ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍‌ ଆଦମୀ ପାର୍ଟି ସରକାରଙ୍କୁ ଲାଗିଛି ନିର୍ବାଚନ କମିଶନଙ୍କ ଝଟ୍‌କା। ଅଫିସ୍‌ ଅଫ୍‌ ପ୍ରଫିଟ୍‌ ମାମଲାରେ ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ କରିଛନ୍ତି ସୁପାରିଶ।

ଅରବିନ୍ଦ କେଜ୍ରିୱାଲ୍‌ ନେତୃତ୍ୱଧୀନ ଦିଲ୍ଲୀ ସରକାରଙ୍କୁ ଲାଗିଛି ଜୋରଦାର ଝଟ୍‌କା। ୨୦ ବିଧାୟକ ଲାଭଜନକ ସଂସ୍ଥା ସହ ଜଡ଼ିତ ଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କମିଶନ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି।

ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ବିରେଧରେ ଦିଲ୍ଲୀ ସରକାର ହାଇକୋର୍ଟ ଯିବାକୁ ସଜବାବଜ ହେଉଛନ୍ତି।

ଦିଲ୍ଲୀ ବିଧାନସଭାରେ ମୋଟ ଆସନ ସଂଖ୍ୟା ହେଉଛି ୭୦। ସେଥିମଧ୍ୟରୁ ୬୬ ଜଣ ବିଧାୟକ ହେଉଛନ୍ତି ଆମ୍‌ ଆଦମୀ ପାର୍ଟିର। ଯଦି ୨୦ ଜଣ ବିଧାୟକ ଅଯୋଗ୍ୟ ହୋଇ ଯାଆନ୍ତି ତାହେଲେ କେଜ୍ରିଓ୍ବାଲ ସରକାରଙ୍କ ପାଇଁ କୌଣସି ସଙ୍କଟ ଦେଖାଦେବ ନାହିଁ। କାରଣ ସରକାରରେ ରହିବା ପାଇଁ ୩୫ ଜଣ ବିଧାୟକଙ୍କର ସମର୍ଥନ ଦରକାର। ୬୬ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ବିଧାୟକ ଅଯୋଗ୍ୟ ହୋଇଗଲେ ଆପ୍‌ରେ ୪୫ ଜଣ ବିଧାୟକ ରହିବେ।

ଏହି ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ପଟେଲ କହିଛନ୍ତି, “୨୦ ବିଧାୟକଙ୍କ ସଦସ୍ୟ ପଦ ରବ୍ଦ ହେବା ସୁନିଶ୍ଚିତ। ୨୦୧୫ରେ ମୁଁ ଅଫିସ୍‌ ଅଫ ପ୍ରଫିଟ୍‌ ପ୍ରସଙ୍ଗ ଉଠାଇଥିଲି। ଏହି ମାମଲାକୁ ତର୍ଜମା କଲେ ଜଣାପଡ଼ୁଛି ୨୦ ବିଧାୟକଙ୍କ ସଦସ୍ୟ ପଦ ରବ୍ଦ ହୋଇଯିବ।”

ସମ୍ବିଧାନର ଧାରା ୧୦୨(୧)(ଏ) ଏବଂ ୧୯୧(୧)(ଏ) ଅନୁଯାୟୀ ସାଂସଦ କି ବିଧାୟକ ଯଦି କୌଣସି ଲାଭଜନକ ପଦରେ ରହିଥାନ୍ତି ତାହେଲେ ତାଙ୍କ ସଦସ୍ୟ ପଦ ରବ୍ଦ ହେବାର ନିୟମ ରହିଛି।

କେଉଁ ୨୦ ବିଧାୟକଙ୍କ ଉପରେ ଝୁଲୁଛି ଖଣ୍ଡା?

ପ୍ରବୀଣ କୁମାର, ଶରଦ କୁମାର, ଆଦର୍ଶ ଶାସ୍ତ୍ରୀ, ମଦନ ଲାଲ, ଚରଣ ଗୋଏଲ, ସରିତା ସିଂହ, ନରେଶ ଯାଦବ, ଜରନୈଲ ସିଂହ, ରାଜେଶ ଗୁପ୍ତା, ଅଳକା ଲାମ୍ବା, ନୀତିନ ତ୍ୟାଗୀ, ସଞ୍ଜିବ ଝା, କୈଳାଶ ଗେହଲଟ୍, ବିଜେନ୍ଦ୍ର ଗର୍ଗ, ରାଜେଶ ଋଷି, ଅନିଲ କୁମାର ବାଜପେୟୀ, ସୋମଦତ୍ତ, ସୁଲବୀର ସିଂହ ଡାଲା, ମନୋଜ କୁମାର, ଅବତାର ସିଂହ।

Comment