ଓଡ଼ିଶାଲାଇଭ୍‍ ବ୍ୟୁରୋ

କୌଣସି ଦୁର୍ଘଟଣା ବେଳେ ଚାରିଚକିଆ ଯାନରେ ଚାଳକ ଓ ସହଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଥିବା ଏୟାରବ୍ୟାଗ୍‍ ନ ବାହାରିବା ନେଇ ବାରମ୍ବାର ପ୍ରଶ୍ନ ଉଠାଯାଉଛି। ତେବେ ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ଗାଡ଼ି ଚଲାଇଲା ବେଳେ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯାତ୍ରୀ ସିଟବେଲ୍ଟ ବାନ୍ଧିନଥାନ୍ତି ତେବେ ସେ ଗାଡ଼ିରେ ସୁରକ୍ଷା ବେଲୁନ୍‍ ବା ଏୟାରବ୍ୟାଗ୍‍ ଥିଲେ ମଧ୍ୟ ତାହା ବାହାରିବ ନାହିଁ। ଅନେକ ଅତ୍ୟାଧୁନିକ ଗାଡ଼ିରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିଟ୍‌ ବେଲ୍ଟ ସହ ଏୟାରବ୍ୟାଗ୍‌ର ସମ୍ପର୍କ ଉପରେ ଗୁରୁତ୍ବ ଦିଆଯାଉଛି।

ଅବଶ୍ୟ କେବଳ ସିଟ୍‌ବେଲ୍ଟ, ସବୁବେଳେ ଏୟାରବ୍ୟାଗ୍‌ ଖୋଲିବା ପଛର ଏକମାତ୍ର କାରଣ ନୁହେଁ। ଦୁର୍ଘଟଣା ସମୟରେ ଗାଡ଼ିର ସେନ୍‌ସର୍‌ ଅକାମୀ ହୋଇଗଲେ ମଧ୍ୟ ଏୟାରବ୍ୟାଗ୍‌ ନଖୋଲିବାର ଅନେକ ସମ୍ଭାବନା ରହିଛି।

ନିକଟରେ ପୁରୀ-କୋଣାର୍କ ବେଳାଭୂମିରେ ଏକ ବିଏମଡବ୍ଲୁ କାର ଦୁର୍ଘଟଣା ହୋ‍ଇଥିଲା। ଏହାକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ଗୋଟିଏ ପ୍ରସଙ୍ଗ ଥିଲା ଦୁର୍ଘଟଣା ସମୟରେ ଏୟାରବ୍ୟାଗ ନ ଖୋଲିବା। କିଛି ଦିନ ତଳେ ବମ୍ବେ-ପୁଣେ ହାଇୱେରେ ଏକ ବିଏମଡବ୍ଲୁ ଦୁର୍ଘଟଣାରେ ଗୋଟିଏ ଓଡ଼ିଆ ପରିବାରର ଦୁଇଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ସେତେବେଳେ ମଧ୍ୟ ଅନୁରୂପ ପ୍ରଶ୍ନ ଲୋକଙ୍କ ମନକୁ ଆସିଥିଲା।

କୌଣସି ଦୁର୍ଘଟଣା ବେଳେ କାରର ଚାଳକ ଓ ଆଗରେ ବସୁଥିବା ସହଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାଧୁନିକ ଗାଡ଼ିଗୁଡ଼ିକରେ ରହିଛି ଏୟାରବ୍ୟାଗ୍‍। ଏହା ଦୁର୍ଘଟଣା ସମୟରେ କିଛି ମିଲିସେକେଣ୍ଡ ମଧ୍ୟରେ ଖୋଲି ଯାଇଥାଏ ଏବଂ ଚାଳକଙ୍କୁ ଷ୍ଟିଅରିଂ ସହିତ ଧକ୍କାଜନିତ ବିପଦରୁ ବଞ୍ଚାଇଥାଏ। ସେହିପରି କାରର ଆଗ ବାମପଟ ସିଟ୍‌ରେ ବସିଥିବା ସହଯୋଗୀଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ବେଲୁନ ରହିଥାଏ। ଏହା ଆବଶ୍ୟକ ବେଳେ ଯାତ୍ରୀଙ୍କୁ ଡ୍ୟାସବୋର୍ଡ କିମ୍ବା ସାମନା କାଚ ସହିତ ଧକ୍କା ହେବା ଜନିତ ବିପଦରୁ ବଞ୍ଚାଇଥାଏ।

