ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭ ଶେଷ ଦିନରେ ରେକର୍ଡ ଭାଙ୍ଗିଛି ନନ୍ଦନକାନନ। ଡସେମ୍ବର ୩୧ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି ନନ୍ଦନକାନନ। ୨୦୧୫-୧୬ ଶେଷ ଦିନ ତୁଳନାରେ ଏହା ଅଧିକ ବୋଲି ଟିକେଟ ବିକ୍ରିରୁ ଜଣାପଡ଼ିଛି।

ବିଦାୟ ନେଇଛି ୨୦୧୭। ୨୦୧୮କୁ ଆନନ୍ଦ ଉଲ୍ଲାସର ସହ ସମସ୍ତେ ସ୍ବାଗତ କରିଛନ୍ତି। ୨୦୧୭ ଶେଷ ଦିନରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଖଚାଖଚ ଭିଡ଼ ପରିଲକ୍ଷିତ ହୋଇଛି। ନନ୍ଦନକାନନରେ ବି ପର୍ଯ୍ୟଟକ ଡିସେମ୍ବର ୩୧ରେ ମଜା ଉଠାଇଛନ୍ତି। ୨୦୧୬ ଡିସେମ୍ବର ୩୧ର ରେକର୍ଡ ଭାଙ୍ଗିଛି ୨୦୧୭ ଡିସେମ୍ବର ୩୧। ଶେଷ ଦିନରେ ୩୮ ହଜାର ୮୩୪ ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିବା ଟିକେଟ ବିକ୍ରିରୁ ଜଣାପଡ଼ିଛି।

୨୦୧୬ ଶେଷ ଦିନରେ ୨୯ ହଜାର ୧୭୪ ପର୍ଯ୍ୟଟକ ଏବଂ ୨୦୧୫ ଶେଷ ଦିନରେ ୨୮ ହଜାର ୮୭୬ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।  ୨୦୧୭ ଡିସେମ୍ବର ୩୧ରେ ଟିକେଟ ବିକ୍ରି ବାବଦରେ ୧୩ ଲକ୍ଷ ୬୭୦ ଟଙ୍କା ରାଜସ୍ବ ଆଦାୟ ହୋଇଛି।

୨୦୧୫ ଆର୍ଥିକ ବର୍ଷରେ ୪୩ ଲକ୍ଷ ୮୮ ହଜାର ୭୭ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୬ରେ ୪୧ ଲକ୍ଷ ୪୩ ହଜାର ୭୨୬ ପର୍ଯ୍ୟଟକ ଆସିଥିବା ରେକର୍ଡ ରହିଛି। ସେହିପରି ୨୦୧୭ ଡିସେମ୍ବର ୩୧ ସୁଦ୍ଧା ୪୩ ଲକ୍ଷ ୭ ହଜାର ୫୨୫ ପର୍ଯ୍ୟଟକ ଆସିଛନ୍ତି। ଆର୍ଥିକ ବର୍ଷ ପୂରିବାକୁ ଆହୁରି ୩ ମାସ ବାକି ଥିବା ବେଳେ ଚଳିତ ଥର ଏହା ସର୍ବକାଳୀନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ୨୦୧୭ ନୂଆବର୍ଷରେ ନନ୍ଦନକାନନକୁ ୫୦ ହଜାର ୬୪୮ ପର୍ଯ୍ୟଟକ ଆସିଥିଲେ।

Comment