ଅଶୋକ ବହିଦାର

ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ, କଂସ ଗୋଟିକ ପରେ ଗୋଟିଏ ଗୋଟି ଚାଳନା କରି ଚାଲିଛନ୍ତି। ଅଥଚ ସବୁରେ ବିଫଳ ହେବା ପରେ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା।

କଂସ ଆଶାୟୀ ଯେ ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଧନୁଯାତ୍ରା ଦେଖିବା ପାଇଁ ଆସିବେ। ଏଇ ଆଳରେ ସେ କୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ।

ପରେ କଂସ ତାଙ୍କର ଅମାତ୍ୟ କୃଷ୍ଣ ଭକ୍ତ ଅକ୍ରୁରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଗୋପରୁ ମଥୁରାକୁ ଧନୁଯାତ୍ରା ଦେଖିବା ପାଇଁ ନେଇ ଆସିବାକୁ।

ଅକ୍ରୁରଙ୍କ ହାତରେ ସେ ଗୋପପତି ନନ୍ଦଙ୍କୁ ଏକ ଅହମିକା ଭରାପତ୍ର ବା ଚିଟାଉ ପଠାଉଛନ୍ତି।

ଏଇ ଚିଟାଉ ହିଁ ଧନୁଯାତ୍ରାର ଘଟଣାବଳିର ମୋଡ ବଦଳେଇ ଦେଉଛି।

ରାଜାଙ୍କ ଆଦେଶକୁ ବିଶ୍ୱସ୍ତ ଭାବେ ଅକ୍ରୁର ଆନନ୍ଦର ସହିତ ଗ୍ରହଣ କରି ଗୋପପୁର ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ କୃଷ୍ଣଭକ୍ତ ଅକ୍ରୁରଙ୍କ ହୃଦୟ ଏକ ଅଜଣା ବ୍ୟାକୁଳତାରେ ଭିଜାଇ ଚାଲିଛି।

କଂସଙ୍କ ନଗର ଭ୍ରମଣ

ମଥୁରାରେ ଧନୁଯାତ୍ରାର ଆୟୋଜନ ହେବ। ଧନୁଯାତ୍ରାକୁ ନେଇ ମଥୁରାର ପ୍ରଜାଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଏଇ ଭିତରେ ମହାରାଜା କଂସ ନଗର ପରିଭ୍ରମଣ କରି ଧନୁଯାତ୍ରାର ଆୟୋଜନର ଆସନ୍ନ ସଫଳତାକୁ ନେଇ ଆଶାବାଦୀ। ଏଇ ଥରକ ଶ୍ରୀକୃଷ୍ଣଙ୍କ ନିଧନ ସୁନିଶ୍ଚିତ ମନେ କରି କଂସ ଉତଫୁଲ୍ଲିତ ରାଜଥାଟ ନେଇ ମଥୁରାଦାଣ୍ଡରେ ହାତୀ ଉପରେ ବସି ନଗର ପରିଭ୍ରମଣ କରୁଛନ୍ତି।

ରାଧାକୃଷ୍ଣଙ୍କ ନାବକେଳି

ମଥୁରାରେ ଧନୁଯାତ୍ରାକୁ ନେଇ ପ୍ରସ୍ତୁତି ପର୍ବ ଜୋରଦାର ଚାଲିଛି। ସେପଟେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ପ୍ରେମଲୀଳା ଉତ୍କର୍ଷତାକୁ ଛୁଇଁବାରେ ଲାଗିଛି। ଗୋଟିକ ପରେ ଗୋଟିଏ ଲୀଳା ମାଧ୍ୟମରେ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ ନିଜ ସହିତ ନିର୍ଲିପ୍ତ କରିଚାଲିଛନ୍ତି। ଅନ୍ୟାନ୍ୟ ଗୋପାଙ୍ଗନାମାନେ ମଧ୍ୟ କୃଷ୍ଣପ୍ରେମରୁ କାଣିଚାଏ ପାଇବା ପାଇଁ କୃଷ୍ଣଙ୍କୁ ଆକର୍ଷିତ କରିବା ପାଇଁ ଲାଗି ରହିଛନ୍ତି।

ଅଥଚ ଜିତାପଟ ହାସଲ କରୁଛନ୍ତି ଶ୍ରୀକୃଷ୍ଣ ପ୍ରେମରେ ପ୍ରଗଳ୍‌ଭା ଗୋପୀଶ୍ରେଷ୍ଠ ଶ୍ରୀରାଧା।

ଏଇ ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣ ନାଉରିଆ ସାଜି ଶ୍ରୀରାଧାଙ୍କୁ ନିଜ ନାବରେ ଯମୁନା ଜଳରେ କେଳି କରୁଛନ୍ତି।

ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ଏଇଠି ଭକ୍ତର ଭଗବାନଙ୍କ ପ୍ରତି ଥିବା ନବଧା ଭକ୍ତିରୁ ପ୍ରେମରସର ଅଭୁତ ପରିପ୍ରକାଶ ଘଟୁଛି, ଯାହା ହେଉଛି ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ନାବକେଳି।

ନନ୍ଦ ଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ

ଶ୍ରୀକୃଷ୍ଣ ଓ ବଳରାମଙ୍କୁ ନେଇ ଗୋପପୁରରେ ଚାଲିଛି ଅନେକ ଧର୍ମୀୟ ଉତ୍ସବ। ସାରା ଗୋପପୁର ଶ୍ରୀକୃଷ୍ଣଙ୍କୁ ଭକ୍ତିଭାବରେ ବାନ୍ଧିବାକୁ ତତ୍ପର ହୋଇଉଠିଛି। ଏଇ ଅବସରରେ ପ୍ରଜାବତ୍ସଳ ରାଜା ନନ୍ଦ ଗୋପବାସୀଙ୍କ ଭକ୍ତିଭାବରେ ସଂସ୍କୃତିକୁ  ଯୋଡ଼ିଦେଇ ଗୋପପୁରକୁ ଆହୁରି ଉତ୍ସବମୁଖର କରିଦେଇଛନ୍ତି।

ଏହି ଅବସରରେ ପ୍ରଜାଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ମଥୁରାର ରଙ୍ଗମହଲ ପରି ଗୋପପୁରର ରାଜଦରବାରରେ ଚାଲିଛି ନୃତ୍ୟ, ଗୀତ ଓ ସଙ୍ଗୀତର ସାଂସ୍କୃତିକ ଆସର।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

 

Comment