ଓଡ଼ିଶାଲାଇଭ୍ ବ୍ୟୁରୋ
- ୧୧୧୦ କେନ୍ଦ୍ରରେ ହେବ ପରୀକ୍ଷା
- ସବୁ କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି
- ୨୦୨ ହବରେ ଲାଗିବ ସିସିଟିଭି
ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ଓଡ଼ିଶାର ୩ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ୧୧୧୦ କେନ୍ଦ୍ରରେ ଦେବେ ଯୁକ୍ତ ୨ ପରୀକ୍ଷା। ଏଥିପାଇଁ ୨୦୨ ହବ୍ ଖୋଲାଯିବ। ସୁରକ୍ଷା ବଳୟରେ ରହିବ ପ୍ରତିଟି ହବ୍। ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ଯୁକ୍ତ ୨ ପରୀକ୍ଷା ପରିଚାଳନା କମିଟି ବୈଠକରେ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ହବଗୁଡ଼ିକରେ ଲକର୍ ସିଷ୍ଟମ ସହିତ ସିସିଟିଭି କ୍ୟାମେରା ଲଗାଯାଇଛି। ୨୪ ଘଣ୍ଟିଆ ପାଟ୍ରୋଲିଂ ସହିତ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।
ଗତ ବର୍ଷ ତୁଳନାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଚଳିତ ବର୍ଷ ହ୍ରାସ ପାଇଥିଲେ ମଧ୍ୟ ତିନୋଟି ଅଧିକ କେନ୍ଦ୍ର କରାଯାଇଛି। କଳାରେ ୨ଲକ୍ଷ ୨୨ହଜାର, ବିଜ୍ଞାନରେ ୯୬ ହଜାର ଓ ବାଣିଜ୍ୟରେ ୨୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ସେହିଭଳି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୭ ହଜାର, ଦୂର ନିରନ୍ତର ଶିକ୍ଷା ପାଠ୍ୟକ୍ରମ ଲାଗି ୧୧,୬୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟରେ ୩୫୦ରୁ ଅଧିକ ସେଲ୍ଫ ଫାଇନାନ୍ସିଂ କଲେଜ ଅଛି। ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ସେଲ୍ଫ ଫାଇନାନ୍ସିଂ ଯୁକ୍ତ ୨ କଲେଜ ଥିବାରୁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ରମାଦେବୀ ମହିଳା ଜୁନିୟର କଲେଜ ଛାତ୍ରୀମାନେ ନିଜ କଲେଜରେ ପରୀକ୍ଷା ଦେବେ। ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା, ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା କଲେଜରେ ପରୀକ୍ଷା କେନ୍ଦ୍ର ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ। ଆସନ୍ତା ୨୫ ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଥିଓରି ମାର୍ଚ୍ଚ ୬ରୁ ୨୮ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ଚୂଡ଼ାନ୍ତ ହୋଇଛି।