ନୀଳାମ୍ବର ରଥ

ଓଡ଼ିଶାର ଯାତ୍ରାଜଗତ ମୁଣ୍ଡରେ ଝୁଲୁଛି ଖଣ୍ଡା! ଏହି ବ୍ୟବସାୟ ରହିବ କି ବନ୍ଦ ହେବ, ତାକୁ ନେଇ ଆରମ୍ଭ ହୋ‍ଇଛି ଚିନ୍ତା ଓ ଚର୍ଚ୍ଚା।

ଓଡ଼ିଶାର ଯାତ୍ରା ଦୁନିଆରେ ନୂଆ ଚିନ୍ତା। ବନ୍ଦ ହୋ‍ଇଯିବ ୨୩ରୁ ଅଧିକ ପ୍ରମୁଖ ଯାତ୍ରାପାର୍ଟି। ୫ ହଜାରରୁ ଅଧିକ ଯାତ୍ରା କଳାକାର ଏବଂ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ ଓ ସହଯୋଗୀଙ୍କ ଜୀବନଜୀବିକାକୁ ନେଇ ପ୍ରଶ୍ନ। ଲଗାତାରଭାବେ ଯାତ୍ରା ବ୍ୟବସାୟରେ କ୍ଷତି ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବାକୁ ଏକ ପ୍ରକାର ନିଷ୍ପତି ନେଇଛନ୍ତି ଯାତ୍ରାମାଲିକମାନେ। ସରକାର ଯଦି ଏ କ୍ଷେତ୍ରକୁ ସବୁପ୍ରକାରର ସହଯୋଗ କରିବାକୁ ଆଗେଇ ନ ଆସନ୍ତି, ତେବେ ଗାଁ ଓ ସହର ସବୁଠି ଚଳଚଞ୍ଚଳ ହେଉଥିବା ଯାତ୍ରା ନାଟକର ମଞ୍ଚ ଉପରେ ପଡ଼ିଯିବ ପରଦା। ତେଣୁ ଏହି ବ୍ୟବସାୟକୁ ବଞ୍ଚାଇ ରଖିବା ପାଇଁ ଯାତ୍ରାମାଲିକମାନେ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି।

ଏହା ଏକ ଗମ୍ଭୀର ବିଷୟ। ମୁଖ୍ୟତଃ ୫ ହଜାରରୁ ଅଧିକ ଜୀବନ ଓ  ଜୀବିକାର ପ୍ରଶ୍ନ। ଓଡ଼ିଶାରେ ମୁଖ୍ୟତଃ ଗ୍ରାମାଞ୍ଚଳ ଏବଂ ଛୋଟ ଓ ମଧ୍ୟମ ସହରାଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯାତ୍ରା ଅନ୍ୟତମ ମନୋରଞ୍ଜନର ମାଧ୍ୟମ। କାରବାର ହିସାବରେ ଦେଖିବାକୁ ଗଲେ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ ବୁଡ଼ିବାକୁ ନେଇ ପ୍ରଶ୍ନ।

ଯାତ୍ରା ବ୍ୟବସାୟ ବୁଡ଼ିବ?

ଗତ ୧୦ରୁ ୧୫ ବର୍ଷ ପଛକୁ ଚାହିଁଲେ ଦେଖାଯାଏ, ଓଡ଼ିଶାରେ କିଭଳି ଯାତ୍ରା ବ୍ୟବସାୟ ପ୍ରତିବର୍ଷ ନୂଆ ନୂଆ ରୂପ ନେଇଛି। ଯାତ୍ରା ଆଜି ପାଲଟିଛି ଏକ ଅତ୍ୟାଧୁନିକ ମନୋରଞ୍ଜନ ମାଧ୍ୟମ।

