ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏପ୍ରିଲ ୨୮ ତାରିଖରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ପୋଲିସ ଏବଂ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ରକୁ ହବରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ।

ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସମସ୍ତଙ୍କର ସଫଳତା ଓ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଛାତ୍ରଛାତ୍ରୀଙ୍କୁ କେବଳ ଆଡମିଟ କାର୍ଡ, ବ୍ଲାକ ବଲ ପେନ୍, ପାଣି ବୋତଲ ଓ ସାନିଟାଇଜର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯାଇଛି। ପେନସିଲ ବକ୍ସ ନେବାକୁ ବାରଣ କରାଯାଇଛି। ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଉତ୍ତର ଲେଖିବା ପାଇଁ ୨୮ ପୃଷ୍ଠା ସମ୍ବଳିତ ଉତ୍ତର ଖାତା ଦିଆଯାଇଛି। କୌଣସି ଅତିରିକ୍ତ ପେପର ଦିଆଯିବ ନାହିଁ ବୋଲି ଜଣାପଡ଼ିଛି।

ରାଜ୍ୟର ମୋଟ ୧,୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩ ,୨୧, ୫୦୮ ଛାତ୍ରଛାତ୍ରୀ। ଯୁକ୍ତ ୨ କଳାରେ ୨,୧୩,୪୩୨ ଜଣ, ବିଜ୍ଞାନରେ ୭୮, ୭୭ ଜଣ, ବାଣିଜ୍ୟରେ ୨୪, ୧୩୬ ଜଣ ଏବଂ ଧନ୍ଦାମୂଳକ ବିଷୟରେ ୫,୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ହେଉଛନ୍ତି।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କୋଭିଡ ଗାଇଡ ଲାଇନ୍ସ ଅନୁସାରେ ବସିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା ସହ ଫାଷ୍ଟଏଡ ବକ୍ସ ରଖାଯାଇଛି।

Tags: #Education #Examination #+2Exam #CMOdisha #NaveenPatnaik

Comment