ଦୁର୍ଘଟଣା ସମୟରେ ଏୟାରବ୍ୟାଗ୍‍ ନ ଖୋଲିବା ପଛରେ ଅନ୍ୟ ଟେକ୍ନିକାଲ କାରଣ ଥାଇପାରେ। ପ୍ରତିଟି ଦୁର୍ଘଟଣା ପରେ ଏହାର ଜଟିଳ ଅନୁଧ୍ୟାନ କରାଗଲା ବେଳେ ଏହାର ଅସଲ କାରଣ ଜଣାପଡ଼ିଥାଏ। ତେବେ ବିଶେଷଜ୍ଞଙ୍କ ମତରେ ଦୁର୍ଘଟଣା ବେଳେ ଯଦି କାରର ଚାଳକ ଏବଂ ଆଗରେ ବସିଥିବା ସହଯାତ୍ରୀ ସେଫ୍ଟିବେଲ୍ଟ ପିନ୍ଧିନଥା’ନ୍ତି, ତେବେ ଏୟାରବ୍ୟାଗ୍‍ ଫୁଲିବା ସମ୍ଭବ ହୋଇ ନପାରେ। କାରଣ ଅନେକ ଗାଡ଼ିରେ ନିର୍ମାତାମାନେ ଏଭଳି ବ୍ୟବସ୍ଥା କରିଛନ୍ତି ଯାହାଫଳରେ ସିଟ୍‍ ବେଲ୍ଟ ବାନ୍ଧିବା ଦ୍ୱାରା ହିଁ ସୁରକ୍ଷା ବେଲୁନ୍‍ ସକ୍ରିୟ ହୋ‍ଇଥାଏ।

“କେବଳ ଦାମୀ ବା ଅତ୍ୟାଧୁନିକ ଗାଡ଼ି ଚାଳକର ଜୀବନ ପ୍ରତି ସୁରକ୍ଷାକୁ ସୁନିଶ୍ଚିତ କରିପାରିବ ନାହିଁ। କାରଣ ଆମେ ଯଦି ସୁରକ୍ଷା ନିୟମକୁ ପାଳନ ନକରିବା ତେବେ ବିପଦ ବେଳେ ତାହା ଆମ କାମରେ ଆସିବ ନାହିଁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁପର ବାଇକର୍‌ ତଥା ଅଟୋ ବିଶେଷଜ୍ଞ  ସଞ୍ଜିବ ମହାନ୍ତି।

ଭାରତରେ ସାଧାରଣତଃ ଜଣେ ଗ୍ରାହକ ନୂଆ ଗାଡ଼ି କିଣିବା ବେଳେ ସୁରକ୍ଷା ବ୍ୟବସ୍ଥା ଅପେକ୍ଷା ଗାଡ଼ିର ମୂଲ୍ୟ ଉପରେ ଅଧିକ ଜୋର ଦେଇଥାଏ। କିନ୍ତୁ ଅନ୍ୟ ପ୍ରଗତିଶୀଳ ଦେଶରେ ଗ୍ରାହକମାନେ ସୁରକ୍ଷା ଫିଚର ଉପରେ ଅଧିକ ଗୁରୁତ୍ୱ ଦେଇ ଗାଡ଼ି ବାଛିଥାନ୍ତି।

“ଅଧିକାଂଶ ଅତ୍ୟାଧୁନିକ କାର ଏବଂ ସ୍ପୋର୍ଟସ୍  ଭେଇକିଲ ବିଦେଶର ରାସ୍ତା ଅବସ୍ଥା (ରୋଡ୍‍ କଣ୍ଡିସନ) ଦେଖି ତିଆରି ହୋ‍ଇଥାଏ। ତେଣୁ ଭାରତୀୟ ରାସ୍ତାର ଅବସ୍ଥା ଏବଂ ଟ୍ରାଫିକ ବ୍ୟବସ୍ଥାରେ ଥିବା ସମସ୍ୟା ପ୍ରତି ଆଖି ବୁଝିଦେଇ ଆମେ ବିଦେଶୀ ଷ୍ଟାଇଲରେ ଗାଡ଼ି ଚଳାଇବା ଫଳରେ ଆମେ ଦୁର୍ଘଟଣାକୁ ଡାକି ଆଣୁ”, କହିଛନ୍ତି ସଞ୍ଜିବ ମହାନ୍ତି।