ଯାତ୍ରା ଟେଣ୍ଟ ଆଜି ଶୀତତାପ ନିୟନ୍ତ୍ରିତ। କାରଣ ବିନା ଏସିରେ ଖରାଦିନେ ଯାତ୍ରାମଞ୍ଚସ୍ଥ ବେଳେ ଅନେକ ଦର୍ଶକଙ୍କୁ ଆକର୍ଷିତ କରିବା ହୁଏତ ସମ୍ଭବ ହେଉନାହିଁ। କିମ୍ବା ଅନ୍ୟ ପକ୍ଷରେ କହିଲେ ପ୍ରତିଯୋଗିତାପୂର୍ଣ୍ଣ ମନୋରଞ୍ଜନ ଶିଳ୍ପରେ ଆଧୁନିକତା, ବିଳାସ ଏବଂ ଟେକ୍ନୋଲଜି ବିଶେଷ ଆକର୍ଷଣ ପାଲଟିଛି। ଯେ କୌଣସି ପ୍ରକାର ଦର୍ଶକମାନଙ୍କୁ ନିଜ ପାର୍ଟି ଓ ନାଟକ ପ୍ରତି ଆକର୍ଷିତ କରିବାର ଏହା ଏକ ଉଦ୍ୟମ।

ଆଜି ନାଟକର ଆକର୍ଷଣ କହିଲେ କେବଳ ମୂଳ ଯାତ୍ରା କଳାକାରଙ୍କୁ ବୁଝାଉନାହିଁ। ଆଜି ଯଦି ଆପଣ ଓଡ଼ିଶାର କୌଣସି ଆଗଧାଡ଼ିର ଯାତ୍ରା ପାର୍ଟି ବିଷୟରେ ଯଦି ଅନୁଧ୍ୟାନ କରିବେ, ସେଠି କୌଣସି ନା କୌଣସି ଟେଲି ଓ ସିନେ କଳାକାରଙ୍କୁ ପାଇପାରିବେ। ଯାତ୍ରା ଜଗତରେ ଏକ ନୂଆ ଧାରା ଆଣିଥିବା ଓଡ଼ିଶାର ମିଡିଆ ବ୍ୟକ୍ତିତ୍ୱ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଇଷ୍ଟର୍ଣ୍ଣ ଅପେରା ଗତବର୍ଷ ବଲିଉଡ୍‌ର ବ୍ୟାଡ ବୟ ଶକ୍ତି କପୁରଙ୍କୁ ଆଣି ବେଶ୍‍ ତାମସା କରିଥିଲେ। ଆଜି ଊଷଶୀ ମିଶ୍ର, ରାଇମୋହନ ପରିଡ଼ା, ବିରେନ୍‍ ମିଶ୍ରଙ୍କ ପରି ଟେଲିଭିଜନ ଓ ସିନେମା କଳାକାରମାନେ ବିଭିନ୍ନ ଅପେରାର ଆକର୍ଷଣ ହୋ‍ଇଛନ୍ତି। ପାରମ୍ପରିକଭାବେ ଯାତ୍ରା ଦୁନିଆରୁ ସୃଷ୍ଟି ହୋ‍ଇଥିବା ଲୋକପ୍ରିୟ ନାଁ ଦୈତାରି ପଣ୍ଡା, ସଞ୍ଜୟ ଭୋଳ, ନୀର ସ୍ୱାଇଁ, ଦାମ ପଣ୍ଡା ପ୍ରମୁଖ ଆଜି ବି ମୁଖ୍ୟ ଆକର୍ଷଣ ହୋ‍ଇରହିଛନ୍ତି। ସେହିପରି ଯାତ୍ରା ଜଗତର ଯୋଡ଼ିମାନଙ୍କ ମଧ୍ୟରେ ଟିକି-ବିନୋଦ, ରୀନା-ତାହିଆ, ବେବିନା-ପ୍ରତାପ, ଟିକିଲି-ରତି ପ୍ରମୁଖ ଯାତ୍ରା ଦର୍ଶକମାନଙ୍କ ପାଇଁ ଆକର୍ଷଣ ରହିଛନ୍ତି।

ପ୍ରମୁଖ କଳାକାରମାନଙ୍କ ଛଡ଼ା ରେକର୍ଡ ଡ୍ୟାନ୍ସ ଯାତ୍ରା ଦୁନିଆର ବିଶେଷ ଆକର୍ଷଣ। ଅନେକ ଅପେରା ପାର୍ଟି ଏ ବାବଦରେ ସଙ୍ଗୀତ, କୋରିଓଗ୍ରାଫି ଏବଂ ଆଲୋକସଜ୍ଜାରେ ବେଶ୍‍ ଖର୍ଚ୍ଚ କରିବାକୁ ପଛାଉନାହାନ୍ତି।

ମୋଟାମୋଟି ଭାବେ କହିବାକୁ ଗଲେ ଯାତ୍ରା ପରିଚାଳନାରେ ଖର୍ଚ୍ଚ ଆଗ ଅପେକ୍ଷା ଯଥେଷ୍ଟ ବଢ଼ିଛି। ଏହିସବୁ ଆଧୁନିକତା, ପ୍ରତିଯୋଗିତା ଏବଂ ଦର୍ଶକମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଭିତରେ ଖର୍ଚ୍ଚ ସମ୍ଭବତଃ ଆୟକୁ ଅଣାୟତ୍ତ କରିଛି। ଯଦି ଯାତ୍ରା ମାଲିକମାନଙ୍କ କଥାକୁ ସତ ବୋଲି ଧରାଯାଏ, ଯାତ୍ରାକୁ ଏଭଳି ଖର୍ଚ୍ଚବହୁଳ କରିବା ଏବଂ କ୍ଷତି ମୁହଁକୁ ଟାଣିନେବା ପାଇଁ ସେମାନେ ନିଜେ ପ୍ରଥମେ ଦାୟୀ।

ଷ୍ଟାର କଳାକାରଙ୍କ ଦରମା ୫୦ ଲକ୍ଷ

ଓଡ଼ିଶାର ଯାତ୍ରା ଜଗତର କିଛି ଷ୍ଟାର କଳାକାରଙ୍କ ଦରମା ବିଷୟରେ ଶୁଣିଲେ ଆପଣଙ୍କ ଦିଲ୍‍ ଖୁସ୍‍ ହୋ‍ଇଯିବ। ଅସମର୍ଥିତ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଦୈତାରି ପଣ୍ଡା, ମହେନ୍ଦ୍ର ଦାସ, ରାଇମୋହନ, ଉଷସୀଙ୍କ ଭଳି କଳାକାରଙ୍କୁ ନେଇ ବାର୍ଷିକ ବେଶ୍‍ ମୋଟା ଅଙ୍କର ଦରମା ଦିଆଯାଉଛି। ଦରମା ଛଡ଼ା ପର୍କ ବା ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଜଣେ ଜଣେ କଳାକାରଙ୍କୁ ବାର୍ଷିକ ୨୫-୩୦ ଲକ୍ଷରୁ ୪୦-୫୦ ଲକ୍ଷ ପର୍ଯ୍ୟନ୍ତ ପାରିତୋଷିକ ଦିଆଯାଉଛି। ଅର୍ଥାତ୍‍ କୌଣସି ଆଧୁନିକ କର୍ପୋରେଟ୍‍ ହାଉସର ସିଇଓମାନଙ୍କ ଦରମାଠାରୁ କିଛି କମ୍‍ ନୁହେଁ।

ଅବଶ୍ୟ, ଏହି ମୋଟା ଅଙ୍କର ଦରମା ବାବଦରେ ନା କଳାକାର ନା ଯାତ୍ରାପାର୍ଟି ମାଲିକ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ। ତେଣୁ ସେମାନଙ୍କୁ ବାସ୍ତବରେ କେତେ ଟଙ୍କା ମିଳେ ସେ ବିଷୟରେ ଜାଣିବ ସମ୍ଭବ ନୁହେଁ।

ଅନ୍ୟ ଯେ କୌଣସି ବ୍ୟବସ୍ଥା ଭଳି ଯାତ୍ରା ଏକ ବ୍ୟବସାୟ। ଏଥିରେ ଦକ୍ଷ ଏବଂ କ୍ରାଉଡପୁଲର କଳାକାରଙ୍କୁ ମାସିକ ୩-୪ ଲକ୍ଷ ପର୍ଯ୍ୟନ୍ତ ଦରମା ଦେବାରେ କାହାର ଆପତ୍ତି ରହିବା କଥା ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି ଯେ ଅନେକ ସମୟରେ ଏହି ଧଳା ହାତୀମାନେ ଯାତ୍ରା ଅନୁଷ୍ଠାନ ପ୍ରତି ବୋଝ ହୋ‍ଇପଡ଼ନ୍ତି। ଏକଥା ଆମ ଅପେକ୍ଷା ଖୋଦ୍‍ ଯାତ୍ରା ମାଲିକ ସଂଘ ଭଲରେ ବୁଝିଥିବେ।

