ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ଭିତରେ ବିଭିନ୍ନ ପ୍ରକାରର କ୍ଷମତା ରହିଛି। ତା’ ସହିତ ଭରି ରହିଛି ଛଳ, କପଟ, ପ୍ରେମ। ଏପରିକି ଭଗବାନ ଶଙ୍କର ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି। ତେଣୁ ମଣିଷର ଏପରି ପ୍ରବୃତ୍ତିକୁ ମଦାରୀ ସହିତ ତୁଳନା କରିଛନ୍ତି ଯୁବ ହିନ୍ଦୀ ଉପନ୍ୟାସ ଲେଖକ ବାଲେନ୍ଦୁ ଦ୍ୱିବେଦୀ।

ନିକଟରେ ଭୁବନେଶ୍ୱର ଆସିଥିଲେ ଦ୍ୱିବେଦୀ। ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପ୍ରଥମ ହିନ୍ଦୀ ଉପନ୍ୟାସ ‘ମଦାରୀପୁର ଜଙ୍କସନ୍’ ସମ୍ପର୍କରେ କହିଥିଲେ।

ସେ କହିଥିଲେ ଯେ, “ଇନ୍ଦୋର ଲିଟରେଚର ଫେଷ୍ଟିଭାଲରେ ପ୍ରଖ୍ୟାତ ଲେଖିକା ତସ୍‌ଲିମା ନସ୍‌ରିନ୍ ମୋ’ ଉପନ୍ୟାସକୁ ଲୋକାର୍ପିତ କରିଥିଲେ। ଏହି ଉପନ୍ୟାସର ଶୀର୍ଷକ ଏକ କାଳ୍ପନିକ ସ୍ଥାନ ଓ ଏହାର ସମସ୍ତ ଚରିତ୍ର ମଧ୍ୟ କାଳ୍ପନିକ।”

ଏହି ଉପନ୍ୟାସ ଏକ ସାମାଜିକ-ବିଦ୍ରୁପଭରା କାହାଣୀ।  ଏହି କାହାଣୀ ମାଧ୍ୟମରେ ବଦଳୁଥିବା ସମାଜର ଚରିତ୍ର, ଜୀବନ ଉପରେ ରାଜନୀତିର ପ୍ରଭାବ ତଥା ଜାତିଭେଦକୁ ନେଇ ଉପୁଜୁଥିବା କ୍ଲେଶ ସମ୍ପର୍କରେ ଲେଖକ ଦର୍ଶାଇଛନ୍ତି। ଏକ ଗାଁରେ ଅବସ୍ଥିତ ପରିବାର ମାଧ୍ୟମରେ ନିଜ କାହାଣୀର ରୂପ ଦେବାକୁ ଚେଷ୍ଟା କରଇଛନ୍ତି ଶ୍ରୀ ଦ୍ୱିବେଦୀ। “ବର୍ତ୍ତମାନ ସମୟରେ ଯୁବପିଢ଼ି ବିଶେଷ  ଭାବେ ନୂଆ ପ୍ରକାରର କାହାଣୀ ପ୍ରତି ଆକୃଷ୍ଟ ହେବାର ଦେଖାଯାଇଛି। କେବଳ ସେତିକି ନୁହେଁ ସମୟ ଅନୁଯାୟୀ ସମାଜର ପ୍ରତିଛବି ମଧ୍ୟ ବଦଳି ସାରିଛି। ଏହାକୁ ମାଧ୍ୟମ କରି ନୂଆ କାହାଣୀ ରଚନା କରାଯାଉଛି”, କହିଛନ୍ତି ବାଲେନ୍ଦୁ ଦ୍ୱିବେଦୀ।

ଓଡ଼ିଶାର ଅନେକ ଯୁବ ଲେଖକ/ଲେଖିକା ନିଜର ବହି ଛପାଇବା ପାଇଁ  ଆବଶ୍ୟକ ମୁତାବକ ଟଙ୍କା ପଇଠ କରିବାକୁ ଆଗ୍ରହୀ ହେଉଥିବା ବେଳେ ଶ୍ରୀ ଦ୍ୱିବେଦୀ ଏହାର ସପକ୍ଷରେୁ ନୁହନ୍ତି ବୋଲି ମତ ପ୍ରକାଶ କରିଛନ୍ତି।

ମଦାରୀପୁର ଜଙ୍କସନ ତାଙ୍କର ପ୍ରଥମ ଉପନ୍ୟାସ। ସେ ନିଜ ଲେଖା ଉପରେ ଭରସା ରଖିଥିବାରୁ ପ୍ରତିଷ୍ଠିତ ପ୍ରକାଶକ ବାଣୀ  ପବ୍ଲିକେସନ, ନୂଆ ଦିଲ୍ଲୀ ତାଙ୍କ ବହିକୁ ପ୍ରକାଶ କରିବା ଏକ ଗୌରବର କଥା। ନିକଟରେ ଲୋକପ୍ରିୟ ଉପନ୍ୟାସକୁ ନେଇ ହିନ୍ଦୀ ସିନେମା ତିଆରି ହୋଇଥିବା ବେଳେ ଶ୍ରୀ ଦ୍ୱିବେଦୀ ମଧ୍ୟ ଏଥିପ୍ରତି ଆଗ୍ରହୀ ବୋଲି ମତ ପ୍ରକାଶ କରିଛନ୍ତି।

‘ଉପନ୍ୟାସ ଲେଖିବା ଏକ କଷ୍ଟସାଧ୍ୟ ବ୍ୟାପାର। ଏଥିପାଇଁ ଅଶେଷ ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଚରିତ୍ରଗୁଡ଼ିକର ପରସ୍ପର ସହ ସମ୍ପର୍କ ଘଟଣାବଳି ତଥା ଏହାର ଉଦ୍ଦେଶ୍ୟ କ୍ଲାଇମାକ୍ସ ଯାଏଁ ପାଠକଙ୍କୁ ବାନ୍ଧି ରଖିପାରିଲେ ଏହା ସଫଳ ଉପନ୍ୟାସ ବୋଲି କୁହାଯାଇପାରିବ’ ବୋଲି ସେ କହିଛନ୍ତି। ତାଙ୍କ ଉପନ୍ୟାସର ଓଡ଼ିଆ ଅନୁବାଦ ପ୍ରତି ସେ ଆଗ୍ରହୀ ବୋଲି ମଧ୍ୟ ମତପ୍ରକାଶ କରିଛନ୍ତି।

Comment