ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜନବୃଦ୍ଧିକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତାରେ। ଓଜନ ହ୍ରାସ ପାଇଁ କିଏ ଜିମ୍‌ ଯାଉଛି ତ କିଏ ଡାଏଟ କରୁଛି। ହେଲେ ଯୁବ ବ୍ୟବସାୟୀ ରାକ୍ଷୀ ମନ୍‌ସୁଖାନୀ ବିନା ଜିମ୍‌ରେ ୧୧ ମାସରେ ୩୦ କିଲୋ ଓଜନ କମାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଓ ମୋଟାପଣ ଏକ ବଡ଼ ସମସ୍ୟା । ଏଥିରୁ ବର୍ତ୍ତିବା ପାଇଁ ଲୋକେ ଡାକ୍ତରଙ୍କ ପରାମର୍ଶ ନେଉଥିବା ବେଳେ ଆଉ କେହି କେହି ଡାଏଟର ସାହାରା ନେଇଥାନ୍ତି। ହେଲେ ଓଜନ କମିବାର ଆଶା କ୍ଷୀଣ ଥାଏ। ଯୁବ ବ୍ୟବସାୟୀ ରାକ୍ଷୀ ମନ୍ସୁଖାନୀଙ୍କ ଇଚ୍ଛା ଆଗରେ କିନ୍ତୁ ହାର ମାନିଛି ଏସବୁ ସମସ୍ୟା।

୧୦୩ କିଲୋଗ୍ରାମ ଓଜନ ରଖିଥିବା ରାକ୍ଷୀ ନିଜସ୍ୱ ଉଦ୍ୟମ ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣି ମାତ୍ର ୧୧ ମାସର ସମୟ ଭିତରେ ୩୦ କିଲୋଗ୍ରାମ ଓଜନ ହ୍ରାସ କରିବାରେ ସମର୍ଥ ହୋଇଛନ୍ତି । ଆଉ ଏବେ ରାକ୍ଷୀ ନିଜକୁ ୬୫ କିଲୋଗ୍ରାମ ଭିତରେ ସୀମିତ ରଖିବା ସହ ଯେକୌଣସି ଆଉଟଫିଟରେ ନିଜକୁ ସୁନ୍ଦର ଭାବେ ଉପସ୍ଥାପିତ କରିପାରୁଛନ୍ତି।

ନିଜର ଏହି ଆକର୍ଷଣୀୟ ଚେହେରା ଓ ଓଜନ କମାଇବା ପଛର ଉଦ୍ୟମର ସମସ୍ତ ଶ୍ରେୟ ସେ ସୋସିଆଲ ମିଡିଆକୁ ଦେଇଛନ୍ତି।

ଏ ବାବଦରେ ରାକ୍ଷୀ କହନ୍ତି ଯେ, “କୌଣସି ପୋଷାକ କିଣିବାକୁ ହେଉ କି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ହେଉ। ସବୁବେଳେ ତାଙ୍କୁ ସମସ୍ତଙ୍କଠାରୁ ସମାଲୋଚନାର ଶୀକାର ହେବାକୁ ପଡ଼ୁଥିଲା । ବିଶେଷକରି ସୋସିଆଲ ମିଡିଆର ମତାମତ ମୋତେ ଓଜନ କମାଇବାକୁ ପ୍ରେରଣା ଦେଲା। ମୋଟାପଣ ଯୋଗୁଁ ମୋର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଲା। ଆଣ୍ଠୁ ସମସ୍ୟାଠାରୁ ଆରମ୍ଭ କରି ବ୍ଲଟିଂ, ପିସିଓଡି, ତେଲିଆ ତ୍ୱଚା ଭଳି ସମସ୍ୟା ଦେଖାଦେଲା । ଖାଲି ସେତିକି ନୁହେଁ ପୋଷାକ ବାଛିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଲା। ସପିଂ ପାଇଁ ଗଲାବେଳେ ମଧ୍ୟ ପ୍ଲସ୍ ଏକ୍ସଏଲ୍ ସାଇଜ୍ ବା ଗର୍ଭବତୀ ମହିଳାଙ୍କ ବିଭାଗକୁ ଯାଇ ପୋଷାକ ପାଛିବାକୁ ପଡୁଥିଲ। ଏଥିପାଇଁ ମୁଁ ଖାଦ୍ୟପେୟରେ ମଧ୍ୟ ଢେର ପରିବର୍ତ୍ତନ ଆଣିଲି । ଜଙ୍କଫୁଡଠାରୁ ନିଜକୁ ଦୂରେଇ ରଖିବା ସହ ସୁସ୍ଥ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲି।”

ନିଜର ଖାଦ୍ୟପେୟ ଓ ଜୀବନଚର୍ଯ୍ୟା ସମ୍ପର୍କରେ ରାକ୍ଷୀ କହନ୍ତି, ବିନା ଜିମରେ ଏସବୁ ସମ୍ଭବ ହୋଇ ପାରିଛି। ସକାଳେ ଓ ସନ୍ଧ୍ୟାରେ ଦୌଡ଼, ବ୍ୟାୟାମ ଓ ଏରୋବିକ୍ କରୁଛି। ଓଟ୍‌ସ୍‌ ଭଳି କମ୍ କ୍ୟାଲେରୀଯୁକ୍ତ ଖାଦ୍ୟ ମୋତେ ଏ ଦିଗରେ ସାହାଯ୍ୟ କରିଛି। ସକାଳେ ସିଝା ଅଣ୍ଡା, କ୍ଷୀର ଖାଉଥିବା ବେଳେ ମଧ୍ୟାହ୍ନ ଭୋଜନରେ ଶାକାହାରୀ ଭୋଜନ, ସାଲାଡ, ଡାଲି ଓ ରାତ୍ରୀ ଭୋଜନରେ ସୁପ୍ ଓ ଗ୍ରିଲଡ ଚିକେନ୍ ଖାଦ୍ୟ ଖାଉଛି।

“ବିବାହ ବିଚ୍ଛେଦ ହିଁ ମୋ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହାପରେ ମୁଁ ନିଜକୁ ଓ ନିଜ ଚେହେରାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲି”, କହିଛନ୍ତି ରାକ୍ଷୀ।

ଓଜନ କମିବା ପରେ ମୋ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ମୁଁ ସୁନ୍ଦର ଦେଖାଯାଉଛି । ଲୋକଙ୍କ ପ୍ରଶଂସା ସାଉଁଟି ପାରିଛି। ମୋ ଭିତରେ ଏକ ସାକାରାତ୍ମକ ଚିନ୍ତାଧାରା ଉଦ୍ରେକ ହୋଇ ପାରିଛି। ପରିବାର ଓ ପ୍ରିୟଜନଙ୍କ ନିକଟତର ହୋଇ ପାରିଛି ବୋଲି ସେ କହିଛନ୍ତି।

Comment