ଅଭିନୟ କରନ୍ତି, ତାଙ୍କ ପାଇଁ ସ୍ବତନ୍ତ୍ର ନିୟମ ରହିଛି ଯେ ସେମାନେ ଅନ୍ୟ ଧନୁଯାତ୍ରାରେ “କଂସ’’ ଚରିତ୍ରରେ ଅଭିନୟ କରିପାରିବେ ନାହିଁ। ଯଦି ସେ ନିୟମ ନ ମାନନ୍ତି ତାଙ୍କୁ ବରଗଡ଼  ଧନୁଯାତ୍ରାରୁ ଅଭିନୟ ପାଇଁ ବଞ୍ଚିତ କରାଯାଇଥାଏ। ଏଇ ନିୟମ ଭୟରେ କିଛି କଳାକାର ଅନ୍ୟତ୍ର କଂସ ଅଭିନୟ କରିବା ପାଇଁ ଚାହାନ୍ତି ନାହିଁ।

ବରଗଡ଼ ଧନୁଯାତ୍ରାର ପ୍ରଭାବ କେବଳ ନାଟକୀୟ ସ୍ତରରେ ପଡ଼ିନାହିଁ। ବରଗଡ଼ ଧନୁଯାତ୍ରାର ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ, ଓଡ଼ିଶାର ବିଭିନ୍ନ ଧନୁଯାତ୍ରାରେ ଆୟୋଜିତ ହୋଇଥାଏ। ଏଇ ମଂଚଗୁଡ଼ିକ ମଧ୍ୟ କଳାକାରମାନଙ୍କୁ ସୁଯୋଗ ଦେଇ ଆସୁଛି। ମୋଟାମୋଟି କହିବାକୁ ଗଲେ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାକାରମାନେ ସାରା ଓଡ଼ିଶାର ଧନୁଯାତ୍ରାରେ ଜୀବିକା ପାଇଁ ବେଶ୍ ପରିବେଶଟିଏ ସୃଷ୍ଟି କରିପାରିଛନ୍ତି।

ବରଗଡ଼ ଧନୁଯାତ୍ରାର “ହାତୀ’’ ମଧ୍ୟ କଂସଙ୍କ ପାଇଁ ନିର୍ଦ୍ଦିଷ୍ଟ କେତୋଟି ଅଞ୍ଚଳର ଧନୁଯାତ୍ରାରେ ଆରମ୍ଭ ହୋଇଗଲାଣି। ପୃଥିବୀର  କୌଣସି ଏକ ନାଟକୀୟ ମଞ୍ଚରେ ପ୍ରଭାବ ଏତେ ସୁଦୂରବ୍ୟାପି ଆଗରୁ ହୋଇନାହିଁ କିମ୍ବା ଆଗକୁ ହେବା ସମ୍ଭାବନା ନ ଥିବା ପରି ମନେ ହୋଇଥାଏ।

ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ଉତ୍ସବ, ପୃଥିବୀ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରତିଦ୍ବନ୍ଦ୍ବୀ ନୁହନ୍ତି। ଅନ୍ୟ ଭାଷାରେ ଏମାନେ ପ୍ରଭାବିତ ହୋଇ ଓଡ଼ିଶାର ଏକ ମହାନ୍ ନାଟ୍ୟକଳାକୁ ସଂପ୍ରସାରିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment