ଓଡ଼ିଶାଲାଇଭ୍‍ ବ୍ୟୁରୋ

ବରଗଡ଼ ଧନୁଯାତ୍ରାଅନ୍ତିମ ଦିବସ

ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିବସରେ ମଥୁରାନଗରୀରେ ଧର୍ମର ଜୟ ହୋଇ କୃଷ୍ଣଙ୍କ ହାତରେ କଂସଙ୍କ ବଧ ହୋଇଛି।

ଶେଷ ଦିବସରେ ଶ୍ରୀକୃଷ୍ଣ ଓ ବଳରାମ ସମଗ୍ର ମଥୁରା ନଗରୀ ଭ୍ରମଣ କରିଥିଲେ। ମଥୁରାର ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଇ ସ୍ୱାଗତ କରାଯାଇଥିଲା।

ସେପଟେ କଂସଙ୍କ ଦରବାରରେ କଂସଙ୍କ ସମେତ ସମସ୍ତ କର୍ମଚାରୀ, ମନ୍ତ୍ରୀ, ସେନାପତି ଅଷ୍ଟମଲ୍ଲ ପ୍ରମୁଖ ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଥିଲେ। ଶ୍ରୀକୃଷ୍ଣ କଂସଙ୍କ ଶିବଧନୁ ସ୍ଥଳରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ। ଏ ଘଟଣା ଶୁଣି କଂସ ବିଚଳିତ ହୋଇ ନିଜେ କୃଷ୍ଣ ଓ ବଳରାମଙ୍କ ସହ ଯୁଦ୍ଧ କରିବା ପାଇଁ ସୈନ୍ୟ ସାମନ୍ତଙ୍କୁ ନିର୍ଦ୍ଦେଶ  ଦେବା ସହ ଅଷ୍ଟ ମଲ୍ଲ ଓ ମଦମସ୍ତ କୁବଳୟା ହସ୍ତୀ ଓ ସୁବଳୟା ହସ୍ତୀଙ୍କୁ ଯୁଦ୍ଧରେ ପ୍ରସ୍ତୁତକରି ରଖିଥିବା ବେଳେ ଶ୍ରୀକୃଷ୍ଣ ଓ ବଳରାମ କଂସ ଦରବାରରେ ପହଞ୍ଚିଥିଲେ। ବେସ୍ ସେଠାରୁ ହିଁ ଯୁଦ୍ଧ ଆରମ୍ଭ ହୋଇଥିଲା।

ଘମାଘୋଟ ଲଢ଼େଇରେ କଂସଙ୍କ ଅଷ୍ଟମଲ୍ଲ, ସେନାସାମନ୍ତ ଓ କୁବଳୟା ହସ୍ତୀଙ୍କ ମୃତ୍ୟୁ ଘଟିଥିଲା। ଶେଷରେ କଂସ ଓ କୃଷ୍ଣଙ୍କ ମଧ୍ୟରେ ଲଢ଼େଇ ହୋଇ ଶେଷରେ ମହାପ୍ରତାପୀ କଂସଙ୍କୁ କୃଷ୍ଣ ବଧ କରିଥିଲେ। ମଥୁରାନଗରୀରେ ଅନ୍ୟାୟ, ଅତ୍ୟାଚାର ବିଲୋପ ଘଟି ଧର୍ମର ଜୟ ହୋଇଛି। କୃଷ୍ଣ ଓ ବଳରାମ ମିଶି ଉଗ୍ରସେନଙ୍କୁ ପୁଣି ଡକାଇ ରାଜା ଭାବରେ ଅଭିଷେକ କରାଇଥିଲେ।

ଉଦ୍‌ଯାପିତ ହୋଇଛି ଦୀର୍ଘ ୧୧ ଦିନ ଧରି ଚାଲିଥିବା ୬୯ତମ ଧନୁଯାତ୍ରା।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment