ନୀଳାମ୍ବର ରଥ
ଗୋପାଳନ ଏକ ଭଲ ବ୍ୟବସାୟ। ଏ କଥା ଆଉ କାହାଠାରୁ ନହେଲେ ମଧ୍ୟ ବିହାରୀ ନେତା ଲାଲୁଙ୍କଠାରୁ ଶିଖିବାକୁ ହେବ। ଆହୁରି ରାଜନୀତି-ପ୍ରଶାସନ-ଦୁର୍ନୀତି ଏହି ତିନୋଟି ଶବ୍ଦ କେତେ ଘନିଷ୍ଠ ଏ କଥା ବିହାରର ୯୫୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରୁ ମଧ୍ୟ ବେଶ୍ ବୁଝିହେବ।
୮୦ ଓ ୯୦ ଦଶକରେ ବିହାରରେ ଯେଉଁ ଗୋଖାଦ୍ୟ ଦୁର୍ନୀତିର ମଞ୍ଜି ପୋତାଯାଇଥିଲା ଆଜି ତାହାର ଫଳ ଫଳିଛି। ବିଳମ୍ବରେ ହେଲେ ସୁଦ୍ଧା ଦେଶର ଏଭଳି ଏକ ଐତିହାସିକ ଦୁର୍ନୀତି ମାମଲାରେ ଏବେ ଦଣ୍ଡବିଧାନ ହୋଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ସିବିଆଇ ଅଦାଲତ ଦେଇଛି ଏକ ଶକ୍ତ ଲାତ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ସାଢ଼େ ତିନି ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗାଈ ମଇଁଷିଙ୍କ ଖାଦ୍ୟ ନାଁରେ ହରିଲୁଟ୍ କରିଥିବା ଲାଲୁ ଏବଂ ତାଙ୍କ ସହଯୋଗୀମାନେ ଏବେ ଜେଲ୍ରେ ଗୋପାନଳ କରିବା କଥା ଚିନ୍ତା କରିପାରନ୍ତି।
୯୫୦ କୋଟିରୁ ଅଧିକ ଟଙ୍କାର ଏହି ଗୋଖାଦ୍ୟ ଦୁର୍ନୀତି ବା ‘ଚାରା ଘୋଟାଲା’କୁ ନେଇ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଛି ଖୋଳତାଡ଼। ରାଜନୀତି, ଅଦାଲତ ଏବଂ ମିଡିଆ ସବୁଠି ଚର୍ଚ୍ଚିତ ଲାଲୁ। ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ସିବିଆଇ ଅଦାଲତ ଲାଲୁଙ୍କ ସହ ୧୫ ଜଣଙ୍କୁ ଦଣ୍ଡିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ତିନି ବର୍ଷ କାରାଦଣ୍ଡ ସହିତ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ପାଇଁ ବିଚାରପତି ଶିବପାଲ ସିଂହ ରାୟ ଶୁଣାଇଛନ୍ତି।
ଏହି ଘୋଟାଲା ଯେପରି ଐତିହାସିକ ଥିଲା ତାର ନ୍ୟାୟିକ ପରିଣାମ ମଧ୍ୟ ସେଭଳି ଐତିହାସିକ ବୋଲି ବିଚାର କରାଯାଇପାରେ। ଦିନେ ଭାରତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା, ବିଶେଷକରି ବିହାର ରାଜନୀତିକୁ ଦୀର୍ଘ ଦଶନ୍ଧି ଧରି ନିୟନ୍ତ୍ରଣ କରୁଥିବା ଲାଲୁଙ୍କ ରାଜନୈତିକ କ୍ୟାରିଅର ପାଇଁ ଏହା ଏକ ଶକ୍ତ ପ୍ରହାର ନିଶ୍ଚୟ।
୧୯୯୬ ମସିହାରୁ ସିବିଆଇ ଚାରା ଘୋଟାଲାକୁ ନେଇ ବିଭିନ୍ନ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ଏହିଭଳି ୫୦ଟି ମାମଲା ଭିତରୁ ୬ଟିରେ ଲାଲୁ ଅଭିଯୁକ୍ତ ଅଛନ୍ତି। ଦ୍ୱିତୀୟ ମାମଲାର ଦଣ୍ଡବିଧାନ ଶୁଣାଇ ସିବିଆଇ ଅଦାଲତ ନିକଟରେ ଲାଲୁଙ୍କୁ ଏକ ଶକ୍ତ ଧକ୍କା ଦେଇଛନ୍ତି। ଆହୁରି ଚାରୋଟି ମାମଲା ଆଗକୁ ରହିଛି।
ଦ୍ୱିତୀୟ ମାମଲା ଅନୁଯାୟୀ ୧୯୯୧ରୁ ୧୯୯୪ ମଧ୍ୟରେ ବିହାରର ଦେଓଘର ଟ୍ରେଜେରିରୁ ୮୯ ଲକ୍ଷ ୨୭ ହଜାର ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଜାଲ୍ କାଗଜପତ୍ରରେ ଟ୍ରେଜେରିରୁ ଏହି ଟଙ୍କା ଉଠାଯାଇଥିଲା। ଆହୁରି ଦୁର୍ଭାଗ୍ୟର କଥା ଯେ ଲାଲୁ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ସକ୍ରାନ୍ତ କାଗଜପତ୍ରକୁ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାପି ରଖିଥିଲେ। ଫଳରେ ତଦନ୍ତ ପ୍ରକ୍ରିୟା ଆଗେଇ ପାରିନଥିଲା। କେବଳ ସେତିକି ନୁହେଁ, ଲାଲୁ ତାଙ୍କ ବିଭାଗର ତିନି ଜଣ ଅଧିକାରୀଙ୍କ ଚାକିରି କାର୍ଯ୍ୟକାଳ ବଢ଼ାଇଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନକରାତ୍ମକ ମନ୍ତବ୍ୟ ସତ୍ତ୍ୱେ ଲାଲୁ ସରକାରୀ ଫାଇଲ୍ରେ ତାଙ୍କର ଶକ୍ତି ବ୍ୟବହାର କରି ଏହି ଅସମ୍ଭବକୁ ସମ୍ଭବ କରିଥିଲେ। ଲାଲୁ ଜାଣିଶୁଣି ଦୁର୍ନୀତିକୁ ଚାପି ରଖିବାକୁ ଚାହୁଁଥିବା ସିବିଆଇ ପାଇଁ ପରବର୍ତ୍ତୀ ସମୟରେ ଏକ ବଡ଼ ଅସ୍ତ୍ର ହୋଇଥିଲା।
୨୦୧୩ ସେପ୍ଟେମ୍ବରରେ ଗୋଖାଦ୍ୟ ଦୁର୍ନୀତି ମାମଲାର ପ୍ରଥମ ବଡ଼ ଧକ୍କା ଲାଗିଥିଲା ଲାଲୁଙ୍କୁ। ଏହି ମାମଲାର ଶୁଣାଣିରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲେ। ତେବେ ଜେଲ୍ରେ ଦୁଇ ମାସ ରହି ଜାମିନରେ ମୁକୁଳିଥିଲେ। ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବା ଲାଲୁପ୍ରସାଦ ଯାଦବଙ୍କୁ ବେଶ୍ ମହଙ୍ଗା ପଡ଼ିଥିଲା। ଫଳରେ ସେ ତାଙ୍କର ପାର୍ଲାମେଣ୍ଟ ସଦସ୍ୟତା ହରାଇବା ସହ ୧୧ ବର୍ଷ ଯାଏଁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଛନ୍ତି।