ଆଜିର ଅନେକ ଆଧୁନିକ ଗାଡ଼ିରେ ଡ୍ରାଇଭର୍ ଏବଂ ଆଗରେ ବସୁଥିବା ସହଯାତ୍ରୀଙ୍କୁ ଦୁର୍ଘଟଣା ବେଳେ ଯଥାସମ୍ଭବ ସୁରକ୍ଷା ଦେବା ପାଇଁ ଏୟାରବ୍ୟାଗ୍‌ ରହୁଛି। ତାଛଡ଼ା କେତେକ ଗାଡ଼ିରେ ଦୁଇ ପାର୍ଶ୍ବ ଡୋର୍ ଏପରିକି ଛାତରେ ମଧ୍ୟ ଏହି ବ୍ୟବସ୍ଥା ରହୁଛି। ତେବେ ଦୁର୍ଘଟଣା ସମୟରେ ଗାଡ଼ିର ଗତି, ଦୁର୍ଘଟଣାର ପ୍ରଭାବ, ସେନ୍‌ସର୍‌ର ଅବସ୍ଥା ଏସବୁ ବିଷୟ ଏୟାରବ୍ୟାଗ୍‌ ଖୋଲିବା ବା ନଖୋଲିବାକୁ ପ୍ରଭାବିତ କରିଥାଏ।

ସିଟ୍‌ବେଲ୍ଟ ପିନ୍ଧିବା କାହିଁକି ଜରୁରୀ?

୧. କୌଣସି ଦୁର୍ଘଟଣା ସମୟରେ ସିଟ୍‌ ବେଲ୍ଟ ବାନ୍ଧିଥିଲେ ଚାଳକ ବା ସହଯାତ୍ରୀ ହଠାତ୍ ଧକ୍କା ପ୍ରଭାବରେ ଛିଟିକି ଯାଆନ୍ତି ନାହିଁ। ଅଧିକାଂଶ ଛୋଟବଡ଼ ଦୁର୍ଘଟଣା ବେଳେ ଏହି କାରଣରୁ ଯାତ୍ରୀମାନଙ୍କୁ ମୂଳତଃ ସୁରକ୍ଷା ମିଳିଥାଏ।

୨. ଦୁର୍ଘଟଣା ସମୟରେ, ଯେତେବେଳେ ସୁରକ୍ଷା ଏୟାରବ୍ୟାଗ୍ ଖୋଲିବାକୁ ଯାଉଥାଏ, ଯଦି ଚାଳକ ବା ସହଯାତ୍ରୀ ସେଫ୍ଟି ବେଲ୍ଟ ପିନ୍ଧି ନଥାନ୍ତି ତେବେ ତାଙ୍କ ଉପରେ ଦୁର୍ଘଟଣାର ପ୍ରଭାବ ଅଧିକ ହୋଇଥାଏ। କାରଣ ସାମ୍‌ନାପଟୁ ଏୟାରବ୍ୟାଗ୍ ଦ୍ରୁତ ବେଗରେ ଫୁଲି ଉଠିବା ବେଳକୁ ଯାତ୍ରୀ ଜଣକ ମଧ୍ୟ ଛିଟିକି ଯାଇ ତା ଦେହରେ ଜୋର୍‌ରେ ଧକ୍କା ଖାଇଥାନ୍ତି। ଏହି କାରଣରୁ ଅନେକ ସମୟରେ ଯାତ୍ରୀଙ୍କର ମୃତ୍ୟୁ ଘଟିଥାଏ।

୩. କୌଣସି ଦୁର୍ଘଟଣା ସମୟରେ ଚାଳକ ଏବଂ ସହଯାତ୍ରୀ ଯଦି ସେଫ୍ଟି ବେଲ୍ଟ ପିନ୍ଧିଥାନ୍ତି ଏବଂ ଏହି ସମୟରେ ସୁରକ୍ଷା ବେଲୁନ୍ ଫୁଲି ଉଠେ ତେବେ ବେଲ୍ଟ ଏବଂ ବେଲୁନ୍ ଉଭୟ ତାଙ୍କ ଜୀବନ ବଞ୍ଚାଇବାରେ ପରସିପୂରକ ହୋଇଥାଏ।

ତେବେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସେଫ୍ଟି ବେଲ୍ଟ ହେଉ ବା ଏୟାରବ୍ୟାଗ୍ ଏସବୁ ଗୁରୁତର ଦୁର୍ଘଟଣା ସମୟରେ ଜୀବନ ବଞ୍ଚାଇବା କ୍ଷେତ୍ରରେ କୌଣସି ଗ୍ୟାରେଣ୍ଟି ଦେଇପାରିବେ ନାହିଁ। କାରଣ ଜଣେ ବ୍ୟକ୍ତି ଯେଉଁ ଗାଡ଼ିରେ ଯାଉଛନ୍ତି ଗାଡ଼ିର ବଡ଼ି କେତେ ସୁଦୃଢ଼ ଏବଂ ଆପଣ କେତେଦୂର ଗାଡ଼ିର ସୁରକ୍ଷା ନିୟମ ତଥା ଟ୍ରାଫିକ ନିୟମାବଳୀ ପାଳନ କରୁଛନ୍ତି ତା’ଉପରେ ଦୁର୍ଘଟଣାର ପ୍ରଭାବ ନିର୍ଭର କରେ।

Comment