ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର
  • ଚୀନର ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫କୁ ଟକ୍କର ଦେବାକୁ ସକ୍ଷମ

ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଅବଦୁଲ କଲାମ ଦୀପରୁ ଗୁରୁବାର ହୋଇଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ଅଗ୍ନି ସିରିଜର ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର। ଭୁ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ  କରିପାରୁଥିବା ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ  ଏହି ପରମାଣୁ ଶକ୍ତି ସମ୍ପନ୍ନ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରର  ପରୀକ୍ଷା ସଫଳ ହୋଇଥିବାରୁ ସାମରିକ ବୈଜ୍ଞାନିକମାନେ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି।

ଭାରତର ସୁରକ୍ଷା ଓ ସାମରିକ ଶକ୍ତି ବୃଦ୍ଧିରେ ଏହା ସହାୟକ ହୋଇପାରିବ  ବୋଲି ଆଶା କରାଯାଉଛି।  ଆଗାମୀ ଦିନରେ ଅଗ୍ନି-୫ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବିଭାଗରେ ସାମିଲ୍ ହେବ। ଭାରତୀୟ ପ୍ରତିରକ୍ଷା ଉନ୍ନୟନ ପ୍ରତିଷ୍ଠାନ ପକ୍ଷରୁ ନିର୍ମିତ ଅଗ୍ନି ସିରିଜର ୪ଟି ପରୀକ୍ଷା ପୂର୍ବରୁ ସଫଳ ହେବାପରେ ଅଗ୍ନି-୧, ୨, ୩, ଓ ୪ ସେନାରେ ନିୟୋଜିତ ହୋଇଛି।

୨୦୧୨ ଏପ୍ରିଲ ୧୯ ତାରିଖରେ ପ୍ରଥମେ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷା  ସଫଳ ହୋଇଥିଲା। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦୦ କିଲୋମିଟର। ୨୦୧୩ ସେପ୍ଟେମ୍ବର ୧୫ ତାରିଖରେ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷା ହୋଇଥିଲା। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୨୦୦୦ କିଲୋମିଟର। ସେହିପରି ୨୦୧୫ ଜାନୁଆରୀ ୩୧ତାରିଖରେ ହୋଇଥିଲା ଅଗ୍ନି-୩ର ପରୀକ୍ଷା। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୨୫୦୦ରୁ ୩୦୦୦ କିଲୋମିଟର। ୨୦୧୬ ଡିସେମ୍ବର ୨୬ତାରିଖରେ ହୋଇଥିଲା ଅଗ୍ନି-୪ର ପରୀକ୍ଷା। ଏହାର ମଧ୍ୟ ଅଗ୍ନି-୩ଭଳି  କ୍ଷମତା ରହିଛି।

ଏହି କ୍ଷେପଣାସ୍ତ୍ର ଚୀନର ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫କୁ ଟକ୍କର ଦେବାକୁ ସକ୍ଷମ। ଆବଶ୍ୟକ ପଡିଲେ ଅଗ୍ନି-୫ ବିମାନ ବନ୍ଦର, ଜାତୀୟ ରାଜପଥରୁ ମଧ୍ୟ ଶତ୍ରୁ ବିରୋଧରେ ବିନିଯୋଗ କରାଯାଇପାରିବ। ଏହି କ୍ଷେପଣାସ୍ତ୍ରର ଲମ୍ବ ୧୭.୫ ମିଟର। ୨ମିଟର ଗୋଲେଇ ବିଶିଷ୍ଠ ଏହି କ୍ଷେପଣାସ୍ତ୍ର ୫୦ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

Comment