ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ଫେବ୍ରୁଆରି ୨୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ହବଗୁଡ଼ିକର ସୁରକ୍ଷା ପାଇଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହବ୍‌ ସୁପରଭାଇଜରଙ୍କୁ ନିର୍ଦେଶ ଦିଆଯାଇଛି।

ଯୁକ୍ତ ୨ ପରୀକ୍ଷା ପାଇଁ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ସବୁ ପରୀକ୍ଷା କେନ୍ଦ୍ର ପାଇଁ ୨୦୨ଟି ପରୀକ୍ଷା ପରିଚାଳନା ହବର ବ୍ୟବସ୍ଥା କରାଯାଇଛି। ଏହି ହବଗୁଡ଼ିକ ମୁଖ୍ୟତଃ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ଵୟଂଶାସିତ କଲେଜ ଓ କିଛି ବିଶ୍ଵବିଦ୍ୟାଳୟରେ କରାଯାଇଛି।

ହବ ହୋଇଥିବା କଲେଜରେ ସେଠାକାର ଅଧ୍ୟକ୍ଷଙ୍କୁ ହବ୍ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ଵରେ ନାହାନ୍ତି, ସେଠାରେ ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ଵ ଦିଆଯାଇଛି। ହବରେ ଥିବା ଷ୍ଟ୍ରଙ୍ଗରୁମରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଛଡା ହବଗୁଡ଼ିକରେ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ବ୍ୟବସ୍ଥା କରାଯାଇଛି।

ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହବଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗରୁମକୁ ଏକା ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କ ଉପସ୍ଥିତିରେ ହିଁ ଷ୍ଟ୍ରଙ୍ଗରୁମ ଖୋଲାଯିବ।

ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଥିପାଇଁ ହବ୍‌ ସୁପରଭାଇଜର ଗୁରୁତ୍ଵ ଦେବେ। କୌଣସି ବି ପରିସ୍ଥିତିରେ ହବରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାନଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Tags: #+2Examination #ExaminationHUB #CHSE #Odisha

LEAVE A REPLY

Please enter your comment!
Please enter your name here