ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ଯୁକ୍ତ ୨ ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷା ହୋଇଛି। ବୁଧବାର ସକାଳ ୧୦ଟାରୁ ଅପରାହ୍ଣ ୧ଟା ଯାଏଁ ପରୀକ୍ଷା ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ଏହି ପରୀକ୍ଷା ପରିଚାଳିତ ହେଉଛି।

ବୁଧବାର ପରୀକ୍ଷା ଦେବା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ବାହାରେ ପହଞ୍ଚିଥିଲେ। ସେମାନଙ୍କୁ ପରୀକ୍ଷାର ୧୫ ମିନିଟ ପୂର୍ବରୁ ଉତ୍ତରଖାତା ମିଳିଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରଯାଇଥିଲା।

ପରୀକ୍ଷା ପାଇଁ ସକାଳ ୮ ଟା ୩୦ ସୁଦ୍ଧା ସମସ୍ତ କେନ୍ଦ୍ର‌ରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଏବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ମୋଟ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷାରେ କପି ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

୨୦୨୩ରେ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି। ଏଥିରୁ କଳା ବିଭାଗରେ ୨ଲକ୍ଷ ୩୩ ହଜାର ୮୫୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଅନ୍ୟପଟେ ବିଜ୍ଞାନରେ ୯୩ ହଜାର ୮୯୪ ଜଣ ଓ ବାଣିଜ୍ୟରେ ୨୪ ହଜାର ୩୩୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

ବୁଧବାର କେବଳ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହୋଇଛି। ଏହାପରେ ମାର୍ଚ୍ଚ ୩ ତାରିଖରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ।

Tags: #+2Examination #Science #Commerce #Arts #CHSE #Odisha

Comment