ଓଡ଼ିଶା ଯାତ୍ରାମାଲିକ ସଂଘର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଓଡ଼ିଶାଲାଇଭକୁ କହିଛନ୍ତି ଯେ ଏହି ଆଗଧାଡ଼ିର କଳାକାରମାନଙ୍କ ନାଁରେ ଯାତ୍ରାପାର୍ଟି ଚାଲେ। ଅନ୍ୟ କଳାକାରମାନଙ୍କ ଦରମା ବାସ୍ତବରେ ଏହି ଷ୍ଟାର ଆର୍ଟିଷ୍ଟମାନଙ୍କ ନାଁରୁ ହିଁ ଆସେ। ଭଲ କଥା।

ଏକା ଲଢ଼ିବେ ମହାରଥୀ…

ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ। ଏହାକୁ ଆପଣ ଯାତ୍ରା ଜଗତର ଏକ ପରିଚିତ ନାଁ ବୋଲି କହିପାରନ୍ତି। କେବଳ ସେତିକି ନୁହେଁ, ଏହାପଛରେ ରହିଛି ପିପିଲି ନେତା ତଥା କଳିଙ୍ଗ ଗଣନାଟ୍ୟର ମାଲିକ ବାବୁ ପ୍ରଦୀପ ମହାରଥୀଙ୍କ ଡାଇଲଗ୍‍। ଦୀର୍ଘ ଦିନ ସରକାର ଓ ଶାସନରେ ରହିଲେ ମଧ୍ୟ ମହାରଥୀ ବାବୁ ତାଙ୍କ ଯାତ୍ରାପାର୍ଟିକୁ ଚଲାଇ ଆସିଛନ୍ତି। କିନ୍ତୁ ଏବେ ମହାରଥୀ ଆଉ ଏକା ଲଢ଼ିବା ସମ୍ଭବ ନୁହେଁ। ଓଡ଼ିଶା ଯାତ୍ରାମାଲିକ ସଂଘର ଅନ୍ୟତମ ଖୁଣ୍ଟ ମହାରଥୀ ବୁଧବାର ଦିନ ଅନ୍ୟମାନଙ୍କ ସ୍ୱରରେ ସ୍ୱର ମିଳାଇ କହିଛନ୍ତି ଯେ ଯଦି ସରକାର ସହଯୋଗର ହାତ ନ ବଢ଼ାନ୍ତି, ତେବେ ଯାତ୍ରା ମଞ୍ଚରେ ଯବନୀକା ପଡ଼ିଯିବ। ଚମତ୍କାର!

ଯାତ୍ରାମାଲିକଙ୍କ ମୁଣ୍ଡବ୍ୟଥା

ସତରେ ଯାତ୍ରାକୁ ନେଇ କେତେ ଯାତ୍ରା! ଦେଖିବାକୁ ଗଲେ ଗୋଟିଏ ଯାତ୍ରାପାର୍ଟି ଚଲାଇବା ଆଜି ଏତେ ସହଜ ନୁହେଁ। କଳାକାରମାନଙ୍କୁ କମ୍ପାନିରେ ବାନ୍ଧି ରଖିବା, ନୂଆ ନୂଆ ନାଟକ ମଞ୍ଚସ୍ଥ ପାଇଁ ତାମଝାମ, ପ୍ରତିଦିନର କାରବାର ସମ୍ଭାଳିବା ଏବଂ ବିପଦଆପଦ ପାଇଁ ପ୍ରସ୍ତୁତ ହୋ‍ଇରହିବା।

ଏତିକିରେ କିନ୍ତୁ ଅସଲ ଯାତ୍ରା ସରେନାହିଁ। ଆଜି ଯାତ୍ରା ମାଲିକ ଓ ପରିଚାଳକମାନଙ୍କ ପାଇଁ ସବୁଠୁ ବଡ଼ ମୁଣ୍ଡବିନ୍ଧା ହେଉଛି ଯାତ୍ରା ପେଣ୍ଡାଲ ପାଇଁ ଅନୁମତି ପାଇବା ଏବଂ ବିନା ବାଧାରେ ନାଟକ ମଞ୍ଚସ୍ଥ କରାଇବା। ଯାତ୍ରା ମାଲିକ ସଂଘର କହିବା କଥା ହେଉଛି ଯେ ଏ ବାବଦରେ ପ୍ରଶାସନିକ ସହଯୋଗ ମିଳୁନାହିଁ। କେବଳ ସେତିକି ନୁହେଁ, ବିଭିନ୍ନ ଆଳ ଦେଖାଇ ଅନେକ ସମୟରେ ସେମାନଙ୍କୁ ନାଟକ ମଞ୍ଚସ୍ଥ କରାଇବାକୁ ଦିଆଯାଉନାହିଁ। ତା’ ମଧ୍ୟରେ ରହିଛି ବନ୍ୟା ଓ ବାତ୍ୟାଜନିତ ପରିସ୍ଥିତି, ପିଲାଙ୍କ ପରୀକ୍ଷା, ଆଇନ ଶୃଙ୍ଖଳା ଓ ଆହୁରି କେତେକ କଟକଣା।

