ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଜେପି ଜିତିବା ପରେ ଏବେ ସେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କିଛି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଅମିତ ଶାହା-ନରେନ୍ଦ୍ର ମୋଦି ଯୋଡ଼ି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଇଛୁକ ତାହାକୁ ନେଇ ସସପେନ୍‌ସ ଜାରି ରହିଛି।

ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମାଲ ନିର୍ବାଚନରେ ହାରିଯାଇଥିବାରୁ ତାଙ୍କ ସ୍ଥାନରେ କାହାକୁ ଅଣାଯିବ ତାହା ଏବେ ଅନୁମାନର ବିଷୟ ପାଲଟିଛି। କିନ୍ତୁ ଗୁଜୁରାଟର ସ୍ଥିତି ଆହୁରି ଅଧିକ ରୋଚକ ହୋଇପଡିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଜାଗାରେ ଜଣେ ବିକଳ୍ପ ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ନିର୍ବାଚନ ପୂର୍ବରୁ ଏକଥା କୁହାଯାଉଥିଲା ଯେ ରୂପାଣି ହିଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ ହେବେ। କିନ୍ତୁ ଭୋଟଗଣତି ଆରମ୍ଭ ହେବା ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏକ ବିବୃତ୍ତି ରଖିଥିଲେ ଯେଉଁଥିରେ ସେ କହିଥିଲେ ଯେ ହୁଏତ ଏଥର ଜଣେ ନୂଆ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ଏଣୁ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ କିଏ କ୍ଷମତା ସମ୍ଭଳିବେ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ନିତିନ ପଟେଲ କହିଥିଲେ ଯେ ଫଳ ଆସିବା ପରେ ନବନିର୍ବାଚିତ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ ଏବଂ ସେଥିରେ ନୂଆ ନେତା ନିର୍ବାଚିତ ହେବେ। ଏହି ବିବୃତ୍ତି ରଖିବା ପରେ ପଟେଲ ମୁଖ୍ୟମନ୍ତ୍ରୀ ପଦର ଦାବିଦ।ର ବୋଲି ଅନୁମାନ ଦୃଢ ହୋଇଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ଯେଉଁଭଳି ଭାବରେ ଫଳ ଆସିଲା ତାହା ଦଳ ଭିତରେ ନିରାଶ ସୃଷ୍ଟି କରିଛି।ଏଣୁ ବିଜେପିର ଗଡ଼ କୁହାଯାଉଥିବା ଗୁଜୁରାଟର ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ଚାହିଁ ଦଳ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରିବ।

ଏକଥା ବି ଶୁଣାଯାଉଛି ଯେ କେନ୍ଦ୍ରରୁ କାହାକୁ ଜଣକୁ ମୁଖ୍ୟମନ୍ତ୍ରୀ କରି ପଠାଯାଇପାରେ। ଗୁଜୁରାଟ ପାଇଁ ବିଜେପିର ଅସୁବିଧା ହେଉଛି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ବିକଳ୍ପ ଆଉ କେହି ନାହାନ୍ତି। ମୋଦୀ ଆନନ୍ଦିବେନଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ ସତ ହେଲେ ଯେଉଁଭଳି ଗୋଟିକ ପରେ ଗୋଟିଏ ଆନ୍ଦୋଳନ ମୁଣ୍ଡ ଟେକିଲା ତାହାକୁ ଆନନ୍ଦିବେନ ସମ୍ଭାଳି ପାରିଲେନି।

ବିଶେଷକରି ପଟେଲ ଆନ୍ଦୋଳନ ଯୋଗୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବାକୁ ପଡ଼ିଲା।ତାଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟ ରୂପାଣି ମଧ୍ୟ କିଛି ପ୍ରଭାବ ବିସ୍ତାର କରି ପାରିଲେ ନାହିଁ।ଏହି କାରଣରୁ ବିଜେ ପି ସେଠି ହାରୁ ହାରୁ ବଞ୍ଚି ଯାଇ ପାରିଲା।ଏହି ଆଶଙ୍କା ଥିବାରୁ ମୋଦି ନିଜେ ଗୁଜୁରାଟ ନିର୍ବାଚନ ପ୍ରଚାର ନିଜ ହାତରେ ରଖିଲେ। ହିମାଚଳ ପ୍ରଦେଶ କଥା ବି ଠିକ୍ ସେୟା। ଏଥିପାଇଁ ବିଜେପିକୁ ବେଶି ମଥା ଖର୍ଚ୍ଚ କରିବାକୁ ହେବ।

ଧୁମାଲ କେବଳ ନୁହନ୍ତି ଆଗ ଧାଡିର ୪/୫ ନେତା ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ହିମାଚଳ ମୁଖ୍ୟମନ୍ତ୍ରୀ ପଦ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍‍ଡା ଜଣେ ଯୋଗ୍ୟ ବ୍ୟକ୍ତି। କିନ୍ତୁ ଆଲୋଚନା ହେଉଛି ହରିଆଣାରେ ମନୋହର ଠକ୍କରଙ୍କୁ ଯେଉଁଭଳି ପଛ ଦୁଆର ଦେଇ ମୁଖ୍ୟମନ୍ତ୍ରୀ କରାଗଲା,ହିମାଚଳ ପ୍ରଦେଶରେ ମଧ୍ୟ ଅଜୟ ଜୁମ୍ବଲଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଜୁମ୍ବଲ ଜଣେ ଆରଏସଏସ ଲୋକ ଓ ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଦଳର ସଙ୍ଗଠନ କାମ ବୁଝୁଛନ୍ତି।

Comment