ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚାରି ବିଚାରପତିଙ୍କୁ ଭେଟିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
  • ୧୫ ମିନିଟ୍‌ ଧରି ହେଲା ଆଲୋଚନା
  • ବାହାରି ପାରିଲାନି ସମାଧାନର ରାସ୍ତା
  • ପୁଣି ବୁଧବାର ହେବ ଆଲୋଚନା

ସୁପ୍ରିମକୋର୍ଟରେ କିଛି ଠିକ୍‌ଠାକ୍ ଚାଲିନି। ଏଭଳି ଅଭିଯୋଗ ଆଣି ଦେଶରେ ହଲ୍‌ଚଲ୍‌ ସୃଷ୍ଟି କରିଥିଲେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି। ଏହି ବିଚାରପତିମାନଙ୍କୁ ମନାଇବା ପାଇଁ ରବିବାର ୭ ଜଣିଆ କମିଟି କଥା ହେବା ପରେ ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଆଲୋଚନା କରିଛନ୍ତି।

୧୫ ମିନିଟ୍ ଧରି ପ୍ରଧାନବିଚାରପତି ଏହି ଚାରି ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଜଷ୍ଟିସ୍‌ ଏ କେ ସିକ୍ରି ଏବଂ ଅନ୍ୟ ଦୁଇ ଜଣ ବିଚାରପତି ଉପସ୍ଥିତ ଥିଲେ। ହେଲେ ଆଲୋଚନାରେ ସମାଧାନର ରାସ୍ତା ବାହାରି ନଥିବା କୁହାଯାଉଛି। ସମାଧାନ ପାଇଁ ଆହୁରି ୨/୩ ଦିନ ସମୟ ଲାଗିବ ବୋଲି କୁହାଯାଉଛି।

ଏପଟେ ଅଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ୟୁ ଟର୍ଣ୍ଣ ମାରିଛନ୍ତି। ବିଚାରପତିଙ୍କ ବିବାଦ ସମାଧାନ ହୋଇଯାଇଥିବା ବେଣୁଗୋପାଳ ସୋମବାର ଦିନ କହିବା ପରେ ମଙ୍ଗଳବାର ଭିନ୍ନ କଥା କହିଛନ୍ତି। ବିଚାରପତିଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ସମାଧାନ ପାଇଁ ୩ ଦିନ ଲାଗିବ ବୋଲି ସେ କହିଛନ୍ତି।

ଶୁକ୍ରବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ପ୍ରଶାସନିକ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ଚାରି ଜଣ ବିଚାରପତି। ଜଷ୍ଟିସ୍‌ ଜେ ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି ଲୋକୁର ଏବଂ କୁରିଏନ୍ ଯୋଶେଫ୍‌ ସାମ୍ବାଦିକ ସମ୍ମିଳନୀ ଡାକି ସୁପ୍ରିମକୋର୍ଟରେ ଗଡ଼ବଡ଼ ଚାଲିଥିବା କହିଥିଲେ।

ମାମଲାର ଶୁଣାଣି ପାଇଁ ବିଚାରପତିମାନଙ୍କ ମଧ୍ୟରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ କରିଥିଲେ। ଏହି ଘଟଣା ମିଡିଆରେ ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ନ୍ୟାୟପାଳିକାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ବିବାଦର ସମାଧାନ ପାଇଁ ବାର୍‌ କାଉନସିଲ ଅଫ୍ ଇଣ୍ଡିଆ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ୭ ଜଣ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯାଇଥିଲା। ଏହି କମିଟି ରବିବାର ସନ୍ଧ୍ୟାରେ ଚାରି ଜଣ ବିଚାରପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସୋମବାର ଏହି ଚାରି ଜଣ ବିଚାରପତି କାର୍ଯ୍ୟରେ ଯୋଗ ଦେଇଥିଲେ।

ବୁଧବାର ପ୍ରଧାନ ବିଚାରପତି ଏ ସମ୍ପର୍କରେ ପୁଣି ଆଲୋଚନା କରି ପାରନ୍ତି। ଚଳିତ ସପ୍ତାହ ଶେଷ ସୁଦ୍ଧା ଏହି ବିବାଦ ସମାଧାନ ହେବ ବୋଲି ଆଶା କରାଯାଉଛି।

ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ସୋମବାର ୫ ଜଣ ବିଚାରପତିଙ୍କୁ ନେଇ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିଛନ୍ତି। ହେଲେ ଏଥିରେ ଅଭିଯୋଗ ଆଣିଥିବା ୪ ଜଣ ଜଜ୍‌ଙ୍କୁ ସାମିଲ କରାଯାଇ ନାହିଁ। ଏହି ସାମ୍ବିଧାନିକ ପୀଠ ଜାନୁଆରୀ ୧୭ରୁ ଆଧାର, ସମଲିଙ୍ଗୀ ସମ୍ପର୍କୀତ ମାମଲାର ଶୁଣାଣି କରିବେ।

Comment