ଆଗରୁ ଯାତ୍ରା ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ହୁଏତ ଆଲୋଚନା ହୋ‍ଇଛି। କିନ୍ତୁ ଯାତ୍ରା ପାର୍ଟିମାନଙ୍କ ଅସଲ ସମସ୍ୟା ଏବଂ ସେ ବାବଦରେ ସମ୍ଭାବ୍ୟ ସମାଧାନ ନେଇ କେବେ କୌଣସି ଫଳ ବାହାରି ନାହିଁ।

ଓଡ଼ିଶାର ଯାତ୍ରାକୁ ଡିଜିଟାଲ ମାଡ଼

ଆଜି ଯେଉଁ ମାତ୍ରାରେ ସୋସିଆଲ ମିଡିଆ ଲୋକପ୍ରିୟ ହୋ‍ଇଛି, ତାହା ଯେ ଯାତ୍ରାଜଗତ ପ୍ରତି ବିପଦ ହୋ‍ଇପାରେ, ଏକଥା ବିଶ୍ୱାସ ନହେଲେ ବି ସତ। ଇଷ୍ଟର୍ଣ୍ଣ ଅପେରା ଗ୍ରୁପର ସିଇଓ ମଳୟ ମିଶ୍ର ଏକଥାକୁ ସ୍ୱୀକାର କରିଛନ୍ତି। ସୌମ୍ୟବାବୁ ମଧ୍ୟ କହିଛନ୍ତି ଯେ ଆଜି ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମର ଯେଉଁଭଳି ଆକର୍ଷଣ ବଢ଼ିଛି, ତାହା କିଛି ମାତ୍ରାରେ ଯାତ୍ରା ପ୍ରତି ବିପଦ ସୃଷ୍ଟି କରିଛି।

ଦିନେ ଟେଲିଭିଜନ ଚ୍ୟାନେଲରେ ଯାତ୍ରାର ରେକର୍ଡିଂ କରି ପ୍ରସାରଣ ଆରମ୍ଭ କରାଯାଇଥିଲା। ଏହି ଯାତ୍ରା କଣ୍ଟେଣ୍ଟ ଗତ ପ୍ରାୟ ୧୫ ବର୍ଷ ଧରି ଓଡ଼ିଶାର ଏଣ୍ଟରଟେନମେଣ୍ଟ ଟେଲିଭିଜନର ଏକ ବଡ଼ ଦିଗ ହୋ‍ଇରହିଛି। ଆଜି ବି ଅନେକ ଟେଲିଭିଜନ ଚ୍ୟାନେଲରେ ଯାତ୍ରା ନାଟକ ଚ୍ୟାନେଲର ସର୍ବୋଚ୍ଚ ଟିଆରପି ଆଣୁଥିବା କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନ ପାଉଛି।

