ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଶେଷ ହୋଇଛି। ଅପରାହ୍ନ ଅଧିବେଶନର ଅତିଥିମାନେ ଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ, ଆମେରିକାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବିଷ୍ଣୁତ୍ୱତ୍ତ ଦାସ, ଗୁରୁ ରତିକାନ୍ତ ମହାପାତ୍ର ଏବଂ ଡକ୍ଟର ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ଅଭିଶ୍ରୀ ପ୍ରୀୟଦର୍ଶନୀଙ୍କ ଦ୍ୱାରା ଅଭିନୟ “ଧ୍ୟାୟେତ ସୂବର୍ଣ୍ଣି ବର୍ଣ୍ଣାଭ୍ୟମ – ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ’ ଯାହା ରାଗ ଚାରୁକେଶି ଉପରେ ପରିବେଷିତ ହୋଇଥିଲା।
ଋଷିଆରୁ ଆସିଥିବା ନୃତ୍ୟଶିଳ୍ପୀ ଇଲେନା କେନୟାଜେନାଙ୍କ ଦ୍ୱାରା ରାଗ ଆରଭୀ ଓ ତାଳ ଏକତାଳୀ ଉପରେ ପଲ୍ଲବୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତି ଥିଲା ଦ୍ୱୈତ ନୃତ୍ୟ ପ୍ରଭାକର ସ୍ୱାଇଁ ଓ ଟୁବୁଲା ଷଣ୍ଢଙ୍କ ଦ୍ୱାରା ରାଗ ମୋହନା ଓ ତାଳ ତ୍ରିପଟା ଉପରେ ପଲ୍ଲବୀ।
ରୋଜାଲିନି ମହାନ୍ତିଙ୍କ ଦ୍ୱାରା ଯାତ୍ରାରେ ଶ୍ରୀଜଗନ୍ନାଥ “ନୀଳାଦ୍ରେ ଶଙ୍ଖ ମଧ୍ୟେ ଶତଦଳ କମଳେ’, ଅଞ୍ଜନା ମହାନ୍ତିଙ୍କ ଦ୍ୱାରା ଅଭିନୟ ପଲ୍ଲବୀ, ଦ୍ୱୈତନୃତ୍ୟରେ ସରୋଜ କୁମାର ସାହୁ ଓ ସୁଭଦ୍ରା ଦାସଙ୍କ ଦ୍ୱାରା ଅଭିନୟ “ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି’ ପରିବେଷିତ ହୋଇଥିଲା। ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ କଟକର ଅଙ୍ଗିକା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଅଭିନୟ “ନନ୍ଦନନ୍ଦନାଷ୍ଟକ’ ଏବଂ ଶିବାକ୍ଷ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “କଳିକା ସ୍ତୋତ୍ର’ ପରିବେଶିତ ହୋଇଥିଲା ।
ଓରଙ୍ଗାବାଦରୁ ଆସିଥିବା ନୃତ୍ୟଶିଳ୍ପୀ ପ୍ରଭାତି ଦତ୍ତଙ୍କ ଦ୍ୱାରା ରାଗ ଖମାଚ ଓ ତାଳ ଏକତାଳୀ, ଝମ୍ପାତାଳ ଓ ଖେମଟା ଉପରେ ପର୍ଯ୍ୟବେସିତ ପଲ୍ଲବୀ । ଆମେରିକାରୁ ଆସିଥିବା ସିମନ୍ତିନି ମିତ୍ର ବେହୁରାଙ୍କ ଦ୍ୱାରା ଅଭିନୟ “ପଞ୍ଚଭୂତ’ ପରିବେଷିତ ହୋଇଥିଲା । ଏହାପରେ ପ୍ରସ୍ତୁତିଟି ଥିଲା ଏକକ ନୃତ୍ୟରେ ନୂଆଦିଲ୍ଲୀରୁ ଆସିଥିବା ସିମ୍ରନ୍ ଜମାନ୍ଦଙ୍କ ଦ୍ୱାରା ଅଭିନୟ “କହଲୋ ଦୂତୀ ନନ୍ଦ ପୁଅ କଳାକାହ୍ନୁ କେଡେ଼ ଗଲେ କି।” ଏହା ରାଗ ମିଶ୍ରକାଫି ଓ ତାଳ ରୂପକ ଉପରେ ପର୍ଯ୍ୟବେଷିତ ଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ନୃତ୍ୟଶିଳ୍ପୀମାନେ ଥିଲେ ଭୁବନେଶ୍ୱରର ବିଜୟିନୀ ମଧୁସ୍ମିତା, ନୂଆଦିଲ୍ଲୀର ଅରନାଜ ଜାମନ୍, ଭୁବନେଶ୍ୱରର ସଞ୍ଜୟ କୁମାର ବେହେରା, ଢେଙ୍କାନାଳର ଗୌରୀଶଙ୍କର ଦାଶ, ଭୁବନେଶ୍ୱରର ଆତ୍ରୀ ଦତ୍ତ ଓ ଚାଇନାରୁ ଆସିଥିବା ନୃତ୍ୟଶିଳ୍ପୀ ୱାକାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ।
ଦ୍ୱୈତନୃତ୍ୟ ପର୍ଯ୍ୟାୟରେ ଦୀପକ୍ କୁମାର ଜେନା ଓ ଶୁଭଦର୍ଶିନୀ ସାହୁ ଏବଂ ଆର୍ଯ୍ୟ ନନେ୍ଦ ଓ ସ୍ୱାତୀ ସାଗରୀକା ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନୃତ୍ୟ ଉପାସନା ପୀଠ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ ବେଶ୍ ଉଚ୍ଚକୋଟୀର ଥିଲା ୫ ଦିନ ଧରି ଚାଲିଥିବା ଏହି ଆନ୍ତର୍ଜାତିକ ନୃତ୍ୟତ୍ସବକୁ ପ୍ରତିଦିନ ଭରପୂର ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରୁଥିଲେ ।
ସନ୍ଧ୍ୟା ଅଧିବେଶନର ଅତିଥି ଥିଲେ ଲେଖକ ଓ ସାହିତ୍ୟକ ଗୌରହରୀ ଦାସ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସୁସାହିତ୍ୟକ ବିଜୟ କୁମାର ନାୟକ, ଓଡ଼ିଶୀ ଗୁରୁ ତାଥା ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ।

















