ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବରଗଡ଼ ଏସ୍‌ପିଙ୍କୁ ଟାର୍ଗେଟ୍‌ କଲା ବିଜେପି
  • ବିଜେପି କହିଲା, “ବିଜେଡି ମୁଖପାତ୍ରଙ୍କ ଭଳି କଥା କହୁଛନ୍ତି ଏସ୍‌ପି”
  • ବିଜେପୁରରେ ଭିତ୍ତିଭୂମି ସୁଦୃଢ଼ ପାଇଁ ବିଜେପି କରୁଛି ହୀନ ରାଜନୀତି: ବିଜେଡି
  • ବିଜେପି ଏବଂ ବିଜେଡିକୁ ସମାଲୋଚନା କଲା କଂଗ୍ରେସ

ବିଜେପୁର ଗୁଳିକାଣ୍ଡକୁ ନେଇ ଥମୁନି ବିବାଦ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରେ ବିଜେପିର ନିଶାନା ବନିଛନ୍ତି ବରଗଡ଼ ଏସ୍‌ପି ବି ଯୁଗଳ କିଶୋର। ମଙ୍ଗଳବାର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବହିଷ୍କାର ଦାବି କରିଥିବା ବିଜେପି ବୁଧବାର ଏସ୍‌ପିଙ୍କୁ ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀ କରି ଏସ୍‌ପିଙ୍କ କାର୍ଯ୍ୟକଳାପ ଉପରେ ବର୍ଷିଛନ୍ତି ବିଜେପି ନେତା।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବିଜେଡି ମୁଖପାତ୍ର ଯେଉଁ କଥା କହୁଛନ୍ତି ବରଗଡ଼ ଏସ୍‌ପି ମଧ୍ୟ ସେହି କଥା କହୁଛନ୍ତି। ଉଭୟଙ୍କ ସ୍ବର ଗୋଟିଏ ଭଳି ଲାଗୁଛି। ତଦନ୍ତ ଶେଷ ନହେଉଣୁ ଗୁଳିକାଣ୍ଡରେ ରାଜନୈତିକ ଲିଙ୍କ୍‌ ନାହିଁ ବୋଲି ବରଗଡ଼ ଏସ୍‌ପି କିପରି କହିଲେ?”

ଛତିଶଗଡ ସୀମାରୁ ଗିରଫ ହୋଇଥିବା ମହମ୍ମଦ ଅର୍ଶଦ ଏବଂ ସୁଶାନ୍ତ ଭୋଇଙ୍କର ଲିଙ୍କ ବିଜେଡି ସହ ରହିଥିବା ଜଣାପଡ଼ୁଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି।

ବିଜେପିର ଏହି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ସାଧାରଣ ଘଟଣାକୁ ନେଇ ବିଜେପି ରାଜନୀତି କରୁଛି। ଗଣମାଧ୍ୟମରେ ଏହାକୁ ନେଇ ବିଜେପି କାହିଁକି ଚର୍ଚ୍ଚା କରୁଛି?”

ବିଜେପୁରରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ବିଜେପି ଉଦ୍ୟମ କରୁଛି। ସେଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରୁଥିବା ଶ୍ରୀ ଦେବ କହିଛନ୍ତି।

ରବିବାର ସନ୍ଧ୍ୟାରେ ବିଜେପୁରର ପଡ଼ା ଗାଁରେ ଫୁଟିଥିଲା ଗୁଳି। ୩ ଜଣ ଦୁର୍ବୃତ୍ତ ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ମାରି ଫେରାର ହୋଇଥିଲେ।

ଏହି ଗୁଳି ମାଡ଼କୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ଏହି ଘଟଣାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟୀ କରି ସାରା ରାଜ୍ୟରେ ପ୍ରତିବାଦ କରିଛି।

କଂଗ୍ରେସ ମଧ୍ୟ ଏହାକୁ ନେଇ ବିଜେପି ଏବଂ ବିଜେଡି ଉପରେ ବର୍ଷିଛି। ବିଜେପୁରରେ ଉପ-ନିର୍ବାଚନ ହେବାକୁ ଥିବାରୁ ଉଭୟ ଦଳ ହିଂସାକାଣ୍ଡ ଘଟାଉଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଉପ-ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ବିଜେପୁରରେ ଏକ ସୁସ୍ଥ ବାତାବରଣ ଆଣିବା ପାଇଁ ଚେଷ୍ଟା କରିବାକୁ ସେ ଦାବି କରିଛନ୍ତି।

Comment