ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଅଲିଟି ସୋ ‘ବିଗ୍ ବସ୍‌-୧୪’ର ବିଜେତା ହୋଇଛନ୍ତି ରୁବିନା ଦିଲେକ। ପ୍ରତିଯୋଗୀ ରାହୁଲ କ୍ରିଷ୍ଣ ବୈଦଙ୍କୁ ପଛରେ ପକାଇ ‘ବିଗ୍ ବସ୍‌-୧୪’ର ଟାଇଟଲ୍ ଜିତିଛନ୍ତି ରୁବିନା। ସୋ’ର ପ୍ରାଇଜ ମନି ୩୬ ଲକ୍ଷ ଟଙ୍କା ନେଇ ସେ ଘରକୁ ଫେରିଛନ୍ତି। ତାଙ୍କର ସଫଳତା ପାଇଁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।

ଚଳିତ ବର୍ଷ କରୋନା ମହାମାରୀ ପାଇଁ ଟିକେ ଡେରିରେ ଆରମ୍ଭ ହୋଇଥିଲା ‘ବିଗ୍ ବସ୍‌-୧୪’। ସମସ୍ତ ପ୍ରତିଯୋଗୀ ସୋ’ରେ ଭର୍ତ୍ତି ହେବା ପୂର୍ବରୁ ୧୪ ଦିନ ଲେଖାଏଁ କ୍ୱାରେଣ୍ଟାଇନରେ ରହିଥିଲେ। ସୋ’ର ମଝିରେ ୱାଇଲ୍ଡକାର୍ଡ଼ ଏଣ୍ଟ୍ରି ଜରିଆରେ ପ୍ରତିଯୋଗୀ ଭାଗ ନେଇଥିଲେ। ସୋ’ର ୫ଜଣ ପ୍ରତିଯୋଗୀ ଅଲ୍ଲି ଗୋନୀ, ରାକ୍ଷୀ ସାୱନ୍ତ, ନିକ୍କି ତମ୍ବୋଲି, ରାହୁଲ ବୈଦ ଓ ରୁବିନା ଦିଲେକ ଭଲ ପ୍ରଦର୍ଶନ କରି ଟପ୍ ୫ ରେ ନିଜର ସ୍ଥାନ ହାସଲ କରିଥିଲେ। ଦର୍ଶକଙ୍କ ଭୋଟ୍‌ର କମି ଯୋଗୁଁ ନିକ୍କି ଓ ଅଲ୍ଲି ଗୋନୀଙ୍କୁ ବିଗ୍ ବସ୍ ହାଉସରୁ ଶେଷ ମୁହୂର୍ତ୍ତରେ ବାହାରିବାକୁ ପଡ଼ିଥିଲା। କଣ୍ଟ୍ରୋଭର୍ସିଆଲ କୁଇନ ରାକ୍ଷୀ ସାୱନ୍ତ ୧୪ଲକ୍ଷ ଟଙ୍କା ନେଇ ସୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

କିପରି ପରଦାରେ ପାଦ ରଖିଥିଲେ ରୁବିନା :

ଜୀ-ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଛୋଟି ବୋହୂ’ ଜରିଆରେ ପରଦାରେ ପାଦ ଥାପିଥିଲେ ରୁବିନା। ଧାରାବାହିକଟି ଏତେ ମାତ୍ରାରେ ଲୋକଙ୍କ ମନକୁ ଛୁଇଁଥିଲା ଯେ, ଏବେବି ରୁବିନାଙ୍କୁ ଅନେକ ଲୋକ ‘ଛୋଟି ବୋହୂ’ ନାମରେ ଚିହ୍ନନ୍ତି। ସେ ତାଙ୍କ ଭଉଣୀଙ୍କ ସହ ‘ଛୋଟି ବୋହୂ’ ଅଡିସନ୍ ଦେବାକୁ ଆସିଥିଲେ। ଅଡିସନ୍‌ଟି ତାଙ୍କ ଭଉଣୀଙ୍କ ପାଇଁ ଥିବାବେଳେ, ସେଥିରେ ଭଲ ପ୍ରଦର୍ଶନ କରି ନିଜର କ୍ୟାରିଅର ସେହିଠାରୁ ଆରମ୍ଭ କରିଥିଲେ ରୁବିନା। ପରେ କଲର୍ସରେ ପ୍ରସାରିତ ‘ଶକ୍ତି’ ଧାରାବାହିକରେ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରି ତାଙ୍କ ଫ୍ୟାନ ଫଲୋୟରର୍ସଙ୍କ ମନରେ ନିଜର ଛାପ ଛାଡ଼ିଥିଲେ ରୁବିନା। ଏହାବ୍ୟତୀତ ସେ ଅନେକ ଧାରାବାହିକ, ‘ସାତ୍ ଫେର ସଲୋନି କା ସଫର’, ‘ବନୁ ମେ ତେରୀ ଦୁଲହନ୍‌’ ଇତ୍ୟାଦିରେ ଅଭିନୟ କରିଛନ୍ତି । ସେ ଜଣେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ।

ରୁବିନା ଦିଲେକ ୨୦୧୮ ମସିହାରେ ଅଭିନବ ଶୁକ୍ଳାଙ୍କୁ ବିବାହ କରିଥିଲେ। ଅଭିନବଙ୍କଠାରୁ ବିଚ୍ଛେଦ ହେବା ଘଟଣା, ଏହି ସୋ’ରେ ଏକ ଗେମ୍ ମାଧ୍ୟମରେ ଦର୍ଶକଙ୍କୁ କହିଥିଲେ ସେ। ରୁବିନା ଓ ଅଭିବନଙ୍କ ଭିତରେ ଥିବା ସମସ୍ୟାରେ ଦେଖା ଦେଇଥିଲା ପରିବର୍ତ୍ତନ। ଏବେ ଦୁହେଁ ପୁଣିଥରେ ବିବାହ କରିବାକୁ ଯାଉଥିବା କଥା କହିଛନ୍ତି, ଅଭିନବ ଶୁକ୍ଲା। ରୁବିନାଙ୍କ ହାତରେ ବିଗ୍ ବସ୍ ଟ୍ରୋଫି ଦେଖି ଅଭିନବ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

Comment