ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଦ୍ମାବତୀକୁ ନେଇ ଚର୍ଚ୍ଚା ଥମୁନି। ଏହି ଫିଲ୍ମର ନାଁ ବଦଳିଥିଲେ ହେଁ ରାଜସ୍ଥାନରେ ବିରୋଧ ଥମିବାର ନାଁ ଧରୁନି। ଫିଲ୍ମଟି ଯଦି ଜାନୁଆରି ୨୫ରେ ମୁକ୍ତିଲାଭ ହୁଏ ତାହାଲେ ରାଜସ୍ଥାନରେ ରିଲିଜ ହେବନି ବୋଲି ସେଠାକାର ସରକାର କହିଛନ୍ତି।

ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ର ନାଁ ବଦଳିଛି। ଏହାର ନାଁ ‘ପଦ୍ମାବତ୍’ ରଖିଛନ୍ତି ପ୍ରଯୋଜନା ସଂସ୍ଥା। ନାଁ ବଦଳିଥିବାରୁ ଏବଂ କିଛି ଦୃଶ୍ୟ କଟା ଯାଇଥିବାରୁ ଜାନୁଆରି ୨୫ ତାରିଖରେ ଏହି ଫିଲ୍ମ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡ଼ିଛି। ହେଲେ ରାଜସ୍ଥାନରେ ଏହି ଫିଲ୍ମକୁ ବ୍ୟାନ୍‌ କରିବାକୁ ରାଜସ୍ଥାନ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଜାନୁଆରି ୨୬ ତାରିଖରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ ବୋଲି କୁହାଯାଉଥିଲା। କିନ୍ତୁ ୨୬ ବଦଳରେ ୨୫ ତାରିଖରେ ଫିଲ୍ମ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଚାହୁଁଛି। ତଥାପି ଏହାକୁ ନେଇ ରାଜସ୍ଥାନରେ ବିବାଦ ଥଣ୍ଡା ହୋଇନି।

ରାଜସ୍ଥାନ ଗୃହମନ୍ତ୍ରୀ ଗୁଲାବଚାନ୍ଦ କଟରିଆ କହିଛନ୍ତି, “ସେନ୍ସର ବୋର୍ଡର ଆଦେଶ ମୁତାବକ ପ୍ରଯୋଜନା ସଂସ୍ଥା ପଦ୍ମାବତୀର ନାଁ ବଦଳାଇ ଦେଇଛନ୍ତି। ହେଲେ ରାଜସ୍ଥାନରେ ଉତ୍ତେଜନା କମିନି। ନାଁ ବଦଳିଥିଲେ ବି ରାଜସ୍ଥାନରେ ଏହି ଫିଲ୍ମକୁ ରିଲିଜ କରିବାକୁ ଦିଆଯିବନି।”

ଏପଟେ କରଣୀ ସେନା ମଧ୍ୟ ଫିଲ୍ମ ରିଲିଜକୁ ବିରୋଧ କରିଛି। ନାଁ ବଦଳିଥିଲେ ବି ଫିଲ୍ମକୁ ରିଲିଜ କରିବାକୁ ଦିଆଯିବନି ବୋଲି ସେନା ଚେତାବନୀ ଦେଇଛି।

ରାଜପୁତ ନେତା ସୁଖଦେବ ସିଂ କହିଛନ୍ତି, “ଫିଲ୍ମଟିକୁ ରିଲିଜ କରିବାକୁ ଅନୁମତି ଦିଆଯିବନି। କେବଳ ନାଁ ବଦଳିଗଲେ ଯଦି ସବୁକିଛି ବଦଳି ଯାଉଥାନ୍ତା, ତାହାଲେ ପେଟ୍ରୋଲର ନାଁ ବଦଳାଇ ଗଙ୍ଗାଜଳ ରଖାଯାଉ। ଆଉ ଏହି ଗଙ୍ଗାଜଳକୁ ଆମେ ସିନେମା ହଲ୍‌ରେ ପକାଇ ନିଆଁ ଲଗାଇଦେବୁ। ଫଳରେ ସିନେମା ହଲ୍‌ ଜଳିବା ସହ ରିଲିଜ ହୋଇଥିବା ଫିଲ୍ମ ପଦ୍ମାବତ୍‌ ବି ଜଳିଯିବ।”

LEAVE A REPLY

Please enter your comment!
Please enter your name here