ଭାରତବର୍ଷରେ ବିମୁଦ୍ରାକରଣ ପରେ ଆସିଲା ଡିଜିଟାଲ ଇଣ୍ଡିଆର ଏକ ନୂଆ ରୂପ। ତା’ ସାଙ୍ଗକୁ ମୋବାଇଲ କମ୍ପାନି ଜିଓ  ହାତମୁଠାରେ ଇଣ୍ଟରନେଟ୍‍ ପହଞ୍ଚାଇବାର ସ୍ୱପ୍ନକୁ ସରଳ କରିଦେଲା। ଯଦିଓ ଜିଓ ଅନ୍ୟ ମୋବାଇଲ କମ୍ପାନିମାନଙ୍କ ପାଇଁ ଏକ ଅଭୂତପୂର୍ବ ପ୍ରତିଯୋଗିତା ଆଣିଦେଲା, ତେବେ ଏହା ଡିଜିଟାଲ ଇଣ୍ଡିଆ ପାଇଁ ହେଲା ଏକ ବଡ଼ ବରଦାନ। ବିଶେଷକରି ହାତମୁଠାରେ ମାଗଣା ବା ଶସ୍ତା ୪ଜି ଇଣ୍ଟରନେଟ୍‍ ପାଇ ଆଜିର ଯୁବପିଢ଼ି ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମ ପ୍ରତି ବିଶେଷ ଆକର୍ଷିତ ହୋ‍ଇପାରିଛି। କେବଳ ଯୁବପିଢ଼ି ନୁହେଁ, ସବୁବର୍ଗର ମଣିଷଙ୍କ ପାଇଁ ଆଜି ମୋବାଇଲ ମାଧ୍ୟମରେ ମନୋରଞ୍ଜନ ସବୁଠାରୁ ନିକଟତମ ଏବଂ ପ୍ରଭାବଶାଳୀ ବ୍ୟବସ୍ଥା ହୋ‍ଇଛି। ତେଣୁ ଯାହା ମନେହେଉଛି, ଆଜି ଛୋଟ ଓ ମଧ୍ୟମ ସହର ଓ ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଯାତ୍ରା ଅପେକ୍ଷା ମୋବାଇଲ ମିଡିଆ ବଡ଼ ଆକର୍ଷଣ ହୋ‍ଇଛି।

ଅନେକ ଦର୍ଶକ ଯାତ୍ରାରୁ ମୁହଁ ବୁଲାଇ ନେଇଥିବା କଥାକୁ ଆଜି ଯାତ୍ରାମାଲିକ ଏବଂ ପରିଚାଳକମାନେ ସ୍ୱୀକାର କରୁଛନ୍ତି। ତେବେ ସେହି ଦର୍ଶକମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ କି ନୁହଁନ୍ତି ତଥା ସେମାନେ ଯାତ୍ରାରୁ ମୁହଁ ଫେରାଇନେବାର କେତେ ପ୍ରତିଶତ କାରଣ ସୋସିଆଲ ବା ମୋବାଇଲ ମିଡିଆ ତାହା ଗବେଷଣାର ବିଷୟ।

ସାଧୁ ସାବଧାନ!

ସବୁ ବ୍ୟବସାୟରେ ଏକ ଚକ୍ର ଥାଏ। ଲାଭ ଓ କ୍ଷତି, ଉତ୍‌ଥାନ ଓ ପତନ – ଜୀବନର ଧର୍ମ। ଯଦି ଆଜି ଓଡ଼ିଶାର ଯାତ୍ରା ଜଗତ ପ୍ରତି ବିପଦଆସନ୍ନ ଏବଂ ଏହି ବିପଦର ମୁକାବିଲା କରିବାକୁ ନିଜେ ଯାତ୍ରାଜଗତ ସକ୍ଷମ ହେଉନାହିଁ, ତାହା ନିଶ୍ଚିତ ଭାବେ ଚିନ୍ତା ଓ ଆଲୋଚନାର ବିଷୟ।

ଯାତ୍ରାର ମଧ୍ୟ ଅନେକ ଦୁର୍ନାମ! ଯାତ୍ରା କହିଲେ ଅଶ୍ଲୀଳତା! ଯାତ୍ରା କହିଲେ କୌଣସି ଶୃଙ୍ଖଳା ମଧ୍ୟରେ ଆବଦ୍ଧ ହୋ‍ଇ ନ ରହିବା! ଏହା ମଧ୍ୟରୁ କ’ଣ ସତ ଓ କ’ଣ ମିଥ୍ୟା ବା କ’ଣ ଭଲ ଓ କ’ଣ ଭେଲ, ତାହା ଓଡ଼ିଶାର ବିଜ୍ଞ ଯାତ୍ରାମାଲିକ, ପରିଚାଳକ, କଳାକାର, ସହଯୋଗୀ ଏବଂ ଦର୍ଶକମାନେ ଚିନ୍ତା କରିବା ଦରକାର।

(ଏହା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଓଡ଼ିଶାଲାଇଭ୍‍ ସମ୍ପାଦନାମଣ୍ଡଳୀ ବା ପଲିସି କୌଣସି ଭାବେ ଜଡ଼ିତ ନୁହେଁ।)

Comment