ଲାଲୁଙ୍କ ଗୁଲିକୁ ବିଚାରପତିଙ୍କ ଗୁଗଲି
ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି ସ୍ଥିତ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ସେଦିନ ଶୁଣାଣି ବେଳେ ଲାଲୁଙ୍କୁ ହାଜର କରାଯାଇଥିଲା। ଶୁଣାଣି ଆରମ୍ଭ ହେବା ପୂର୍ବରୁ ଲାଲୁପ୍ରସାଦ ତାଙ୍କର ସ୍ୱଭାବସୁଲଭ ଢଙ୍ଗରେ ବିଚାରପତିଙ୍କୁ କହିଥିଲେ, ‘‘ଆପଣ ଏଠି ମୁଣ୍ଡ ଥଣ୍ଡା ରଖି କାମ କରନ୍ତୁ। ହେଲେ ଜେଲ୍ରେ ବେଶ୍ ଥଣ୍ଡା ପଡ଼ୁଛି’’।
ଲାଲୁଙ୍କ କଥାର ଉତ୍ତରରେ ବିଚାରପତି ମଧ୍ୟ ପରିହାସ ଛଳରେ କହିଥିଲେ, ‘‘ଆପଣ ତବଲା ବଜାଇବା ଆରମ୍ଭ କରିଦିଅନ୍ତୁ।’’ ଏ କଥା କହିବା ବେଳେ ବିଚାରପତି ଯେଉଁ ସଂକେତ ଦେଇଥିଲେ ତାହା ତାଙ୍କ ରାୟରେ ପ୍ରତିଫଳିତ ହୋଇଥିଲା। କେବଳ ହାସ୍ୟଛଳ ନୁହେଁ ବିଚାରପତି ଚୂଡ଼ାନ୍ତ ରାୟ ଶୁଣାଇବା ବେଳେ ଲାଲୁଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ ଯେ, ଏଭଳି ଦୋଷୀଙ୍କ ପାଇଁ ମୁକ୍ତାକାଶ ଜେଲ୍ ଭଲ ହେବ। କାରଣ ସେମାନଙ୍କର ଗୋପାଳନର ଅନୁଭୂତି ରହିଛି।
ଭାରତୀୟ ରାଜନୀତିରେ ଦୁର୍ନୀତି କିଛି ନୂଆ କଥା ନୁହେଁ। କିନ୍ତୁ ବିହାରର ଗୋଖାଦ୍ୟ ଦୁର୍ନୀତି ନିଶ୍ଚିତ ଭାବରେ ଏକ ବହୁତ ବଡ଼ ବିଷୟ। ଜଣେ ରାଜନେତା କିଭଳି ଭାବେ ଶାସନ ଓ ପ୍ରଶାସନକୁ ନିୟନ୍ତ୍ରଣ କରି ଶହ ଶହ କୋଟି ଟଙ୍କାର ଲୁଟ୍ କରିପାରେ ତା’ର ଏକ ନମୁନା ହେଉଛି ଏହି ଚାରା ଘୋଟାଲା। ଏଭଳି ଯେତେ ଘୋଟାଲା ଘଟିବ ଭାରତୀୟ ଗଣତନ୍ତ୍ର ପାଇଁ ତାହା ସେତିକି ମାରାତ୍ମକ ପ୍ରମାଣିତ ହେବ। ଆହୁରି ଦୁର୍ଭାଗ୍ୟର କଥା ଏହି ଯେ ଏଭଳି ଅପରାଧ ପ୍ରମାଣିତ ହେବା ଏବଂ ଦଣ୍ଡବିଧାନ ହେବା ପାଇଁ ବିତିଯାଉଛି ଦଶନ୍ଧି ପରେ ଦଶନ୍ଧି!
ଆଜି ମନରେ ପ୍ରଶ୍ନ ଉଠୁଛି ଲାଲୁ ଜେଲ୍କୁ ଗଲେ ଲାଭ କାହାର? ଭାରତୀୟ ନାଗରିକମାନଙ୍କର, କି ଆଉ କାହାର? ଏ ପ୍ରଶ୍ନ ପଚାରିବା ପଛର ମୂଳ ମଞ୍ଜଟି ହେଉଛି ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ!’ – ଏହି ଉକ୍ତିଟି ବାସ୍ତବରେ କେତେ କଠୋର ସତ୍ୟ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ)